ବର୍ତ୍ତମାନ ପର୍ବପର୍ବାଣୀ ପାଳନକୁ ନେଇ ଦ୍ବନ୍ଦ୍ବ ବଢିବାରେ ଲାଗିଛି । ରାକ୍ଷୀପୂର୍ଣ୍ଣିମା ହେଉ ଅବା ଗଣେଶ ପୂଜା ପାଳନକୁ ନେଇ ଦ୍ବନ୍ଦ୍ବରେ ରହୁଛନ୍ତି ଲୋକେ । ତେବେ ଘରଠାରୁ ଆରମ୍ଭ କରି ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନ ଓ ପୂଜାମଣ୍ଡପ ପର୍ଯ୍ୟନ୍ତ ସବୁଠି ବିଘ୍ନବିନାଶକ ଶ୍ରୀଗଣେଶଙ୍କ ଆରାଧନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ହେଲେ ଚଳିତ ବର୍ଷ ଗଣେଶ ଚତୁର୍ଥୀକୁ ନେଇ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି: ଗଣେଶ ପୂଜା ୧୪ ତାରିଖରେ ନା ୧୫ ତାରିଖରେ ? ଏହି ଦ୍ୱନ୍ଦ୍ୱର କାରଣ ହେଉଛି ଚତୁର୍ଥୀ ତିଥି ଦୁଇଟି ତାରିଖକୁ ବ୍ୟାପି ରହୁଛି । ପଞ୍ଜିକା ଗଣନା ଅନୁସାରେ, ୨୦୨୬ରେ ଭାଦ୍ରବ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ସେପ୍ଟେମ୍ବର ୧୪ ତାରିଖ ସକାଳ ପ୍ରାୟ ୭ଟା ୬ ମିନିଟରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ତାରିଖ ସକାଳ ପ୍ରାୟ ୭ଟା ୪୪ ମିନିଟରେ ଶେଷ ହେଉଛି। ଅର୍ଥାତ୍ ୧୫ ତାରିଖ ସୂର୍ଯ୍ୟୋଦୟ ସମୟରେ ମଧ୍ୟ କିଛି ସମୟ ପାଇଁ ଚତୁର୍ଥୀ ତିଥି ରହିବ। ତେବେ ଏଠାରୁ ହିଁ ଦ୍ୱନ୍ଦ୍ୱର ଆରମ୍ଭ। ଯଦି ୧୫ ତାରିଖ ସୂର୍ଯ୍ୟୋଦୟ ବେଳେ ଚତୁର୍ଥୀ ରହୁଛି, ତେବେ ଗଣେଶ ଚତୁର୍ଥୀ ୧୫ରେ ପାଳନ ହେବ ନାହିଁ କାହିଁକି?
ବାସ୍ତବରେ ପରମ୍ପରାଗତ ଭାବେ ଗଣେଶ ଚତୁର୍ଥୀର ମୁଖ୍ୟ ପୂଜା ଓ ଗଣେଶ ପ୍ରତିଷ୍ଠା ମଧ୍ୟାହ୍ନ କାଳରେ କରାଯାଏ। ଧାର୍ମିକ ପରମ୍ପରାରେ ମଧ୍ୟ ଗଣେଶଙ୍କ ଆବିର୍ଭାବକୁ ମଧ୍ୟାହ୍ନ କାଳ ସହିତ ସମ୍ପର୍କ କରାଯାଇଥାଏ। ସେଥିପାଇଁ ଯେଉଁ ଦିନ ଚତୁର୍ଥୀ ତିଥି ମଧ୍ୟାହ୍ନ ସମୟରେ ବ୍ୟାପି ରହେ, ସେହି ଦିନକୁ ଗଣେଶ ଚତୁର୍ଥୀ ପାଳନ ପାଇଁ ଗୁରୁତ୍ୱ ଦିଆଯାଏ। ୨୦୨୬ରେ ଏହି ମଧ୍ୟାହ୍ନ କାଳ ୧୪ ତାରିଖରେ ହିଁ ପଡୁଛି। ଅର୍ଥାତ୍ ୧୫ ତାରିଖ ସକାଳେ ଚତୁର୍ଥୀ ଥିବା ସତ୍ତ୍ୱେ, ଗଣେଶ ପୂଜାର ମୁଖ୍ୟ କାଳ ଅର୍ଥାତ୍ ମଧ୍ୟାହ୍ନରେ ଚତୁର୍ଥୀ ତିଥି ୧୪ ତାରିଖରେ ହିଁ ଉପଲବ୍ଧ ହେଉଛି। ତେଣୁ ସାଧାରଣ ଗଣେଶ ଚତୁର୍ଥୀ ପାଳନ ପାଇଁ ୧୪ ତାରିଖକୁ ଗ୍ରହଣ କରାଯାଉଛି।

ଏଠାରେ ଆଉ ଏକ ଶବ୍ଦ ନେଇ ଦ୍ୱନ୍ଦ୍ୱ ହେଉଛି ଉଦୟବ୍ୟାପିନୀ ତିଥି। ସରଳ ଭାଷାରେ କହିଲେ, କୌଣସି ତିଥି ସୂର୍ଯ୍ୟୋଦୟ ସମୟରେ ବିଦ୍ୟମାନ ଥିଲେ ତାହାକୁ ଉଦୟବ୍ୟାପିନୀ ତିଥି କୁହାଯାଏ। କିନ୍ତୁ ଏହାର ଅର୍ଥ ଏ ନୁହେଁ ଯେ ପ୍ରତ୍ୟେକ ପର୍ବ ଓ ପ୍ରତ୍ୟେକ ଦେବତାଙ୍କ ପୂଜା ପାଇଁ ସବୁବେଳେ କେବଳ ଉଦୟବ୍ୟାପିନୀ ତିଥି ହିଁ ଲାଗୁ ହେବ। ବିଭିନ୍ନ ବ୍ରତ, ପର୍ବ ଓ ଦେବତାଙ୍କ ପୂଜା ପାଇଁ ତିଥି ନିର୍ଣ୍ଣୟର ନିୟମ ଅଲଗା ହୋଇପାରେ। କେଉଁଠି ଉଦୟବ୍ୟାପିନୀ ତିଥି ଗୁରୁତ୍ୱପୂର୍ଣ୍ଣ, କେଉଁଠି ମଧ୍ୟାହ୍ନବ୍ୟାପିନୀ, ଆଉ କେଉଁଠି ନିର୍ଦ୍ଦିଷ୍ଟ ନକ୍ଷତ୍ର କିମ୍ବା ପ୍ରଦୋଷ କାଳର ଉପସ୍ଥିତିକୁ ଗୁରୁତ୍ୱ ଦିଆଯାଏ। ସେହି କାରଣରୁ କେବଳ ‘ସୂର୍ଯ୍ୟୋଦୟରେ ତିଥି ଅଛି’ ବୋଲି ଦେଖି ପ୍ରତ୍ୟେକ ପର୍ବର ଦିନ ନିର୍ଣ୍ଣୟ କରିବା ଶାସ୍ତ୍ରୀୟ ଭାବେ ସରଳ ପଦ୍ଧତି ନୁହେଁ। ଏହି ବର୍ଷର ପଞ୍ଜିକା ଗଣନାକୁ ଦେଖିଲେ ଉତ୍ତରଟି ସ୍ପଷ୍ଟ ଗଣେଶ ଚତୁର୍ଥୀ ପୂଜା ୧୪ ସେପ୍ଟେମ୍ବର, ସୋମବାରରେ ପାଳନ କରାଯିବ। ୧୪ ତାରିଖ ସକାଳ ୭ଟା ୬ ମିନିଟରୁ ଚତୁର୍ଥୀ ତିଥି ଆରମ୍ଭ ହେଉଛି ଏବଂ ୧୫ ତାରିଖ ସକାଳ ୭ଟା ୪୪ ମିନିଟରେ ତିଥି ଶେଷ ହେଉଛି। ତେଣୁ ୧୪ ତାରିଖ ମଧ୍ୟାହ୍ନ ସମୟରେ ଚତୁର୍ଥୀ ତିଥି ବିଦ୍ୟମାନ ରହୁଛି। ଏହି କାରଣରୁ ଗଣେଶ ପ୍ରତିଷ୍ଠା ଓ ପୂଜା ପାଇଁ ୧୪ ତାରିଖକୁ ହିଁ ମୁଖ୍ୟ ଦିନ ଭାବେ ଗ୍ରହଣ କରାଯାଉଛି। ଓଡ଼ିଶା ସରକାରଙ୍କ ୨୦୨୬ ଛୁଟି ତାଲିକାରେ ମଧ୍ୟ ଗଣେଶ ଚତୁର୍ଥୀ ପାଇଁ ସେପ୍ଟେମ୍ବର ୧୪ ତାରିଖ ଉଲ୍ଲେଖ ହୋଇଛି।
ଗଣେଶ ଚତୁର୍ଥୀର ତାରିଖକୁ ନେଇ ପ୍ରତିବର୍ଷ ଏଭଳି ଦ୍ୱନ୍ଦ୍ୱ ନ ରହିବା ପାଇଁ ଆବଶ୍ୟକ ହେଉଛି ସ୍ପଷ୍ଟ ଓ ଏକକ ବ୍ୟାଖ୍ୟା। କେଉଁ ପର୍ବରେ କେଉଁ ତିଥି ନିର୍ଣ୍ଣୟ ପଦ୍ଧତି ଲାଗୁ ହେବ । ଉଦୟବ୍ୟାପିନୀ, ମଧ୍ୟାହ୍ନବ୍ୟାପିନୀ କିମ୍ବା ଅନ୍ୟ କୌଣସି କାଳବ୍ୟାପ୍ତି ତାହା ପଞ୍ଜିକା ଓ ଧର୍ମଶାସ୍ତ୍ର ଆଧାରରେ ସ୍ପଷ୍ଟ ଭାବେ ଜଣାଇବା ଦରକାର। କାରଣ ତିଥି କେବଳ ଗୋଟିଏ ତାରିଖ ନୁହେଁ। ଏହା ଚନ୍ଦ୍ର ଓ ସୂର୍ଯ୍ୟଙ୍କ ଆପେକ୍ଷିକ ଗତି ଉପରେ ଆଧାରିତ ଏକ ଭୌଗଳିକ ସମୟ ଏକକ। ତେଣୁ ଗୋଟିଏ ତିଥି ଦୁଇଟି ନାଗରିକ ତାରିଖକୁ ବ୍ୟାପି ଯାଇପାରେ। ସେତେବେଳେ କେଉଁ ଦିନ ପର୍ବ ପାଳନ ହେବ, ତାହା ନିର୍ଦ୍ଦିଷ୍ଟ ପର୍ବର ଶାସ୍ତ୍ରୀୟ ନିୟମ ଅନୁସାରେ ଧାର୍ଯ୍ୟ ହୁଏ। ସେହିପରି ଚଳିତ ବର୍ଷର ଗଣେଶ ଚତୁର୍ଥୀକୁ ନେଇ ସାଧାରଣ ଭକ୍ତଙ୍କ ପାଇଁ ବାର୍ତ୍ତା ହେଉଛି । ୧୫ ତାରିଖ ସକାଳ ପର୍ଯ୍ୟନ୍ତ ଚତୁର୍ଥୀ ତିଥି ରହୁଥିଲେ ମଧ୍ୟ, ଗଣେଶ ପୂଜାର ମୁଖ୍ୟ ମଧ୍ୟାହ୍ନ କାଳ ୧୪ ତାରିଖରେ ପଡୁଥିବାରୁ ଗଣେଶ ଚତୁର୍ଥୀ ୧୪ ସେପ୍ଟେମ୍ବରରେ ପାଳନ କରାଯିବ।

