21 Oct 2026, Wed

ଡରାଇଲାଣି ଲଘୁଚାପ, ଟଳିନି ବାତ୍ୟା ଭୟ !

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବ ଲଘୁଚାପ ! ଆସନ୍ତା ୨୩ ତାରିଖ ଆଖପାଖରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଥାଇଲ୍ୟାଣ୍ଡ ଓ ମିଆଁମାର ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଆକଳନ କରାଯାଇନାହିଁ । ଅନ୍ୟପଟେ ରାଜ୍ୟର କିଛି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଏବଂ ପବନ ପାଇଁ ସତର୍କତା ଜାରି ହୋଇଛି । ପୁଣି ପାଣିପାଗରେ ଆସିପାରେ ପରିବର୍ତ୍ତନ। ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ଦେଖାଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଥାଇଲ୍ୟାଣ୍ଡ ଉପସାଗର ଏବଂ ଥାଇଲ୍ୟାଣ୍ଡ ଓ ମିଆଁମାରର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ଅକ୍ଟୋବର ୨୧ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ପ୍ରବେଶ କରିପାରେ। ଏହା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଅକ୍ଟୋବର ୨୩ ତାରିଖ ଆଖପାଖରେ ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପରେ ଲଘୁଚାପଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ଏହାର ଗତିପଥ, ତୀବ୍ରତା ଏବଂ ଓଡ଼ିଶା ଉପରେ ପ୍ରଭାବ କେତେ ରହିବ, ତାହା ପରବର୍ତ୍ତୀ ପାଣିପାଗ ଆକଳନରୁ ସ୍ପଷ୍ଟ ହେବ। ଅନ୍ୟପଟେ, ଆଗାମୀ ୨୪ ଘଣ୍ଟା ପାଇଁ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ନେଇ ପାଣିପାଗ ବିଭାଗ ସତର୍କ କରିଛି। ଏହି ଦୁଇ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଅକ୍ଟୋବର ୨୧ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ। ପାଣିପାଗ ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। କିନ୍ତୁ ଅକ୍ଟୋବର ୨୭ ତାରିଖରେ କିଛି ଜିଲ୍ଲାରେ ବର୍ଷା ହେବାର ଆକଳନ ରହିଛି। ତେଣୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ନୂଆ ଲଘୁଚାପ ଉପରେ ଏବେ ପାଣିପାଗ ବିଭାଗର ନଜର ରହିଛି। ଲଘୁଚାପର ପ୍ରଭାବ ନେଇ ଆଗାମୀ ଦିନରେ ମିଳିବାକୁ ଥିବା ନୂଆ ସୂଚନା ଉପରେ ଓଡ଼ିଶାର ପାଣିପାଗ ନିର୍ଭର କରିବ। ତେଣୁ ଲୋକମାନେ ପାଣିପାଗ ବିଭାଗର ଅପଡେଟ୍ ଉପରେ ନଜର ରଖିବା ସହ ବଜ୍ରପାତ ସମୟରେ ସତର୍କ ରହିବା ଜରୁରୀ।

Leave a Reply

Your email address will not be published. Required fields are marked *