19 Oct 2026, Mon

ୟୁଏଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜିଠୁ ୫ ଦିନିଆ ୟୁଏଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୁଞ୍ଜି ଆକର୍ଷଣ ପାଇଁ ବିଭିନ୍ନ ନିବେଶକ ଓ ଶିଳ୍ପପତିଙ୍କ ସହିତ ଆଲୋଚନା କରିବେ । ଏହାସହିତ ପ୍ରବାସୀ ଓଡ଼ିଆଙ୍କୁ ସମ୍ୱୋଧନ କରି ଓଡ଼ିଶାର ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା କାର୍ଯ୍ୟକ୍ରମ ରହିଛି । ଆଜି ମୁଖ୍ୟମନ୍ତ୍ରୀ ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଯିବେ। ୯ ତାରିଖ ଅର୍ଥାତ୍ ଆସନ୍ତାକାଲି ବିଶ୍ୱସ୍ତରୀୟ କମ୍ପାନୀର ପ୍ରମୁଖ ନେତୃତ୍ୱ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ। କାଲି ସନ୍ଧ୍ୟାରେ ଦୁବାଇରେ ୱାନ ଡିଷ୍ଟ୍ରିକ ୱାନ ପ୍ରଡକ୍ଟ କାର୍ଯ୍ୟକ୍ରମ ଅଧିନରେ ଓଡ଼ିଶାରେ ଉତ୍ପାଦିତ ବିଭିନ୍ନ ଦ୍ରବ୍ୟର ଏକ ପ୍ରଦର୍ଶନୀ ଉଦଘାଟନ କରିବେ ।

୧୦ ତାରିଖ ଦିନ UAE ର ଅର୍ଥନୀତି ତଥା ପର୍ଯ୍ୟଟନ ମନ୍ତ୍ରୀ ଓ କାଉନ୍‌ସିଲ ଅଫ୍ ଇଣ୍ଟରନ୍ୟାସନାଲ ଇନ୍‌ଭେଷ୍ଟମେଣ୍ଟସର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ଏହାସହ ଶିଳ୍ପପତି, ପୁଞ୍ଜିନିବେଶକଙ୍କ ସହ ଆଲୋଚନା କରିବେ। ୧୧ ତାରିଖ ଦିନ ଦୁବାଇରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟରେ ଉଦ୍ୟୋଗପତି ଓ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବ୍ୟାପକ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ। ଏହାସହ ପ୍ରବାସୀ ଓଡ଼ିଆମାନଙ୍କ ସହ ମତ ବିନିମୟ ବି କରିବେ। ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି ଆସିବେ। ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଜି ୟୁଏଇ ଗସ୍ତ କରିବେ।

Leave a Reply

Your email address will not be published. Required fields are marked *