• Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
  • Want to Promote Your Business? Advertise With Us Today! 📞 Call Now: +91 90900 75624 / 63716 38351
24 Oct 2026, Sat

କାହା ଭୁଲ୍ ପାଇଁ ଝିଅକୁ ଶେଷ ଥର ବି ଦେଖିପାରିଲେନି ପରିବାର !

ଘରୁ ହସଖୁସିରେ ବାହାରି ଯାଇଥିଲା ଝିଅ କିନ୍ତୁ ଶେଷରେ ମିଳିଲା କଙ୍କାଳ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ନାବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ତୀବ୍ର ହୋଇଛି ଉତ୍ତେଜନା । ନିଖୋଜ ହେବାର ୫ ଦିନ ପରେ ଧାନବିଲ ନିକଟରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହେବା ପରେ ତେଜିଛି ଜନ ଅସନ୍ତୋଷ। ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ, ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ଉଠିଛି ସଙ୍ଗିନ ପ୍ରଶ୍ନ । ଶେଷରେ ଜଳେଶ୍ୱର ଥାନା ଅଧିକାରୀ ଅଶୋକ ବାରିକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁଯାୟୀ, ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଗତ ୧୬ ତାରିଖ ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଜଣେ ସାଙ୍ଗଙ୍କ ସହ ଘରୁ ବାହାରିଥିଲେ । ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ସାଙ୍ଗଙ୍କଠାରୁ ମିଳିଥିବା ସୂଚନା ଆଧାରରେ ସୁଲତାନପୁର ଗାଁର ଚନ୍ଦ୍ରକାନ୍ତ ଜେନା ଓରଫ କାହ୍ନାଙ୍କ ନାମ ସାମ୍ନାକୁ ଆସିଥିଲା । ପରିବାର ଲୋକେ ତାଙ୍କୁ ବାଇକ୍‌ ସହ ଅଟକାଇ ନାମ୍ପୋ ଫାଣ୍ଡି ପୁଲିସ ଜିମା ଦେଇଥିଲେ। ପରଦିନ, ଅର୍ଥାତ୍ ୧୭ ତାରିଖରେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ, ଚନ୍ଦ୍ରକାନ୍ତଙ୍କ ସମେତ ନାବାଳିକାଙ୍କ ସାଙ୍ଗ ଓ ସାଙ୍ଗଙ୍କ ମାଆଙ୍କ ନାମ ମଧ୍ୟ ଏଥିରେ ଉଲ୍ଲେଖ ଥିଲା। କିନ୍ତୁ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ଫାଣ୍ଡିକୁ ନିଆଯାଇଥିବା ଚନ୍ଦ୍ରକାନ୍ତଙ୍କୁ ପଚରାଉଚରା ପରେ ଛାଡ଼ି ଦିଆଯାଇଥିଲା। ଏହାପରେ ନିଖୋଜ ନାବାଳିକାଙ୍କୁ ଖୋଜିବା ନେଇ ଚିନ୍ତା ବଢ଼ିଥିଲା। ଶେଷରେ ନିଖୋଜ ହେବାର ପାଞ୍ଚ ଦିନ ପରେ ବର୍ତ୍ତନା ପଞ୍ଚାୟତର ଢେରାପଦା ନିକଟ ଧାନବିଲ ପାଖରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମିଳିଥିବା ପୋଷାକ ଓ ଜୋତା ଆଧାରରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିବା ଖବରରେ ପ୍ରକାଶ ପାଇଛି । ମୃତଦେହ ଉଦ୍ଧାର ପରେ ଅଞ୍ଚଳରେ ଉତ୍ତେଜନା ତୀବ୍ର ହୋଇଥିଲା। ଜଳେଶ୍ୱର-ପଶ୍ଚିମବାଡ଼ ରାସ୍ତାର ବଡ଼ନଗର ଛକରେ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହାସହ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତି ଥିବା ସନ୍ଦେହରେ ନାବାଳିକାଙ୍କ ସାଙ୍ଗ ଓ ତାଙ୍କ ମାଆ ରହୁଥିବା ଘରେ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ଫୋର୍ସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଥିଲା। ଏହି ଘଟଣାରେ ପୁଲିସର ପୂର୍ବ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠିବା ପରେ ବାଲେଶ୍ୱର ଏସ୍‌ପି ଜଳେଶ୍ୱର ଥାନା ଅଧିକାରୀ ଅଶୋକ ବାରିକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ସେହିପରି ପୂର୍ବରୁ ବଦଳି ହୋଇଥିବା ନାମ୍ପୋ ଫାଣ୍ଡି ଅଧିକାରୀ କରନ ମାରାଣ୍ଡିଙ୍କୁ ନିଲମ୍ବିତ କରାଯାଇଛି। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଏହି ସୂଚନା ଦେଇଛନ୍ତି। ତେବେ ଏହି ମାମଲାରେ ପ୍ରକୃତରେ କ’ଣ ଘଟିଥିଲା, କେଉଁମାନେ ଏଥିରେ ସମ୍ପୃକ୍ତ ଏବଂ ପୁଲିସର ଭୂମିକା କ’ଣ ଥିଲା, ତାହା ତଦନ୍ତ ଓ ପ୍ରମାଣରୁ ସ୍ପଷ୍ଟ ହେବ । ବର୍ତ୍ତମାନ ପରିବାରକୁ କ୍ଷତିପୂରଣ ଓ ନ୍ୟାୟଦାବିରେ ଅଡି ବସିଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *