20 Oct 2026, Tue

ନନ୍ଦନକାନନରେ ୫ ବିରଳ ଓରାଙ୍ଗଉଟାନ୍‌ !

କଡ଼ା ସୁରକ୍ଷା ବଳୟରେ ନନ୍ଦନକାନନ ପହଞ୍ଚିଲେ ବାଲେଶ୍ବର ଭୋଗରାଇରୁ ବିଚିତ୍ରପୁରରୁ ଠାବ ୫ଟି ବିରଳ ଓରାଙ୍ଗଉଟାନ୍ । ମଙ୍ଗଳବାର ସକାଳୁ ସକାଳୁ ବାଲେଶ୍ବର ଭୋଗରାଇର ବିଚିତ୍ରପୁରରୁ ଏହି ପାଞ୍ଚଟି ଓରାଙ୍ଗଉଟାନ ଠାବ କରାଯାଇଥିଲା । ଘଟଣା ସାମ୍ନାକୁ ଆସିବା ପରେ ବିଚିତ୍ରପୁରରେ ପହଞ୍ଚିଥିଲା ସ୍ଥାନୀୟ ପୁଲିସ। ନନ୍ଦନକାନନରୁ ଭେଟନାରୀ ଡାକ୍ତରଙ୍କ ସହ ପହଞ୍ଚିଥିଲା ସ୍ୱତନ୍ତ୍ର ଟିମ୍ । ପ୍ରଥମେ କରାଯାଇଥିଲା ଓରାଙ୍ଗ ଉଟାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା । ପରେ ସ୍ୱତନ୍ତ୍ର ଗାଡ଼ିରେ ବରଫ ରଖି ତାପମାତ୍ରା ନିୟନ୍ତ୍ରଣରେ ରଖାଯାଇ ଓରାଙ୍ଗଉଟାନଙ୍କୁ ନନ୍ଦନକାନନ ଅଣାଯାଇଛି ।

ତେବେ ଓରାଙ୍ଗଉଟାନଙ୍କୁ ନେଇ ଚୋରାଚାଲାଣ ସନ୍ଦେହରେ ଚେର ଖୋଜୁଛି ବନ ବିଭାଗର ୱାଇଲ୍ଡଲାଇଫ୍ କ୍ରାଇମ୍ ୱିଙ୍ଗ୍ । ଭାରତରେ ଯାହାର ପ୍ରାକୃତିକ ବାସସ୍ଥାନ ନାହିଁ, ସେହି ପ୍ରାଣୀ ବାଲେଶ୍ୱର ଭୋଗରାଇର ବିଚିତ୍ରପୁରରେ ପହଞ୍ଚିଲା କେମିତି? କେଉଁଠୁ ଆସିଲା ଏହି ବିରଳ ପ୍ରାଣୀ ? କିଏ ଆଣିଲା ? କେମିତି ଆସିଲା ଓଡ଼ିଶା ? ଆଉ ଏହା ପଛରେ ରହିଛି କି କୌଣସି ଅନ୍ତର୍ଜାତୀୟ ଚୋରାଚାଲାଣକାରୀଙ୍କ ଲିଙ୍କ୍‌ ? ସେ ନେଇ ଏବେ ରହସ୍ୟ ଘନେଇଛି । ଘଟଣାର ଚେର ଖୋଜିବାକୁ ତଦନ୍ତ ଆରମ୍ଭ କରିଛି ବନ ବିଭାଗର ୱାଇଲ୍ଡଲାଇଫ୍ କ୍ରାଇମ୍ ୱିଙ୍ଗ୍ ।

Leave a Reply

Your email address will not be published. Required fields are marked *