ସୁଜାତା ହେବେ କି ବିଜେଡିର ଆଗାମୀ ମୁଖ୍ୟମନ୍ତ୍ରୀ ଚେହେରା ? ଓଡ଼ିଶା ରାଜନୀତିରେ ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବିଜେଡିରେ ସୁଜାତା ରାଉତ କାର୍ତ୍ତିକେୟନଙ୍କ ପ୍ରବେଶ ପରଠାରୁ ତାଙ୍କୁ ନେଇ ଦଳୀୟ କାର୍ଯ୍ୟକ୍ରମ ଓ ସୋସିଆଲ ମିଡିଆରେ ଦୃଶ୍ୟମାନତା ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି । ସୁଜାତା ରାଉତ କାର୍ତ୍ତିକେୟନ୍ ଜଣେ ୨୦୦୦ ବ୍ୟାଚ୍ର ପୂର୍ବତନ IAS ଅଧିକାରୀ। ପ୍ରାୟ ୨୪ ବର୍ଷ ପ୍ରଶାସନିକ ସେବାରେ ରହିବା ପରେ ସେ ୨୦୨୫ ମସିହାରେ ସିଭିଲ୍ ସର୍ଭିସ୍ ଛାଡ଼ିଥିଲେ। ମହିଳା, ଶିଶୁ, ସାମାଜିକ କଲ୍ୟାଣ ଓ ମିଶନ ଶକ୍ତି ଭଳି କ୍ଷେତ୍ରରେ ତାଙ୍କ ପ୍ରଶାସନିକ ଅଭିଜ୍ଞତା ରହିଛି । ୨୦୨୬ ଜୁନ୍ ୨୫ ତାରିଖରେ ସୁଜାତା ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗଦେଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ଭାବେ ସ୍ୱାଗତ କରିଥିଲେ। ସେତେବେଳେ ନବୀନ ପଟ୍ଟନାୟକ ନିଜେ କହିଥିଲେ ଯେ ସେ ଆଗାମୀ ନିର୍ବାଚନରେ ମଧ୍ୟ ଦଳର ନେତୃତ୍ୱ ଜାରି ରଖିବେ । ମାତ୍ର ସୁଜାତା କାର୍ତ୍ତିକେୟନଙ୍କୁ ନେଇ ସୋସିଆଲ ମିଡିଆ ସକ୍ରିୟ ହେବା ପରେ । ଏହି ଆଲୋଚନା ପୁଣି ଆରମ୍ଭ ହୋଇଛି । ବିଜେଡିର ଅନ୍ୟକର୍ମୀଙ୍କ ଭଳି ସୁଜାତା ଜଣେ ସାଧାରଣ କର୍ମୀ ।
ତେବେ ସୁଜାତାଙ୍କୁ ନେଇ କାହିଁକ ବଢିଛି ସୋସିଆଲ ମିଡିଆ ପୋଷ୍ଟ । ତା ଛଡା ଏହି ଚର୍ଚ୍ଚାର ଅନ୍ୟ ପ୍ରଥଣ କାରଣ ହେଉଛି ତାଙ୍କ ପୂର୍ବ ପ୍ରଶାସନିକ ପରିଚୟ। ଦ୍ୱିତୀୟ, ସେ ହେଉଛନ୍ତି ପୂର୍ବତନ IAS ଅଧିକାରୀ ତଥା ନବୀନ ପଟ୍ଟନାୟକଙ୍କ ପୂର୍ବତନ ସହଯୋଗୀ ଭି.କେ. ପାଣ୍ଡିଆନଙ୍କ ପତ୍ନୀ। ପାଣ୍ଡିଆନଙ୍କ ବିଜେଡି ରାଜନୀତିରେ ଥିବା ଭୂମିକାକୁ ଦେଖିଲେ, ସୁଜାତାଙ୍କ ରାଜନୈତିକ ପ୍ରବେଶକୁ ସାଧାରଣ ଦଳୀୟ ଯୋଗଦାନ ଭାବେ ଦେଖାଯାଉନାହିଁ ଏହି କାରଣରୁ ମଧ୍ୟ ଚର୍ଚ୍ଚା ବଢ଼ିଛି। ଆଉ ଗୋଟିଏ ଦିଗ ହେଉଛି ୨୦୨୪ ନିର୍ବାଚନ ପରାଜୟ ପରେ ବିଜେଡି ନିଜର ସାଂଗଠନିକ ରଣନୀତିକୁ ପୁନଃବିଚାର କରୁଛି । ଦଳୀୟ ନେତା ମନ୍ମଥ ରାଉତରାୟ କହିଥିଲେ ଯେ ସୁଜାତାଙ୍କ ଭଳି ଅଭିଜ୍ଞ ଓ କ୍ଷମତାଶୀଳ ବ୍ୟକ୍ତିଙ୍କୁ ଦଳରେ ଆଣିବା ପାଇଁ ଦୀର୍ଘଦିନ ଧରି ଚେଷ୍ଟା ହୋଇଥିଲା । ତେବେ ଏବେ ଆସୁଛି ସବୁଠାରୁ ବଡ଼ ପ୍ରଶ୍ନ ଯଦି ସୁଜାତା କେବଳ ଜଣେ ସାଧାରଣ କର୍ମୀ, ତାହେଲେ ତାଙ୍କୁ ନେଇ ଏତେ ରାଜନୈତିକ ଚର୍ଚ୍ଚା କାହିଁକି ? କେହି ଏହାକୁ ବିଜେଡିର ନୂଆ ପିଢ଼ିକୁ ଆଗକୁ ଆଣିବାର ପ୍ରସ୍ତୁତି ବୋଲି ଦେଖୁଛନ୍ତି। ଆଉ କେହି ଏହାକୁ ମହିଳା ନେତୃତ୍ୱ ଓ ପ୍ରଶାସନିକ ଅଭିଜ୍ଞତାକୁ ଦଳୀୟ ରାଜନୀତିରେ ବ୍ୟବହାର କରିବାର ରଣନୀତି ବୋଲି କହୁଛନ୍ତି । ଗୋଟିଏ ସମୟରେ ବିଜେଡିରେ ଭି.କେ. ପାଣ୍ଡିଆନଙ୍କୁ ନେଇ ମଧ୍ୟ ଏଭଳି ଚର୍ଚ୍ଚା ହୋଇଥିଲା। ତାଙ୍କ ରାଜନୈତିକ ଭୂମିକା ଓ ଦଳରେ ବଢ଼ୁଥିବା ପ୍ରଭାବକୁ ନେଇ ବିରୋଧୀମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ୨୦୨୪ ପରାଜୟ ପରେ ପାଣ୍ଡିଆନ୍ ସକ୍ରିୟ ରାଜନୀତିରୁ ପଛକୁ ହଟିଥିଲେ । ତେବେ ଆଗକୁ ସୁଜାତାଙ୍କ ସ୍ଥାନ ବିଜେଡି କେଉଁ ସ୍ତରରେ ରହୁଛି ତାହା ସମୟ କହିବ । କିନ୍ତୁ ଏବେ ସୁଜାତାଙ୍କ ରାଜନୈତିକ ସକ୍ରିୟତା ବଢ଼ିଲେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

