କେବେ ହେବ ମହାନଦୀ ଜଳ ବିବାଦର ସମାଧାନ । ମହାନଦୀରେ ପାଣି ନ ଆସିଲେ ଓଡିଶାରେ ମରୁଡି ଆଉ ପାଣି ଆସିଲେ ଓଡିଶାରେ ବନ୍ୟା । ତେବେ ଏହାର ବିକଳ୍ପ ପାଇଁ ବାଟ ଖୋଜୁଛି ରାଜ୍ୟ । ଅନେକ ଦିନ ଧରି ମହାନଦୀର ଜଳର ବ୍ୟବହାର ଓ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି। ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଏବଂ ଟ୍ରିବୁନାଲ୍ ମଧ୍ୟ ଗଠନ କରାଯାଇଛି । ଉଭୟ ରାଜ୍ୟର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ସମାଧାନର ଆଶା ମଧ୍ୟ ସ୍ପଷ୍ଟଦେଖାଯାଉନଥିଲା। ବର୍ତ୍ତମାନ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହସ୍ତକ୍ଷେପ କରିଛନ୍ତି । ନୂଆଦିଲ୍ଲୀ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଉପସ୍ଥିତ ଥିଲେ। ବୈଠକ ପରେ, ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଖୁବ୍ ସୌହର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ସକାରାତ୍ମକ ହୋଇଛି। ମହାନଦୀ ଆମର ଜୀବନ ରେଖା । ଓଡ଼ିଶାର କୋଟି କୋଟି ଲୋକଙ୍କ ଜୀବନଜୀବିକାର ପନ୍ଥା ହେଉଛି ମହାନଦୀ । ଜଳସେଚନ, ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍ ଉତ୍ପାଦନ, ପାନୀୟ ଜଳ ଯୋଗାଣ, ପର୍ଯ୍ୟାବରଣ ଆଦି ଅନେକ ବିଷୟରେ ସେ ବୈଠକରେ ଉପସ୍ଥାପନ କରିଛନ୍ତି । ଓଡ଼ିଶାକୁ କିପରି ପର୍ଯ୍ୟାପ୍ତ ପରିମାଣରେ ଜଳ ଉପଲବ୍ଧ ହେବ, ବୈଠକରେ ସେ ଗୁରୁତ୍ୱ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଧିରେ ଧିରେ ସମାଧାନର ନିକଟତର ହେଉଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ, ଡବଲ ଇଞ୍ଜିନ ସରକାରରେ ଦେଶ ଓ ରାଜ୍ୟର ବିକାଶ ଯେପରି ତ୍ୱରାନ୍ୱିତ ହେଉଛି, ରାଜ୍ୟ ମାନଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ମଧ୍ୟ ପଥ ଉନ୍ମୁକ୍ତ ହେଉଛି । ଏହି ସମାଧାନ ବାକି ସବୁ ରାଜ୍ୟମାନଙ୍କ ପାଇଁ ଏକ ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଏଥିପାଇଁ ହୋଇଥିବା ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ୨୦୨୫ ଜୁଲାଇ-ଅଗଷ୍ଟରେ ଆମ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ମଧ୍ୟରେ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ସଚିବ ସ୍ତରରେ ଅନେକ ବୈଠକ ହୋଇଯାଇଛି। ଗତ ଜୁଲାଇ ମାସରେ ଜଳ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା । ଜୁଲାଇ ମାସର ବୈଠକର ନିଷ୍ପତ୍ତି ଅନୁଯାୟୀ ଉଭୟ ରାଜ୍ୟର ଆବଶ୍ୟକତା ସମ୍ପର୍କରେ ସେଣ୍ଟ୍ରାଲ୍ ୱାଟର୍ କମିଶନ୍ଙ୍କୁ ବିଭିନ୍ନ ପ୍ରସଙ୍ଗ, ତଥ୍ୟ ଓ ସୂଚନା ପ୍ରଦାନ କରାଯାଉଛି । ତିନି ମାସ ମଧ୍ୟରେ ସମାଧାନର ପନ୍ଥା ବାହାର କରିବା ପାଇଁ ସେହି ବୈଠକରେ ଆପାତତଃ ସ୍ଥିର ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

