20 Oct 2026, Tue

ମା’ ଦୁର୍ଗାଙ୍କ ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ !

ଶରତଋତୁ ଆଉ କାଶତଣ୍ଡି ଫୁଲ ତାର ମହକରେ ଜଣାଇଦିଏ ଯେ ଆସୁଛନ୍ତି ମାଆ । ପାର୍ବଣ ଆରମ୍ଭରୁ ହିଁ ଉତ୍ସବ ମୁଖର ହୋଇ ଉଠେ ଗାଁ ଠୁ ସହର । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରକାରରେ ହୁଏ ମାଆଙ୍କ ସ୍ବାଗତ । ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ଚଳଚଞ୍ଚଳ ହୋଇଉଠିଛି ସାରା ପୃଥିବୀ। ଲାଗେ ପ୍ରକୃତି ଯେପରି ମା’ଙ୍କ ଆଗମନ ପାଇଁ ନିଜକୁ ସଜେଇ ହେଉଛି । ବିଭିନ୍ନ ପୂଜାମଣ୍ଡପରେ ଚାଲିଛି ସାଜସଜ୍ଜା କାମ। କେଉଁଠି ତୋରଣ ନିର୍ମାଣ ଚାଲିଛି ତ କେଉଁଠି ଆଲୋକମାଳାରେ ଝଲସିବାକୁ ପ୍ରସ୍ତୁତ ହେଉଛି ପୂଜାମଣ୍ଡପ। ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ଶିଳ୍ପୀ। ମା’ ଦୁର୍ଗାଙ୍କ ଆଗମନକୁ ନେଇ ଛୋଟଠାରୁ ବଡ଼ ସମସ୍ତଙ୍କ ମନରେ ଉତ୍ସାହ। ନୂଆ ପୋଷାକ କିଣାଠାରୁ ଆରମ୍ଭ କରି ଘର ସଫାସୁତରା ଓ ସାଜସଜ୍ଜା ପର୍ଯ୍ୟନ୍ତ ଚାଲିଛି ପ୍ରସ୍ତୁତି। ପୂଜା ଦିନଗୁଡ଼ିକରେ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ମଣ୍ଡପ ବୁଲିବା, ମା’ଙ୍କ ଦର୍ଶନ କରିବା ଏବଂ ମେଳାର ମଜା ନେବା ପାଇଁ ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। କେବଳ ଧାର୍ମିକ ଆସ୍ଥା ନୁହେଁ, ଦୁର୍ଗାପୂଜା ଆମ ସଂସ୍କୃତି ଓ ପରମ୍ପରାର ମଧ୍ୟ ଏକ ଅବିଚ୍ଛେଦ୍ୟ ଅଂଶ। ପୂଜାମଣ୍ଡପରେ ମନ୍ତ୍ରଧ୍ୱନି, ଢୋଲ ଓ ଘଣ୍ଟଘଣ୍ଟାର ଶବ୍ଦ ପରିବେଶକୁ ଭକ୍ତିମୟ କରିଥାଏ। ବିଭିନ୍ନ ସ୍ଥାନରେ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଳା ଆୟୋଜନ ହେବାରୁ ପୂଜାର ଉତ୍ସାହ ଆହୁରି ବଢ଼ିଥାଏ। ଶରତ ଋତୁର ଆଗମନ ସହ ଯେପରି ପ୍ରକୃତି ନୂଆ ରୂପରେ ସଜେଇ ହୋଇଛି, ସେହିପରି ମା’ଙ୍କ ସ୍ୱାଗତ ପାଇଁ ସଜେଇ ହେଉଛି ବସୁଧା। ଭକ୍ତଙ୍କ ମନରେ ଭକ୍ତି ଓ ଉତ୍ସାହ, ଚାରିଆଡ଼େ ପୂଜାର ପ୍ରସ୍ତୁତି ସବୁକିଛି ମିଶି ସୃଷ୍ଟି କରିଛି ଏକ ମନୋରମ ପରିବେଶ। ଏବେ ଅପେକ୍ଷା କେବଳ ସେହି ଶୁଭ ମୁହୂର୍ତ୍ତକୁ, ଯେବେ ଧରାପୃଷ୍ଠକୁ ବିଜେ କରିବେ ମା’ ଦୁର୍ଗା ।

Leave a Reply

Your email address will not be published. Required fields are marked *