3 Sep 2026, Thu

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି):  କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି ମୌଳିକ ସୁବିଧା ପହଞ୍ଚିପାରି ନାହିଁ। ବୁଣ୍ଡେଲ ମାଳି ପାହାଡ଼ ଓ ଜଙ୍ଗଲ ଘେରରେ ଥିବା ଏହି ଗ୍ରାମର ୧୮ଟି ପରିବାର ଅର୍ଥାତ୍ ପ୍ରାୟ ୧୫୦ ଜନସଂଖ୍ୟା ଆଜି ବି ଅନ୍ଧକାରମୟ ଜୀବନ ବିତାଉଛନ୍ତି। ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ୭ କିଲୋମିଟର ଜଙ୍ଗଲ ପାଦଚଲା ରାସ୍ତା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

ରାସ୍ତା ନଥିବା ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନଥିବାରୁ ସାମାନ୍ୟ ଜର, ରୋଗ କିମ୍ବା ଜନନୀ ଯନ୍ତ୍ରଣା ହେଲେ ଗର୍ଭବତୀଙ୍କୁ ଭାରରେ ବୋହି ଜୁନାଗଡ଼ କିମ୍ବା ଥୁଆମୂଳ ରାମପୁର ଡାକ୍ତରଖାନା ନେବାକୁ ପଡ଼ୁଛି। ଏହାଛଡ଼ା ଗ୍ରାମରେ ବିଜୁଳି, ସୁରକ୍ଷିତ ପାନୀୟ ଜଳ, ବିଦ୍ୟାଳୟ, ଅଙ୍ଗନୱାଡ଼ି ଓ ମେଡିକାଲ ସୁବିଧା ମଧ୍ୟ ନାହିଁ। ବହୁ ଲୋକଙ୍କର ଆଧାର କାର୍ଡରେ ତ୍ରୁଟି ଥିବାରୁ ସେମାନେ ସୁଭଦ୍ରା ଯୋଜନା ଓ ପିଡିଏସ ରାସନ ଚାଉଳ ଭଳି ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି। ଗ୍ରାମବାସୀ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି।

ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦେଶରୀ, MP ମାଳବିକା ଦେବୀ ଓ ଜିଲା ପ୍ରଶାସନକୁ ତୁରନ୍ତ ପକ୍କା ରାସ୍ତା ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଧ୍ରୁବ ଚରଣ ମୁଦୁଲି କହିଛନ୍ତି ଯେ, ପ୍ରଶାସନିକ ଟିମ୍ ଗ୍ରାମ ଗସ୍ତ କରିଛି। ପ୍ରଥମେ ମନରେଗା ମାଧ୍ୟମରେ ମାଟି ରାସ୍ତା କାମ ସାରି ଏହାକୁ ଗ୍ରାମ୍ୟ ନିର୍ମାଣ ବିଭାଗକୁ ହସ୍ତାନ୍ତର କରାଯିବ ଏବଂ ଗ୍ରାମରେ ବିଜୁଳି ଓ ଶିକ୍ଷା ସୁବିଧା ପାଇଁ ମଧ୍ୟ ଖୁବ୍‌ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *