ଓଡ଼ିଶା ଉପରେ ପୁଣି ବାତ୍ୟାର ଭୟ! ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଧୀରେ ଧୀରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବା ନେଇ ଆଶଙ୍କା କରାଯାଉଛି। ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ରହିବ ‘ଅର୍ଣ୍ଣବ’। ଅକ୍ଟୋବର ୨୭ ଓ ୨୮ ତାରିଖରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ବିପଦ ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଅବପାତ ଏବଂ ପରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେଇପାରେ । ପରବର୍ତ୍ତୀ ଦୁଇ ଦିନ ଅର୍ଥାତ୍ ୨୭ ଓ ୨୮ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ଓଡ଼ିଶା-ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇପାରେ। ତେବେ ବାତ୍ୟାର ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ନେଇ ଏୂେ ଠାରି ଆକଳନ କରାଯାଇପାରିନାହିଁ ।
ପବନର ବେଗକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ପ୍ରାରମ୍ଭିକ ଆକଳନ ଅନୁସାରେ, ବାତ୍ୟା ଘନୀଭୂତ ହେବା ସହ ପବନର ବେଗ ବଢ଼ିପାରେ। ଅକ୍ଟୋବର ୨୬ ତାରିଖ ବେଳକୁ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରାଯାଇଛି। ୨୭ ଓ ୨୮ ତାରିଖରେ ମଧ୍ୟ ପାଗ ଅଧିକ ଖରାପ ହେବାର ଆଶଙ୍କା ରହିଛି। ବାତ୍ୟାର ପ୍ରଭାବରେ ବର୍ଷା ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ଅକ୍ଟୋବର ୨୬ ତାରିଖରୁ ଉତ୍ତର ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୨୭ ତାରିଖରୁ ବର୍ଷାର ପରିମାଣ ବଢ଼ିବା ସହ ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶାର ଏକାଧିକ ଜିଲ୍ଲା ପାଇଁ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି ହେବା ନେଇ ଆକଳନ କରାଯାଇଛି। ଏପଟେ ସମୁଦ୍ର ମଧ୍ୟ ଅଶାନ୍ତ ହେବାର ଆଶଙ୍କା ରହିଛି। ୨୬ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ବଡ଼ ଢେଉ ଓ ଉଚ୍ଚ ଜୁଆର ସୃଷ୍ଟି ହୋଇପାରେ । ତେଣୁ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

