ରାଜଧାନୀ ଭୁବନେଶ୍ବରରେ ମିଳୁଛି ୟୁରୋପ ଭଳି ଅନୁଭବ। ଆଉ ମାଆ ଦୂର୍ଗାଙ୍କ ଏ ଭବ୍ୟ ମଣ୍ଡପ ଦର୍ଶନ ପାଇଁ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରତିବର୍ଷ ନିଜର ଅନନ୍ୟ ପେଣ୍ଡାଲ ପାଇଁ ପ୍ରସିଦ୍ଧ ଥିବା ରସୁଲଗଡ଼ ପୂଜା ମଣ୍ଡପର ଏବର୍ଷର ଥିମ୍ ରହିଛି ରୋମ୍ର ଭାଟିକାନ୍ ସିଟି। ୧୨୫ ଫୁଟ୍ ଚଉଡ଼ା, ୮୦ ଫୁଟ୍ ଉଚ୍ଚତାର ଏକ ବିଶାଳ ତୋରଣରେ ଝଲସୁଛି ୟୁରୋପର ଐତିହାସିକ ସ୍ଥାପତ୍ୟ। କୋଲକାତାରୁ ଆସିଥିବା ପ୍ରାୟ ୩୦ରୁ ୪୦ ଜଣ କାରିଗର ଦୁଇ ମାସ ଧରି ଏହାକୁ ତିଆରି କରିଛନ୍ତି। ବାଉଁଶ, ଫୋମ୍, ଫାଇବର୍, ପ୍ଲାଏଉଡ୍ ଓ ସନ୍ପ୍ୟାକ୍ ଭଳି ସାମଗ୍ରୀରେ ତିଆରି ଏ ତୋରଣ ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୨୦ ଲକ୍ଷ ଟଙ୍କା। ଭଟିକାନ ସିଟିର ଏହି ତୋରଣରେ ଫୋମ୍ରେ ସୂକ୍ଷ୍ମ କାରୁକାର୍ଯ୍ୟ ହୋଇଛି। ପେଣ୍ଢାଲ ଭିତକୁ ଶ୍ରୀକୃଷ୍ଣଙ୍କ ଜନ୍ମ ଲୀଳା, ବିଶ୍ବ ଅବତାର ଓ ଜଗନ୍ନାଥଙ୍କ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ଦ୍ୱାରା ସଜାଯାଇଛି। ସେହିପରି ଜିଗ୍ ମିଗେ ମେଢ଼ରେ ଚାନ୍ଦି ମୁକୁଟ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଦୂର୍ଗା। ଏହାସହ ପୂଜା କମିଟି ତରଫରୁ ମୀନାବଜାର, ଦୋଳି ଓ ଖାଦ୍ୟ ଷ୍ଟଲ୍ ମଧ୍ୟ ଆସୁଥିବା ଦର୍ଶକଙ୍କୁ ଆକର୍ଷିତ କରୁଛି। ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ସିସିଟିଭି ସହ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ପୂର୍ବରୁ ଲଣ୍ଡନର ରୟାଲ୍ ଆଲବର୍ଟ ହଲ୍, ଦିଲ୍ଲୀର ଅକ୍ଷରଧାମ ଓ ତାଇୱାନ୍ର ବୁଦ୍ଧ ମନ୍ଦିର ଭଳି ଥିମ୍ ଉପସ୍ଥାପନ କରିଥିବା ରସୁଲଗଡ଼ ପୂଜା କମିଟି ଏଥର ପୁଣି ନିଜ କଳାକୃତିରେ ଦର୍ଶକଙ୍କ ମନ ଜିଣୁଛି। ଆଉ ଚଳିତ ବର୍ଷ ରାଜଧାନୀ ଦୁର୍ଗା ପୂଜାର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଛି ।

