ଦେଶରେ ରାଜନୀତିରେ ବଡ ପରିବର୍ତ୍ତନର ଆଭାସ ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇସାରିଥିବା ବେଳେ ସବୁ ବୈଠକ ପରସ୍ପର ପ୍ରତି ଆରୋପ ପ୍ରତ୍ୟାରୋପ ଆରମ୍ଭ କରିଦେଇଛନ୍ତି ଦେଶର ପ୍ରମୁଖ ନେତା । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମରେ ବ୍ୟଙ୍ଗ କରାଯିବା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଇନ୍ଦୋରରେ ଆୟୋଜିତ ”ଛାତ୍ରୋଁ କି ଗୁଞ୍ଜ” କାର୍ଯ୍ୟକ୍ରମରେ ରାୟବରେଲି ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଜଣେ ବୃଦ୍ଧାଙ୍କ ସହ ଆଲୋଚନା କରୁଥିବା ଶୈଳୀକୁ ନକଲ କରାଯାଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବିଜେପି ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛି। ଭିଡିଓରେ ଷ୍ଟାଣ୍ଡଅପ୍ କମେଡିଆନ୍ ପୁଲକିତ୍ ମଣି ପ୍ରଧାନମନ୍ତ୍ରୀଙ୍କ କଥାବାର୍ତ୍ତା, ବୈଦେଶିକ ନୀତି ଏବଂ ବୃଦ୍ଧାଙ୍କ ସହ ବାର୍ତ୍ତାଳାପକୁ ନେଇ ମିମିକ୍ରି କରୁଥିବା ବେଳେ ରାହୁଲ ଗାନ୍ଧୀ ହସୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ବିଜେପି ନିଜର ଅଫିସିଆଲ୍ ”ଏକ୍ସ” ହ୍ୟାଣ୍ଡେଲରେ ଲେଖିଛି ଯେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବୃଦ୍ଧା ମା”ଙ୍କୁ ସମ୍ମାନ ଓ ସ୍ନେହ ଦେଉଥିବା ବେଳେ ଅନ୍ୟପଟେ ରାହୁଲ ଗାନ୍ଧୀ ନିଜ କାର୍ଯ୍ୟକ୍ରମରେ ତାଙ୍କୁ ଉପହାସ କରୁଛନ୍ତି। ଏହା ମୂଲ୍ୟବୋଧର ରାଜନୀତି ଏବଂ ଦେଖାଣିଆ ରାଜନୀତି ମଧ୍ୟରେ ଥିବା ଫରକକୁ ଦର୍ଶାଉଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏବଂ ବିଜେପି ପ୍ରବକ୍ତା ସି.ଆର୍. କେଶବନଙ୍କ ସମେତ ବହୁ ବରିଷ୍ଠ ନେତା ଏହାକୁ ନିନ୍ଦା କରିଛନ୍ତି। କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ନୈତିକତାର ନିମ୍ନ ସ୍ତରକୁ ଖସିଯାଇଛନ୍ତି ଏବଂ ମା”ଙ୍କୁ ନେଇ ଏଭଳି ଅପମାନଜନକ ମନ୍ତବ୍ୟ ଶୋଭାପାଏ ନାହିଁ ବୋଲି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି।

