ବଲିଉଡ୍ରେ ଗ୍ୟାଙ୍ଗଷ୍ଟର ଭୟ ! ଟାଇଗର ଶ୍ରଫ୍ଙ୍କ ଗାଡ଼ି ଉପରେ ଗୁଳିମାଡ଼ ଘଟଣାର ତଦନ୍ତକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଦାବି । ରିପୋର୍ଟ ଅନୁସାରେ, ଅମିତାଭ ବଚ୍ଚନ, ଆମିର ଖାନ, ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ଭଳି ବଡ଼ ବଲିଉଡ୍ ତାରକାଙ୍କ ଉପରେ ନଜର ରଖାଯାଇଥିବା ସନ୍ଦେହ କରାଯାଉଛି। ଏପରିକି ସଲମାନ ଖାନ ପ୍ରଥମ ଟାର୍ଗେଟ୍ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ମୁମ୍ବାଇରେ ଅକ୍ଟୋବର ୧୮ ତାରିଖରେ ଅଭିନେତା ଟାଇଗର ଶ୍ରଫ୍ଙ୍କ ଗାଡ଼ି ଉପରେ ଗୁଳିମାଡ଼ ଘଟଣା ପରେ ବଲିଉଡ୍ରେ ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା। ଏହି ଘଟଣାରେ ଟାଇଗର ସୁରକ୍ଷିତ ଥିବା ରିପୋର୍ଟ ଆସିଥିବା ବେଳେ, ତାଙ୍କ ଗାଡ଼ିର ଚାଳକଙ୍କ ସମେତ ଅନ୍ୟ ଲୋକ ଆହତ ହୋଇଥିବା ଖବର ମିଳିଥିଲା। ଘଟଣାର ତଦନ୍ତ କରୁଛି ମୁମ୍ବାଇ ପୋଲିସ। ତେବେ ତଦନ୍ତ ଆଗକୁ ବଢ଼ିବା ସହ ସାମ୍ନାକୁ ଆସିଛି ଆଉ ଏକ ବଡ଼ ତଥ୍ୟ। ଗଣମାଧ୍ୟମରେ ପ୍ରକାଶିତ ପୋଲିସ ସୂତ୍ରର ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନେ ଅମିତାଭ ବଚ୍ଚନ, ଆମିର ଖାନ, ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ବାସଭବନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିବା ସନ୍ଦେହ କରାଯାଉଛି । ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନଙ୍କ ପ୍ରଥମ ଟାର୍ଗେଟ୍ ସଲମାନ ଖାନ ଥିବା କୁହାଯାଉଛି। ତାଙ୍କ ମୁମ୍ବାଇସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଦେଖି ଯୋଜନା ବଦଳାଯାଇଥିବା ନେଇ ପୋଲିସ ସୂତ୍ରରୁ ଦାବି କରାଯାଇଛି। ଏହା ପରେ ଟାଇଗର ଶ୍ରଫ୍ଙ୍କୁ ଟାର୍ଗେଟ୍ କରାଯାଇଥିବା ସନ୍ଦେହ ରହିଛି । ଏହି ଘଟଣା ପରେ ସଲମାନ ଖାନଙ୍କ ସମେତ ଅନ୍ୟ କିଛି ସେଲିବ୍ରିଟିଙ୍କ ବାସଭବନ ନିକଟରେ ସୁରକ୍ଷା ବଢ଼ାଯାଇଥିବା ରିପୋର୍ଟ ଆସିଛି । ଆମିର ଖାନଙ୍କ ଘର ନିକଟରେ ମଧ୍ୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଖବର ପ୍ରକାଶ ପାଇଛି।

