ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଧମାକାଦାର ବ୍ୟାଟିଂ କରି ଐତିହାସିକ ଦ୍ୱିଶତକ ହାସଲ କରିଛନ୍ତି । ଗୁଆହାଟୀରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗିଲଙ୍କ ବ୍ୟାଟ୍ରୁ ଆରମ୍ଭରୁ ହିଁ ଚୌକା ଓ ଛକାର ବର୍ଷା ହୋଇଥିଲା। ମାତ୍ର ୧୧୭ ବଲ୍ରେ ଦ୍ୱିଶତକ ପୂରଣ କରି ଗିଲ୍ ଦିନିକିଆ କ୍ରିକେଟ୍ରେ ଦ୍ରୁତତମ ଦ୍ୱିଶତକ ହାସଲ କରିବାର ରେକର୍ଡ କରିଛନ୍ତି । ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ସାମ୍ନାରେ ୱେଷ୍ଟଇଣ୍ଡିଜ ବୋଲରମାନେ ଅସହାୟ ଦେଖାଯାଇଥିଲେ।
ଗିଲ୍ ମଇଦାନର ଚାରିଆଡ଼େ ଆକର୍ଷଣୀୟ ସଟ୍ ଖେଳି ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ, ବିଶେଷକରି ବାଉଣ୍ଡାରୀ ମାରିବାରେ ତାଙ୍କ ଆତ୍ମବିଶ୍ୱାସ ଦେଖିବା ଭଳି ଥିଲା ଏବଂ ତାଙ୍କ ଇନିଂସ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା। ଏହି ଦ୍ୱିଶତକ ଗିଲଙ୍କ ବ୍ୟକ୍ତିଗତ କ୍ୟାରିୟର ପାଇଁ ଏକ ବଡ଼ ଉପଲବ୍ଧି ହୋଇଥିବା ବେଳେ ଅଧିନାୟକ ଭାବେ ମଧ୍ୟ ତାଙ୍କ ବ୍ୟାଟିଂ ନେତୃତ୍ୱର ନୂଆ ଉଦାହରଣ ସୃଷ୍ଟି କରିଛି । ଦଳକୁ ବଡ଼ ସ୍କୋର ଦେବାରେ ତାଙ୍କ ଇନିଂସ ଗୁରୁତ୍ୱପୂର୍ଣ୍ଣ ହୋଇଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଗିଲଙ୍କ ଏହି ବିସ୍ଫୋରକ ପ୍ରଦର୍ଶନ ତାଙ୍କୁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି, ଦିନିକିଆ କ୍ରିକେଟ୍ରେ ଦୀର୍ଘ ଇନିଂସ ଖେଳିବା ସହ ଦ୍ରୁତ ରନ୍ ସଂଗ୍ରହ କରିବାର କ୍ଷମତା ଏହି ଇନିଂସରେ ସ୍ପଷ୍ଟ ହୋଇଛି। ଗିଲଙ୍କ ବ୍ୟାଟିଂ ଯୋଗୁଁ ଭାରତୀୟ ଦଳର ସ୍କୋର ଦ୍ରୁତ ଗତିରେ ବଢ଼ିଥିଲା, ୱେଷ୍ଟଇଣ୍ଡିଜ ବୋଲରମାନେ ତାଙ୍କୁ ରୋକିବା ପାଇଁ ବିଭିନ୍ନ ରଣନୀତି ଆପଣାଇଥିଲେ ମଧ୍ୟ ଗିଲ୍ ନିଜ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲେ। ୱେଷ୍ଟଇଣ୍ଡିଜ୍ର ୪୦୫ ରନ୍ର ବିଶାଳ ଟାର୍ଗେଟ୍କୁ ମାତ୍ର ୪୩.୩ ଓଭରରେ ହାସଲ କରି ଭାରତ ଦ୍ୱିତୀୟ ଦିନିକିଆକୁ ୮ ୱିକେଟ୍ରେ ଜିତିନେଇଥିଳା । ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ନେଇଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ୪୦୫ ରନ୍ କରିଥିଲା। ଜନ୍ କ୍ୟାମ୍ପବେଲ୍, ଶାଇ ହୋପ୍ ଓ ଆମିର୍ ଜାଙ୍ଗୁ ତିନି ଜଣ ବ୍ୟାଟର୍ ଶତକ ହାସଲ କରିଥିଲେ। ଦିନିକିଆରେ ଗୋଟିଏ ଇନିଂସ୍ରେ ୱେଷ୍ଟଇଣ୍ଡିଜ୍ର ତିନି ବ୍ୟାଟର୍ଙ୍କ ଶତକ ଏହି ମ୍ୟାଚ୍କୁ ଆହୁରି ଐତିହାସିକ କରିଦେଇଥିଲା। କିନ୍ତୁ ୪୦୬ ରନ୍ର ଟାର୍ଗେଟ୍ ଭାରତ ପାଇଁ ଯେମିତି କିଛି ବଡ଼ କଥା ନଥିଲା। ଆରମ୍ଭରୁ ହିଁ ଗିଲ୍ ଓ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ବୋଲର୍ଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ ୱିକେଟ୍ରେ ଗିଲ୍ ଓ ରୋହିତଙ୍କ ମଧ୍ୟରେ ହେଲା ୨୫୫ ରନ୍ର ବିଶାଳ ପାର୍ଟନରସିପ୍। ରୋହିତ ମଧ୍ୟ ମାତ୍ର ୭୫ ବଲ୍ରେ ଶତକ ହାସଲ କରିଥିଲେ । କିନ୍ତୁ ସବୁଠାରୁ ବଡ଼ ହିରୋ କ୍ୟାପ୍ଟେନ୍ ଶୁଭମନ ଗିଲ୍। ୧୩୩ ବଲ୍ରେ ୨୨୩ ରନ୍ର ଅପରାଜିତ ଇନିଂସ। ଏଥିରେ ଥିଲା ୨୬ ଚୌକା ଓ ୮ ଛକା। ଗିଲ୍ ମାତ୍ର ୧୧୭ ବଲ୍ରେ ଡବଲ୍ ସେଞ୍ଚୁରି ପୂରଣ କରି ନୂଆ ବିଶ୍ୱ ରେକର୍ଡ ଗଢ଼ିଛନ୍ତି। ଏହା ହେଉଛି ଗିଲଙ୍କ ଦ୍ୱିତୀୟ ଦିନିକିଆ ଡବଲ୍ ସେଞ୍ଚୁରି। ଏହା ସହ ପୁରୁଷ ଦିନିକିଆ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ପରେ ଏକାଧିକ ଡବଲ୍ ସେଞ୍ଚୁରି କରିଥିବା ଦ୍ୱିତୀୟ ବ୍ୟାଟର୍ ହୋଇଛନ୍ତି ଗିଲ୍। ଗିଲ୍ ଏହା ପୂର୍ବରୁ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୮ ରନ୍ କରିଥିଲେ। ପ୍ରାୟ ସାଢ଼େ ତିନି ବର୍ଷ ପରେ ପୁଣି ତାଙ୍କ ବ୍ୟାଟ୍ରୁ ଆସିଛି ଡବଲ୍ ସେଞ୍ଚୁରି। ଏପଟେ ଭାରତ ମଧ୍ୟ ରଚିଛି ବଡ଼ ରେକର୍ଡ। ୱେଷ୍ଟଇଣ୍ଡିଜ୍ର ୪୦୫ ରନ୍କୁ ପିଛା କରି ୨ ୱିକେଟ ହରାଇ ୮ ୱିକେଟ୍ରେ ବିଜୟ ହାସଲ କରିଛି ଭାରତ। ୩୯ଟି ବଲ୍ ବାକି ଥାଇ ଭାରତ ଏହି ଟାର୍ଗେଟ୍ ହାସଲ କରିନେଇଥିଲା ।

