ଦୀପାବଳି ପୂର୍ବରୁ ମହିଳାଙ୍କ ପାଇଁ ବଡ଼ ଖବର! ରୋଷେଇ ଗ୍ୟାସ୍ ଖର୍ଚ୍ଚରୁ ମିଳିବ ଆଶ୍ୱସ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି LPG ସିଲିଣ୍ଡର ରିଫିଲ୍ ପାଇଁ ସୁବିଧା ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କ ଯୋଜନା। ଏହାଦ୍ୱାରା ରାଜ୍ୟର ପ୍ରାୟ ୧ କୋଟି ୮୬ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ଜାରି ରଖିବାକୁ ଅନୁମୋଦନ ଦେଇଛନ୍ତି । ଯୋଜନା ଅନୁଯାୟୀ, ଦୀପାବଳି ପୂର୍ବରୁ ଗୋଟିଏ ଏବଂ ହୋଲି ପୂର୍ବରୁ ଆଉ ଗୋଟିଏ LPG ସିଲିଣ୍ଡର ରିଫିଲ୍ର ସୁବିଧା ମିଳିବ। ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବରରୁ ଡିସେମ୍ବର ୨୦୨୬ ମଧ୍ୟରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜାନୁଆରୀରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ଏହି ସୁବିଧା ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୨,୧୪୨.୭୮ କୋଟି ଟଙ୍କା ବ୍ୟୟ କରିବେ । ତେବେ ଏଠାରେ ଜାଣିବା ଜରୁରୀ ଯେ, ଏହି ସୁବିଧା ସମସ୍ତ ଗ୍ୟାସ୍ ଗ୍ରାହକଙ୍କ ପାଇଁ ନୁହେଁ। କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଯୋଗ୍ୟ ହିତାଧିକାରୀମାନେ ଏହାର ଲାଭ ପାଇପାରିବେ। ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ୍ ହୋଇଥିବା ଏବଂ ଆଧାର ପ୍ରମାଣୀକରଣ ସମ୍ପୂର୍ଣ୍ଣ ହୋଇଥିବା ଆବଶ୍ୟକ। ତେଣୁ ଏହି ଯୋଜନାରେ ନାମ ଥିବା ଗ୍ରାହକମାନେ ନିଜର ଯୋଗ୍ୟତା ଯାଞ୍ଚ କରିନେବା ଉଚିତ। ଏବେ ପ୍ରଶ୍ନ, କିପରି ମିଳିବ ଏହି ସୁବିଧା ? ହିତାଧିକାରୀଙ୍କୁ ନିଜର ଗ୍ୟାସ୍ ଏଜେନ୍ସି ମାଧ୍ୟମରେ ନିୟମ ଅନୁଯାୟୀ ସିଲିଣ୍ଡର ବୁକ୍ କରିବାକୁ ହେବ । ଏଥିପାଇଁ ଇଣ୍ଡେନ୍, ଭାରତ ଗ୍ୟାସ୍ କିମ୍ବା HP ଗ୍ୟାସ୍ର ନିଜସ୍ୱ ଏଜେନ୍ସି ସହ ଯୋଗାଯୋଗ କରିପାରିବେ। ଏହି ଯୋଜନାରେ ରିଫିଲ୍ର ମୂଲ୍ୟ ପ୍ରଥମେ ଦେବାକୁ ପଡ଼ିପାରେ ଏବଂ ନିୟମ ଅନୁଯାୟୀ ସବସିଡି ରାଶି ବ୍ୟାଙ୍କ ଖାତାକୁ ଆସିବ । ଏହା ସହ ଗ୍ୟାସ୍ କନେକ୍ସନ୍ର eKYC, ଆଧାର ଲିଙ୍କ୍ ଓ ବ୍ୟାଙ୍କ ତଥ୍ୟ ଠିକ୍ ଅଛି କି ନାହିଁ ଯାଞ୍ଚ କରନ୍ତୁ। ମନେ ରଖନ୍ତୁ, ଏହି ଯୋଜନା ଉତ୍ତରପ୍ରଦେଶର ଯୋଗ୍ୟ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଉପଲବ୍ଧ ।

