21 Oct 2026, Wed

ଓଜନ କମାଇବା ପାଇଁ ପ୍ରତିଦିନ କେତେ ପାଦ ଚାଲିବେ ?

ଆଜିକାଲିର ସମୟରେ ମୋଟାପଣ ଏକ ବଡ ସମସ୍ୟା ସାଜିଛି । ତେବେ ମୋଟାପଣ କମାଇବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି ଲୋକେ । କିନ୍ତୁ ଚାଲିବା ଦ୍ବାରା ମୋଟାପଣ କମ କରିହେବ ଏହି ଉପଦେଶ ଦିଅନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସୁସ୍ଥ ରହିବା ପାଇଁ ଚାଲିବା ଏକ ସହଜ ଓ ଲାଭଦାୟକ ବ୍ୟାୟାମ। କିନ୍ତୁ ଚାଲିବା ଦ୍ୱାରା ଓଜନ କମାଇବାକୁ ଚାହୁଁଥିଲେ ପ୍ରତିଦିନ କେତେ ପାଦ ଚାଲିବା ଆବଶ୍ୟକ ତାହା ଏକ ବଡ ପ୍ରଶ୍ନ ? ଗୋଟିଏ ସପ୍ତାହରେ ଏକ କିଲୋ ଓଜନ କମାଇବା ପାଇଁ ୨୦ ହଜାରରୁ ଅଧିକ ପାଦ ଚାଲିବାକୁ ପଡ଼ିବ କି ନା ଏହା ପଛରେ ରହିଛି ଆଉ କିଛି ହିସାବ ? ଚାଲିବା ପାଇଁ ଦାମୀ ଉପକରଣ କିମ୍ବା ଜିମ୍‌ର ଆବଶ୍ୟକତା ନାହିଁ। ପାର୍କ, ଘର ପାଖ ରାସ୍ତା କିମ୍ବା ଟ୍ରେଡ୍‌ମିଲ୍‌ରେ ନିୟମିତ ଚାଲି ଶାରୀରିକ ସକ୍ରିୟତା ବଢ଼ାଇହେବ। ଏହା ହୃଦୟର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ଶରୀରରେ କ୍ୟାଲୋରି କମ୍ କରିବାରେ ସହାୟକ ହୁଏ। ଅନେକ ଲୋକ ପ୍ରତିଦିନ ୧୦ ହଜାର ପାଦ ଚାଲିବାକୁ ଲକ୍ଷ୍ୟ ରଖନ୍ତି। କିନ୍ତୁ ମନେ ରଖନ୍ତୁ, ୧୦ ହଜାର ପାଦ ଚାଲିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ। ନିଜର ବୟସ, ଶାରୀରିକ କ୍ଷମତା ଓ ସ୍ୱାସ୍ଥ୍ୟ ଅନୁସାରେ ଚାଲିବାର ଲକ୍ଷ୍ୟ ଧାର୍ଯ୍ୟ କରିବା ଜରୁରୀ । ସାଧାରଣ ଆକଳନ ଅନୁସାରେ, ଏକ କିଲୋଗ୍ରାମ ଶରୀରର ଚର୍ବି ସହ ସମ୍ପୃକ୍ତ ଶକ୍ତି ପ୍ରାୟ ୭ ହଜାର ୭୦୦ କ୍ୟାଲୋରି ସହ ସମାନ । କେତେ କ୍ୟାଲୋରି କମ୍ କରିବେ, ତାହା ଚାଲିବାର ଗତି, ସମୟ, ଦୂରତା ଓ ଶରୀରର ଓଜନ ଉପରେ ନିର୍ଭର କରେ । ତେଣୁ କେବଳ ପାଦ ଗଣି ଗୋଟିଏ ସପ୍ତାହରେ ଏକ କିଲୋ ଓଜନ କମାଇବା ସସମ୍ଭଭ ନୁହେଁ । ତେବେ ସୁସ୍ଥ ରହିବା ପାଇଁ ପ୍ରଥମେ ନିଜ କ୍ଷମତା ଅନୁସାରେ ଚାଲିବା ଆରମ୍ଭ କରନ୍ତୁ। ଧୀରେ ଧୀରେ ସମୟ ଓ ଦୂରତା ବଢ଼ାନ୍ତୁ । ନିଜ ପାଇଁ ସୁବିଧାଜନକ ଗତିରେ ଚାଲନ୍ତୁ। ଗୋଟିଏ ଥରରେ ଅଧିକ ସମୟ ଚାଲିବା କଷ୍ଟକର ହେଲେ, ଦିନରେ ଭାଗ ଭାଗ କରି ଚାଲିପାରିବେ। ଏହା ସହ ସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ପାଣି ଓ ଭଲ ନିଦ୍ରା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଓଜନ କମାଇବା ପାଇଁ ଖାଦ୍ୟ ଛାଡ଼ିବା କିମ୍ବା ହଠାତ୍ କଠିନ ବ୍ୟାୟାମ କରିବା ପରିବର୍ତ୍ତେ ନିୟମିତ ଅଭ୍ୟାସ ଗଢ଼ିବା ଭଲ ।

Leave a Reply

Your email address will not be published. Required fields are marked *