ଅକ୍ଟୋବର ଆସିଲେ ବଢେ ବାତ୍ୟା ଭୟ । ପ୍ରତିବର୍ଷ ଏହି ସମୟରେ ବଙ୍ଗୋପସାଗରରେ କାହିଁକି ସୃଷ୍ଟି ହୁଏ ଘୂର୍ଣ୍ଣିବଳୟ ? କାହିଁକି ଓଡ଼ିଶା ଓ ଆନ୍ଧ୍ର ଉପକୂଳ ପ୍ରତି ବଢ଼ିଥାଏ ବାତ୍ୟାର ବିପଦ? ଏବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପକୁ ନେଇ ବଢ଼ିଛି ଚିନ୍ତା। ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଉଛି। ତେବେ ଅକ୍ଟୋବର ମାସ ବାତ୍ୟା ପାଇଁ ଏତେ ଅନୁକୂଳ କାହିଁକି? ବାସ୍ତବରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ପାଇଁ ଅକ୍ଟୋବର ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହାର ପ୍ରଥମ କାରଣ ହେଉଛି ସମୁଦ୍ରର ଉତ୍ତାପ। ମୌସୁମୀ ସମୟରେ ସମୁଦ୍ର ଉପରିଭାଗରେ ଯଥେଷ୍ଟ ଉତ୍ତାପ ରହିଥାଏ। ଉଷ୍ଣ ସମୁଦ୍ରରୁ ଜଳୀୟବାଷ୍ପ ଉପରକୁ ଉଠିଥାଏ। ଏହି ଜଳୀୟବାଷ୍ପ ଘନୀଭୂତ ହେବା ସମୟରେ ଉତ୍ତାପ ମୁକ୍ତ କରେ, ଯାହା ଘୂର୍ଣ୍ଣିବଳୟକୁ ଶକ୍ତି ଯୋଗାଇଥାଏ। ଦ୍ୱିତୀୟ କାରଣ ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସରଣ। ଅକ୍ଟୋବର ମାସରେ ମୌସୁମୀ ଧୀରେ ଧୀରେ ଫେରିବା ଆରମ୍ଭ କରେ। ଏହି ସମୟରେ ବାୟୁମଣ୍ଡଳର ପରିସ୍ଥିତିରେ ପରିବର୍ତ୍ତନ ଆସେ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସହ ଅନ୍ୟାନ୍ୟ ଅନୁକୂଳ ପାଣିପାଗୀୟ ପରିସ୍ଥିତି ମିଳିଲେ ଏହା ଶକ୍ତିଶାଳୀ ଘୂର୍ଣ୍ଣିବଳୟର ରୂପ ନେଇପାରେ। ତୃତୀୟ କାରଣ ହେଉଛି ପବନର ଗତି ଓ ଦିଗ। ସମୁଦ୍ରର ବିଭିନ୍ନ ଉଚ୍ଚତାରେ ପବନର ବେଗ ଓ ଦିଗ ମଧ୍ୟରେ ଅଧିକ ପାର୍ଥକ୍ୟ ରହିଲେ ଏହା ବାତ୍ୟାର ବିକାଶକୁ ବାଧା ଦେଇପାରେ। ଏହାକୁ ପାଣିପାଗ ବିଜ୍ଞାନରେ ଭର୍ଟିକାଲ୍ ୱିଣ୍ଡ ସିଅର୍ କୁହାଯାଏ। ଏହି ପାର୍ଥକ୍ୟ କମ୍ ରହିଲେ ଏବଂ ଅନ୍ୟ ପରିସ୍ଥିତି ଅନୁକୂଳ ଥିଲେ ବାତ୍ୟା ଅଧିକ ଶକ୍ତିଶାଳୀ ହେବାର ସୁଯୋଗ ପାଏ। ବର୍ତ୍ତମାନ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ପରେ ୨୬ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ। ୨୮ ତାରିଖରେ ଉତ୍ତର ଆନ୍ଧ୍ର କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ସ୍ଥଳଭାଗ ଛୁଇଁବାର ଆଶଙ୍କା ମଧ୍ୟ ପ୍ରକାଶ କରାଯାଇଛି। ଏହାର ପ୍ରଭାବରେ ୨୭ରୁ ୨୯ ତାରିଖ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳ, ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ଥିବା କୁହାଯାଉଛି ।

