ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତରେ ପରିଣତ ହେବା ଦିଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଏହି ପ୍ରଣାଳୀ ଆଗକୁ ବଢ଼ି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ। ତେବେ ଏହି ବାତ୍ୟାର ନାମ ‘Arnab’ ରଖାଯାଇଛି । ବାତ୍ୟ ‘Arnab’ ନାମର ଅର୍ଥ କ’ଣ? ‘Arnab’ ବା ‘ଅର୍ଣ୍ଣବ’ର ଅର୍ଥ ହେଉଛି ‘ସମୁଦ୍ର’ ବା ‘ବିଶାଳ ଜଳରାଶି’ । ଏହି ନାମ ବାଂଲାଦେଶ ପକ୍ଷରୁ ଉତ୍ତର ଭାରତ ମହାସାଗର ପାଇଁ ଥିବା ଘୂର୍ଣ୍ଣିବାତ୍ୟା ନାମ ତାଲିକାରେ ପ୍ରସ୍ତାବିତ ହୋଇଛି । ବିଶ୍ୱ ପାଣିପାଗ ସଂଗଠନର ଅଧିକାରିକ ତାଲିକାରେ ‘Arnab’ ବାଂଲାଦେଶର ଦିଆଯାଇଥିବା ନାମ ଭାବେ ରହିଛି। ଶବ୍ଦଟି ବାଂଲାଦେଶ ଦେଇଥିବା ବାତ୍ୟା ନାମ, କିନ୍ତୁ ଏହାର ମୂଳ ଶବ୍ଦ ସଂସ୍କୃତର ‘ଅର୍ଣ୍ଣବ ’। ବଙ୍ଗଳାରେ ଏହା Ornob ଭାବେ ବ୍ୟବହୃତ ହୁଏ ଏବଂ ଅର୍ଥ ‘ସମୁଦ୍ର’ ବା ‘ସାଗର’ । କେଉଁଠି ରହିଛି ସିଷ୍ଟମ୍ ? ସେପ୍ଟେମ୍ବର ୨୨ ସକାଳ ୮ଟା ୩୦ ସୁଦ୍ଧା ଅବପାତଟି ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ନିକଟରେ ରହିଥିଲା। ଏହା ପୁରୀଠାରୁ ପ୍ରାୟ ୨୧୦ କିମି ଦକ୍ଷିଣରେ ଏବଂ ଗୋପାଳପୁରଠାରୁ ପ୍ରାୟ ୨୦୦ କିମି ଦକ୍ଷିଣ-ପୂର୍ବରେ ଥିଲା। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଥିବା IMD କହିଛି । କେବେ ଉପକୂଳ ଅତିକ୍ରମ କରିପାରେ? ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ସିଷ୍ଟମ୍ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ସେପ୍ଟେମ୍ବର ୨୩ ରାତିରୁ ୨୪ ତାରିଖ ସକାଳ ମଧ୍ୟରେ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।

