ଆଖି ଡେଇଁବା ସତରେ ଅଶୁଭର ସଙ୍କେତ କି ? ଆଖି ଡେଇଁବାକୁ ଭବିଷ୍ୟତରେ ଘଟିବାକୁ ଥିବା କୌଣସି ଅଶୁଭ ଘଟଣାର ସଙ୍କେତ ବୋଲି ମେଡିକାଲ୍ ସାଇନ୍ସ ମାନେ ନାହିଁ। ଡାହାଣ କିମ୍ବା ବାମ ଆଖି ଡେଇଁବା ଏକ ସାଧାରଣ ମାଂସପେଶୀ ସମ୍ବନ୍ଧୀୟ ସମସ୍ୟା ହୋଇପାରେ। NHS ଅନୁସାରେ, ମାଂସପେଶୀରେ ହଠାତ୍ ଟାଣ ହେବା କିମ୍ବା ଡେଇଁବା ସାଧାରଣ ଘଟଣା। ଅଧିକାଂଶ ସମୟରେ ଏହା କୌଣସି ଗମ୍ଭୀର ରୋଗର ସଙ୍କେତ ନୁହେଁ ଏବଂ ନିଜେ ନିଜେ ଠିକ୍ ହୋଇଯାଏ। ଆପଣଙ୍କ ଆଖି ହଠାତ୍ ଡେଇଁବାକୁ ଲାଗୁଛି କି? କାମ କରୁଥିବା ସମୟରେ, ମୋବାଇଲ୍ ଦେଖୁଥିବା ବେଳେ କିମ୍ବା ଆରାମ କରୁଥିବା ସମୟରେ ହଠାତ୍ ଆଖି ଡେଇଁବା ଅନେକଙ୍କ ପାଇଁ ସାଧାରଣ ଅନୁଭୂତି । ଥରେ ଦୁଇଥର ହେଲେ ଲୋକେ ଏହାକୁ ଅଣଦେଖା କରିଦିଅନ୍ତି। କିନ୍ତୁ ଯେତେବେଳେ ଆଖି ବାରମ୍ବାର ଡେଇଁବାକୁ ଲାଗେ, ସେତେବେଳେ ଅନେକଙ୍କ ମନରେ ଭୟ ସୃଷ୍ଟି ହୁଏ। ବିଶେଷକରି ଡାହାଣ ଆଖି କିମ୍ବା ବାମ ଆଖି ଡେଇଁବାକୁ ନେଇ ସମାଜରେ ଅନେକ ଶୁଭ-ଅଶୁଭ ଧାରଣା ରହିଛି। କେହି ଏହାକୁ ଭଲ ଖବରର ସଙ୍କେତ ବୋଲି ଭାବନ୍ତି, ତ ଆଉ କେହି କୌଣସି ଅଘଟଣ ଘଟିବାର ଆଶଙ୍କା କରନ୍ତି । ଏହି ଭୟରେ ଅନେକ ଲୋକ ଅଯଥା ଚିନ୍ତା ମଧ୍ୟ କରନ୍ତି । ତେବେ ଆଖି ଡେଇଁବା ପଛରେ ଅନେକ କାରଣ ରହିପାରେ। NHS ଅନୁସାରେ, ଏହାର ପ୍ରମୁଖ କାରଣଗୁଡ଼ିକ ହେଲା-ଷ୍ଟ୍ରେସ୍ ଓ ଏଙ୍ଗଜାଇଟି: ଅଧିକ ଚିନ୍ତା, ମାନସିକ ଚାପ ଓ ଏଙ୍ଗଜାଇଟି ଯୋଗୁଁ ମାଂସପେଶୀ ଡେଇଁବା ଭଳି ସମସ୍ୟା ହୋଇପାରେ। ଥକ୍କାପଣ: ଅଧିକ କାମ କରିବା, ପର୍ଯ୍ୟାପ୍ତ ନଶୋଇବା କିମ୍ବା ଶରୀରକୁ ଆବଶ୍ୟକ ବିଶ୍ରାମ ନଦେବା ମଧ୍ୟ ଏହାର ଏକ କାରଣ ହୋଇପାରେ। ଅଧିକ କ୍ୟାଫିନ୍ କିମ୍ବା ମଦ୍ୟପାନ: ଅତ୍ୟଧିକ କ୍ୟାଫିନ୍ କିମ୍ବା ମଦ୍ୟପାନ ମଧ୍ୟ ମାଂସପେଶୀ ଡେଇଁବା ସହ ଜଡ଼ିତ ହୋଇପାରେ। କେତେକ ଔଷଧର ପାର୍ଶ୍ୱପ୍ରତିକ୍ରିୟା ଭାବେ ମାଂସପେଶୀ ଡେଇଁବା ହୋଇପାରେ। ତେଣୁ ନିୟମିତ ଔଷଧ ଖାଉଥିଲେ ତାହାର ପ୍ୟାକେଟ୍ କିମ୍ବା ଲିଫ୍ଲେଟ୍ରେ ଥିବା ସାଇଡ୍ ଇଫେକ୍ଟ ଦେଖିବା ଉଚିତ। NHS ଅନୁସାରେ, ଶରୀରର ଯେକୌଣସି ସ୍ଥାନରେ ମାଂସପେଶୀ ଡେଇଁପାରେ। ତେବେ ଆଖି ଏବଂ ଗୋଡ଼ରେ ଏହା ଅଧିକ ଦେଖାଯାଏ। ସାଧାରଣତଃ ଆଖି ଡେଇଁବା କିଛି ଦିନ କିମ୍ବା କିଛି ସପ୍ତାହ ମଧ୍ୟରେ ନିଜେ ନିଜେ ଠିକ୍ ହୋଇପାରେ। ଏଥିପାଇଁ ସବୁବେଳେ ଔଷଧ କିମ୍ବା ବିଶେଷ ଚିକିତ୍ସାର ଆବଶ୍ୟକତା ହୁଏନାହିଁ । ଏହାକୁ କମାଇବା ପାଇଁ କିଛି ସରଳ ଉପାୟ ଆପଣେଇ ପାରିବେ- ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ, ଷ୍ଟ୍ରେସ୍ ଓ ଚିନ୍ତା କମାଇବାକୁ ଚେଷ୍ଟା କରନ୍ତୁ, ଅଧିକ କ୍ୟାଫିନ୍ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ ଓ ଡେଇଁବା ସହ ମାଂସପେଶୀରେ ଟାଣ ଥିଲେ ହାଲୁକା ଷ୍ଟ୍ରେଚିଂ ଓ ମାଲିସ୍ କରିପାରିବେ। ଆଖି ଡେଇଁବାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ। କାରଣ ଷ୍ଟ୍ରେସ୍ ଓ ଚିନ୍ତା ଏହି ସମସ୍ୟାକୁ ଆହୁରି ବଢ଼ାଇପାରେ। ଅଧିକାଂଶ ସମୟରେ ଆଖି ଡେଇଁବା ଚିନ୍ତାର କାରଣ ନୁହେଁ। କିନ୍ତୁ ଯଦି ଏହି ସମସ୍ୟା ୨ ସପ୍ତାହରୁ ଅଧିକ ସମୟ ଧରି ରହୁଛି, ବାରମ୍ବାର ହେଉଛି କିମ୍ବା ଆପଣ ଏଥିପାଇଁ ଚିନ୍ତିତ ଅଛନ୍ତି, ତେବେ ଡାକ୍ତରଙ୍କ ପରାମର୍ଶ ନେବା ଭଲ। ତେଣୁ ଆଖି ଡେଇଁଲେ ତୁରନ୍ତ ଏହାକୁ ଶୁଭ-ଅଶୁଭ ସହ ଯୋଡ଼ି ଭୟଭୀତ ହେବା ଦରକାର ନାହିଁ। ଏହା ପଛରେ ଥକ୍କାପଣ, ଷ୍ଟ୍ରେସ୍, ଅଧିକ କ୍ୟାଫିନ୍ ସେବନ ଭଳି ସାଧାରଣ କାରଣ ଥାଇପାରେ। ତେବେ ସମସ୍ୟା ଦୀର୍ଘ ସମୟ ଧରି ରହିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

