ଭଣଜାଙ୍କୁ ନେଇ ଭାଇଭଉଣୀଙ୍କ ମଧ୍ୟରେ ଫାଟ! ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମ୍ପର୍କକୁ ନେଇ ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚା। ପ୍ରିୟଙ୍କାଙ୍କ ପୁଅ ରେହାନ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ରାହୁଲଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଏପରିକି ପ୍ରିୟଙ୍କା ନିଜ ପୁଅଙ୍କୁ ରାଜନୀତିରେ ଧୀରେ ଧୀରେ ଆଗକୁ ଆଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ ମଧ୍ୟ କରିଛି ଦଳ। ତେବେ ସତରେ କ’ଣ ଗାନ୍ଧୀ ପରିବାରରେ ଚାଲିଛି ମତଭେଦ? ନା ଏହା କେବଳ ରାଜନୈତିକ ଆକ୍ଷେପ? କଂଗ୍ରେସର ଦୁଇ ପ୍ରମୁଖ ଚେହେରା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ଉଭୟ ଦୀର୍ଘଦିନ ଧରି ଦଳର ରାଜନୈତିକ ଲଢ଼େଇରେ ଏକାଠି ନଜର ଆସୁଛନ୍ତି। କିନ୍ତୁ ଏବେ ପ୍ରିୟଙ୍କାଙ୍କ ପୁଅ ରେହାନ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀକୁ ନେଇ ବିବାଦ ଦୁଇ ଭାଇଭଉଣୀଙ୍କ ସମ୍ପର୍କକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବିଜେପି ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ଏହି ପ୍ରସଙ୍ଗକୁ ନେଇ ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରେ ରାଜନୈତିକ ମତଭେଦ ଥିବା ଦାବି କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପ୍ରିୟଙ୍କା ଏହି ବିବାଦକୁ ବ୍ୟବହାର କରି ନିଜ ପୁଅ ରେହାନଙ୍କୁ ସାର୍ବଜନୀନ କ୍ଷେତ୍ରରେ ଆଗକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ଏଥିସହ ରାହୁଲଙ୍କ ନୀରବତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ପ୍ରଦୀପ ଭଣ୍ଡାରୀ ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ, ରାହୁଲ ଗାନ୍ଧୀ ଅନ୍ୟ ପ୍ରସଙ୍ଗରେ ସକ୍ରିୟ ରହୁଥିବାବେଳେ ରେହାନଙ୍କ ପ୍ରଦର୍ଶନୀ ବିବାଦରେ ଖୋଲାଖୋଲି ମତ ରଖିନାହାନ୍ତି। ଏହାକୁ ଆଧାର କରି ସେ କଂଗ୍ରେସ ଭିତରେ ରାହୁଲ ବନାମ ପ୍ରିୟଙ୍କା ବୋଲି ଆକ୍ଷେପ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ରାହୁଲଙ୍କ ନୀରବତାକୁ ନେଇ ଉଠିଥିବା ପ୍ରଶ୍ନ କ’ଣ ଦୁଇ ଭାଇଭଉଣୀଙ୍କ ମଧ୍ୟରେ ମତଭେଦର ପ୍ରମାଣ? ନା ଏହା ବିଜେପିର ଏକ ରାଜନୈତିକ ଆକ୍ଷେପ? ଏହାର କୌଣସି ସ୍ପଷ୍ଟ ପ୍ରମାଣ ସାମ୍ନାକୁ ଆସିନାହିଁ । ସୂଚନା ଅନୁସାରେ ଚିତ୍ରଶିଳ୍ପୀ ଓ ଫଟୋଗ୍ରାଫର ରେହାନ ଭଦ୍ରାଙ୍କ ‘ନୋ ଆଇଡିଆ ଇଜ୍ ଫାଇନାଲ୍’ ଶୀର୍ଷକ ପ୍ରଦର୍ଶନୀକୁ ନେଇ ଏହି ବିବାଦ ଆରମ୍ଭ ହୋଇଛି । ରେହାନଙ୍କ ଅଭିଯୋଗ ଅନୁସାରେ, ଦିଲ୍ଲୀର ବିକାନେର ହାଉସ୍ ପ୍ରଶାସନ ପ୍ରଦର୍ଶନୀରୁ ସାମ୍ପ୍ରତିକ ଛାତ୍ର ଆନ୍ଦୋଳନ ସମ୍ପର୍କିତ କିଛି ଫଟୋ ହଟାଇ ଦେଇଥିଲା। ଏହାକୁ ନେଇ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଆସିଥିଲା। ପ୍ରିୟଙ୍କା ଗାନ୍ଧୀ ଏହି ପଦକ୍ଷେପକୁ ଯୁବବର୍ଗଙ୍କ ସ୍ୱରକୁ ଚାପିବାର ଏକ ପ୍ରୟାସ ବୋଲି କହିଥିଲେ। ଏହା ପରେ ଫଟୋ ହଟାଇବା ପ୍ରସଙ୍ଗ କେବଳ ଏକ ପ୍ରଦର୍ଶନୀରେ ସୀମିତ ନରହି ରାଜନୈତିକ ବିତର୍କର ରୂପ ନେଇଥିଲା। ତେବେ ରେହାନ ଭଦ୍ରାଙ୍କ ପ୍ରଦର୍ଶନୀ ବିବାଦକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ବାକ୍ଯୁଦ୍ଧ ଆଗକୁ କେଉଁ ମୋଡ଼ ନେବ, ତାହା ଦେଖିବାକୁ ବାକି ରହିଲା।

