20 Oct 2026, Tue

ଲୋକଙ୍କ ପାଇଁ ବରଦାନ, ୩୦୦ରୁ ଅଧିକ ରୋଗକୁ ଭଲ କରେ ସଜନା !

ସାଧାରଣତଃ ଲୋକଙ୍କ ବାଡ଼ି ବଗିଚାରେ ସଜନା ଗଚଠିଏ ଲାଗିଥାଏ । ଯେଉଁ ସଜନା ଛୁଇଁକୁ ଆମେ ଦୈନନ୍ଦିନ ଆହାରରେ ଏକ ସାଧାରଣ ପରିବା ଭାବେ ଗ୍ରହଣ କରୁ, ତାହା ପ୍ରକୃତିର ଏକ ଅମୂଲ୍ୟ ବରଦାନ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ସଜନା ଗଛର ଛୁଇଁ, ପତ୍ର ଓ ଫୁଲ ସବୁଥିରେ ଭରପୂର ମାତ୍ରାରେ ଭିଟାମିନ୍‌, ମିନେରାଲ୍‌ସ ଓ ଆଣ୍ଟି-ଅକ୍ସିଡାଣ୍ଟ୍‌ ରହିଛି। ଗବେଷଣାରୁ ଜଣାପଡ଼ିଛି ଯେ, କମଳା ତୁଳନାରେ ଏଥିରେ ୭ ଗୁଣ ଅଧିକ ଭିଟାମିନ୍‌ ‘ସି’ ଥାଏ। ସେହିପରି କ୍ଷୀର ତୁଳନାରେ ୪ ଗୁଣ ଅଧିକ କ୍ୟାଲସିୟମ୍‌ ଓ ଦୁଇଗୁଣ ଅଧିକ ପ୍ରୋଟିନ୍‌ ମିଳିଥାଏ ଏବଂ କଦଳୀ ତୁଳନାରେ ଏଥିରେ ୩ ଗୁଣ ଅଧିକ ପଟାସିୟମ୍ ତଥା ଶାଗ ତୁଳନାରେ ୩ ଗୁଣ ଅଧିକ ଆଇରନ୍‌ ରହିଛି। ତେଣୁ ଏହା ମଧୁମେହ, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ୍‌ ଓ ଥାଇରଏଡ୍‌ ନିୟନ୍ତ୍ରଣ କରିବା ସହ ହାଡ଼କୁ ମଜଭୁତ କରେ ଓ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଇଥାଏ। ସଜନାର ଉତ୍ପତ୍ତି ସ୍ଥଳ ହେଉଛି ଭାରତୀୟ ଉପମହାଦ୍ୱୀପ। ବିଶେଷକରି ହିମାଳୟର ପାଦଦେଶରେ ଏହି ଗଛ ପ୍ରଥମେ ପ୍ରାକୃତିକ ଭାବେ ଦେଖାଯାଇଥିବା କୁହାଯାଏ। ଭାରତରୁ ହିଁ ଏହା ଆଫ୍ରିକା ତଥା ଏସିଆର ଅନ୍ୟ ଦେଶ ସମେତ ଦକ୍ଷିଣ ଆମେରିକା ଆଦି ପୃଥିବୀର ଅନ୍ୟ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳକୁ ବ୍ୟାପିଛି। ଶହ ଶହ ବର୍ଷ ଧରି ଏହି ଗଛ ପ୍ରତିକୂଳ ପରିବେଶରେ ଓ ଅତି କମ୍‌ ପାଣିରେ ମଧ୍ୟ ବଞ୍ଚି ରହିବାର ଅଦ୍ଭୁତ କ୍ଷମତା ରଖିଥିବାରୁ ଏହାକୁ କେହି କେହି ଚମତ୍କାରୀ ଗଛ କହିଥାନ୍ତି। 0ପ୍ରାଚୀନ ଧର୍ମଗ୍ରନ୍ଥରେ ଏହାର ବିଶେଷ ଉ‌ଲ୍ଲେଖ ରହିଛି। ଋଗ୍‌ବେଦରେ ସଜନା ଗଛକୁ ଏକ ପବିତ୍ର ଓ ରୋଗନାଶକ ବୃକ୍ଷ ଭାବେ ବର୍ଣ୍ଣନା କରାଯାଇଛି। ଚାଣକ୍ୟଙ୍କ ରଚିତ ‘ଅର୍ଥଶାସ୍ତ୍ର’ରେ ସଜନାର ଔଷଧୀୟ ଗୁଣ ଓ ଏହାର ସାମରିକ ଉପଯୋଗିତା ବିଷୟରେ କୁହାଯାଇଛି। ଆୟୁର୍ବେଦ ବିଶାରଦମାନେ କହନ୍ତି, ମହାଭାରତ ଯୁଗରେ ମଧ୍ୟ ସୈନିକମାନେ ଶକ୍ତିଶାଳୀ ହେବାକୁ ଓ ସେମାନଙ୍କ ସ୍ଫୂର୍ତ୍ତି ପାଇଁ ସଜନା ରସ ଦିଆଯାଉଥିଲା। ପ୍ରାଚୀନ ଆୟୁର୍ବେଦ ଗ୍ରନ୍ଥ ଚରକ ସଂହିତା, ସୁଶ୍ରୁତ ସଂହିତା ଓ ଅଷ୍ଟାଙ୍ଗ ହୃଦୟମ୍‌ରେ ସଜନାକୁ ‘ଶିଗ୍ରୁ’ ବୋଲି କୁହାଯାଇଛି। ଏହାର ଅର୍ଥ ହେଉଛି, ତୀର ଭଳି ତୀବ୍ର ଗତିରେ ଶରୀର ଭିତରକୁ ପ୍ରବେଶ କରି ରୋଗ ନାଶ କରୁଥିବା ଔଷଧ। ଆୟୁର୍ବେଦ ଅନୁସାରେ, ସଜନା ଗଛ ଆମ ଶରୀରର ପ୍ରାୟ ୩୦୦ରୁ ଅଧିକ ରୋଗକୁ ଭଲ କରିବାର କ୍ଷମତା ରଖେ। ଏବେ କେବଳ ଆମ ଦେଶରେ ନୁହେଁ, ବିଦେଶରେ ମଧ୍ୟ ମୋରିଙ୍ଗା ବା ସଜନାର ଚାହିଦା ଆକାଶଛୁଆଁ। ଆମେରିକା, ୟୁରୋପ୍‌, ଜାପାନ ଓ ଅଷ୍ଟ୍ରେଲିଆ ଭଳି ବିକଶିତ ଦେଶରେ ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ସଜନାକୁ ଦୈନନ୍ଦିନ ଜୀବନରେ ସାମିଲ କରୁଛନ୍ତି। ଆମ ଦେଶରେ ସଜନା ଛୁଇଁକୁ ବେସର କିମ୍ବା ସାମ୍ବର୍‌ରେ ପକାଇ ଖାଉଥିବା ବେଳେ ବିଦେଶରେ ଏହାର ବ୍ୟବହାର ଅତି ଆଧୁନିକ ଓ ଭିନ୍ନ ଶୈଳୀରେ କରାଯାଉଛି। ପାଶ୍ଚାତ୍ୟରେ ମଧ୍ୟ ସଜନା ସଂପର୍କରେ ଉ‌ଲ୍ଲେଖ ରହିଛି। ୭୭ ଖ୍ରୀଷ୍ଟାବ୍ଦରେ ରୋମାନ୍‌ ଲେଖକ ପ୍ଲିନି ତାଙ୍କ ବିଶ୍ୱବିଖ୍ୟାତ ପୁସ୍ତକ ‘ନ୍ୟାଚୁରାଲିସ୍‌ ହିଷ୍ଟୋରିଆ’ରେ ସଜନା ମଞ୍ଜିର ତେଲରୁ ଅତି ମୂଲ୍ୟବାନ୍‌ ଅତର ପ୍ରସ୍ତୁତ କରାଯିବା କଥା କହିଛନ୍ତି । ସେହିପରି ଲୋଏଲ୍‌ ଫୁଗ୍ଲିଙ୍କ ଲିଖିତ ‘ଦ ମିରାକଲ୍‌ ଟ୍ରି: ମୋରିଙ୍ଗା ଓଲେଇଫେରା’ ପୁସ୍ତକ ଅନୁସାରେ, ସଜନା ଆମ ପୃଥିବୀରୁ କୁପୋଷଣ ଦୂର କରିପାରିବ। ସେହିପରି ପ୍ରସିଦ୍ଧ ଗବେଷକ ଡାକ୍ତର ହାୱାର୍ଡ ଫିସର୍‌ଙ୍କ ‘ମୋରିଙ୍ଗା: ନେଚର୍ସ ଗୋଲ୍‌ଡ’ ବହିରେ ସଜନାକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ସୁପର୍‌ଫୁଡ୍‌ ଭାବେ ବର୍ଣ୍ଣନା କରାଯାଇଛି।

Leave a Reply

Your email address will not be published. Required fields are marked *