ସିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡି ନେତାଙ୍କ ବିଚାର ବିଭ୍ରାଟ ହୋଇଥିବା ଅଭିଯୋଗ କରିବା ସହ, ଦଳ ନିଜର ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି କହିଛନ୍ତି ମନମୋହନ । ଦେଶର ସ୍ୱାର୍ଥ ନା ରାଜନୈତିକ ସ୍ୱାର୍ଥ, କେଉଁଥିକୁ ଗୁରୁତ୍ୱ ଦେଉଛନ୍ତି ନେତା? ଏହାକୁ ନେଇ ଏବେ ରାଜନୀତି ସରଗରମ । ସିଜେପିକୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ପ୍ରସଙ୍ଗ । ଆଉ ଏହାକୁ ନେଇ ବିଜେଡିକୁ ଘେରିଛି ବିଜେପି । ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ବିଜେଡିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ମତରେ, ବିଜେଡି ନେତାମାନେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ମତ ରଖୁଛନ୍ତି । ତେଣୁ ଦଳ ନିଜର ରାଜନୈତିକ ଆଭିମୁଖ୍ୟକୁ ସ୍ପଷ୍ଟ କରିବା ଦରକାର । ପୂର୍ବରୁ ବିଜେଡି ସମଦୂରତା ନୀତି କଥା କହୁଥିଲା । ଅର୍ଥାତ୍ ବିଜେପି ଓ କଂଗ୍ରେସଠାରୁ ସମାନ ଦୂରତା ବଜାୟ ରଖିବା କଥା କହୁଥିଲା ଦଳ । ହେଲେ ଏବେ କେଉଁ ଆଭିମୁଖ୍ୟ ଆପଣାଉଛି ବିଜେଡି? କାହା ସହ ରହିବାକୁ ଚାହୁଁଛି ଦଳ? ଏହାର ସ୍ପଷ୍ଟ ଉତ୍ତର ରଖିବା ଦରକାର ବୋଲି କହିଛନ୍ତି ମନମୋହନ ସାମଲ । କେବଳ ରାଜନୈତିକ ଆଭିମୁଖ୍ୟ ନୁହେଁ, ଦେଶର ସୁରକ୍ଷା ଓ ଜାତୀୟ ସ୍ୱାର୍ଥକୁ ନେଇ ମଧ୍ୟ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ମନମୋହନ । ତାଙ୍କ କହିବା ଅନୁସାରେ, ଦେଶର ସ୍ୱାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳ ଦାୟିତ୍ୱବାନ ଆଭିମୁଖ୍ୟ ରଖିବା ଉଚିତ । ଚୀନ୍ ଓ ପାକିସ୍ତାନ ସପକ୍ଷରେ ମତ ରଖୁଥିବା ଶକ୍ତିଙ୍କୁ ସମର୍ଥନ କରିବା ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି । ଏଥିସହ ୧୯୬୫ ଓ ୧୯୭୧ ମସିହାର ଯୁଦ୍ଧଠାରୁ ଆରମ୍ଭ କରି ଏୟାର ଷ୍ଟ୍ରାଇକ୍ ଓ ସର୍ଜିକାଲ ଷ୍ଟ୍ରାଇକ୍ ପର୍ଯ୍ୟନ୍ତ ଦେଶର ସୁରକ୍ଷା ପ୍ରସଙ୍ଗରେ ଦେଶବାସୀ ଏକାଠି ହୋଇଥିବା କଥା ମନେ ପକାଇଛନ୍ତି ବିଜେପି ରାଜ୍ୟ ସଭାପତି । ଦେଶର ସ୍ୱାର୍ଥକୁ ସବୁବେଳେ ପ୍ରାଥମିକତା ଦିଆଯିବା ଦରକାର ବୋଲି ସେ କହିଛନ୍ତି । ଏବେ ଦେଖିବାକୁ ବାକି ରହିଲା, ଏହି ରାଜନୈତିକ ବୟାନବାଜି ଆଗକୁ କେଉଁ ମୋଡ଼ ନେଉଛି ।

