ଶନିବାର ରାହୁଲ ଗାନ୍ଧି ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ “ନିର୍ବାଚନରେ ମ୍ୟାଚ୍ ଫିକ୍ସିଂ” କରୁଥିବା ଅଭିଯୋଗ ଆଣିଥିଲେ। ଏଥିପାଇଁ ରାହୁଲ ଗାନ୍ଧି ଏକ ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲର ରିପୋର୍ଟକୁ ଉଲ୍ଲେଖ କରିଥିଲେ। ଉକ୍ତ ରିପୋର୍ଟରେ CEC ଜ୍ଞାନେଶ କୁମାର ପୂର୍ବତନ କେରଳ ମୁଖ୍ୟ ଶାସନ ସଚିବ ଜିଜି ଥମସନଙ୍କୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବାକୁ ଯୋଗାଯୋଗ କରିଥିବା ଦାବି କରାଯାଇଥିଲା। ରାହୁଲ ଗାନ୍ଧି ସୋସିଆଲ ମିଡିଆ Xରେ କହିଥିଲେ, “ପ୍ରଥମେ ଜ୍ଞାନେଶ କୁମାର, ସେତେବେଳେ ଜଣେ କାର୍ଯ୍ୟରତ IAS ଅଧିକାରୀ, ବିଜେପି ପାଇଁ ନିଯୁକ୍ତି କରିବାରେ ବ୍ୟବହୃତ ହୋଇଥିଲେ। ତା’ପରେ ମୋଦି ଏବଂ ଶାହ ତାଙ୍କୁ ଅମ୍ପାୟାର କରି ଭାରତର ନିର୍ବାଚନରେ ମ୍ୟାଚ୍ ଫିକ୍ସିଂର ଦାୟିତ୍ୱ ଦେଇଥିଲେ।” ତେବେ ଦିଲ୍ଲୀର ଚାନ୍ଦନୀ ଚୌକ୍ ବିଧାନସଭା ନିର୍ବାଚନମଣ୍ଡଳୀର ବିଜୟ ଘାଟ ଅଞ୍ଚଳସ୍ଥିତ ଜେଜେ ବେଲା ଇଷ୍ଟେଟ୍ରୁ ଜଣେ ଭୋଟରଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ନାଁ ଭୋଟର ତାଲିକାରୁ ବାଦ ପଡ଼ିଥିବା ନେଇ ଏଟିଭି ଭାରତ ରିପୋର୍ଟ ପ୍ରକାଶ କରିବାର କିଛି ସପ୍ତାହ ପରେ ସୋମବାର ଏହି ପ୍ରସଙ୍ଗ ଉଠାଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ ନାଁରେ ନିର୍ବାଚନ କମିଶନ୍ ‘ଭୋଟ୍ ଚୋରି’ କରୁଥିବା ସେ ଅଭିଯୋଗ କରିଛନ୍ତି। ସେପ୍ଟେମ୍ବର ୯ରେ ଏଟିଭି ଭାରତ ରିପୋର୍ଟ କରିଥିଲା ଯେ, ଚାନ୍ଦନୀ ଚୌକ୍ ନିର୍ବାଚନମଣ୍ଡଳୀର ଏକ ନିର୍ଦ୍ଦିଷ୍ଟ ପୋଲିଂ ଷ୍ଟେସନ୍ରେ SIR ପୂର୍ବରୁ ୭୨୯ ଜଣ ଭୋଟର ଥିବାବେଳେ ଏବେ ସେଠାରେ ମାତ୍ର ଜଣେ ଭୋଟରଙ୍କ ନାଁ ରହିଛି। ଭୋଟରଙ୍କ ନାଁ ବାଦ୍ ପଡ଼ିବାର ଏକ ଚମକପ୍ରଦ ଘଟଣାରେ ମଙ୍ଗୋଲପୁରୀର Y-ବ୍ଲକ୍ର ବାସିନ୍ଦା କାନ୍ତା ପ୍ରସାଦଙ୍କୁ ‘ମୃତ’ ଦର୍ଶାଇ ASDD (Absent, Shifted, Dead and Duplicate) ତାଲିକାରେ ସାମିଲ କରାଯାଇଥିଲା। ଯଦିଓ ସେ ଜୀବିତ ଅଛନ୍ତି। ଏହି ଘଟଣାକୁ ମଧ୍ୟ ଏଟିଭି ଭାରତ ପ୍ରମୁଖତାର ସହ ରିପୋର୍ଟ କରିଥିଲା। ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ କରି ଗାନ୍ଧି କହିଛନ୍ତି ଯେ, ଏହି ଅଞ୍ଚଳରୁ ଭୋଟର ତାଲିକାରୁ ବାଦ ପଡ଼ିଥିବା ଲୋକମାନେ ଦଶନ୍ଧି ଧରି ସେଠାରେ ରହୁଛନ୍ତି। ସେମାନେ ୨୦୨୪ ଲୋକସଭା ନିର୍ବାଚନ ଏବଂ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ମଧ୍ୟ ଭୋଟ୍ ଦେଇଥିଲେ।
୨୦୨୩ରେ ସେମାନଙ୍କ ଘର ଭଙ୍ଗାଯାଇଥିଲା। ତଥାପି ସେମାନେ ସେଠାରୁ ଯାଇନଥିଲେ ଏବଂ ସେଠାରେ ହିଁ ରହୁଥିଲେ ବୋଲି ରାହୁଲ ଗାନ୍ଧି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ କରିଥିବା ଏକ ଭିଡିଓରେ କହିଛନ୍ତି। ସେ ଲେଖିଛନ୍ତି, “ଆଜି ମୁଁ ସେମାନଙ୍କ ବସ୍ତିକୁ ଯାଇଥିଲି ଏବଂ ନିର୍ବାଚନ କମିଶନ ସେମାନଙ୍କ ସହ କ’ଣ କରିଛି, ତାହା ସେମାନଙ୍କଠାରୁ ସିଧାସଳଖ ଶୁଣିଲି। ମୁଁ ଫୋନ୍ରେ SDMଙ୍କୁ କହିଥିଲି—ଘର ଥିବା କି ନଥିବା ସହ ଭୋଟ୍ ଦେବାର ଅଧିକାରର କୌଣସି ସମ୍ପର୍କ ନାହିଁ। CEC ଜ୍ଞାନେଶ କୁମାର ନିଜେ କହିଛନ୍ତି ଯେ ‘House Number 0’ ଗୃହହୀନ ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ। ତଥାପି ୭୨୭ ଜଣଙ୍କ ନାଁ ବାଦ ଦିଆଯାଇଛି।” ରାହୁଲ ଆହୁରି କହିଛନ୍ତି, “ଏହା SIR ନୁହେଁ; ଏହା ଭୋଟ୍ ଚୋରି କରିବାର ଏକ ପଦ୍ଧତି। ଯେଉଁମାନଙ୍କ ପାଖରେ ପୂର୍ବରୁ ସବୁଠାରୁ କମ୍ ଅଛି, ସେମାନଙ୍କଠାରୁ ସେମାନଙ୍କର ଏକମାତ୍ର ଶକ୍ତିର ଉତ୍ସ ମଧ୍ୟ ଛଡ଼ାଇ ନିଆଯାଉଛି। ଜ୍ଞାନେଶ କୁମାର ଦିନେ ନା ଦିନେ ପଦ ଛାଡ଼ିବେ, କିନ୍ତୁ ଯେଉଁ ବ୍ୟବସ୍ଥା ତାଙ୍କୁ ଏପରି କରିବାକୁ ବାଧ୍ୟ କରିଛି, ତାହା ମଧ୍ୟ ଉତ୍ତରଦାୟୀ ହେବ।” ବେଲା ଇଷ୍ଟେଟ୍ ଅଞ୍ଚଳରେ ଭୋଟର ତାଲିକାରେ ତ୍ରୁଟି ନେଇ ନାଗରିକମାନଙ୍କ ଚିନ୍ତା ପ୍ରକାଶ ପାଇବା ପରେ ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଅଶୋକ କୁମାର ସ୍ପଷ୍ଟ କରିଥିଲେ ଯେ, ଏହା କେବଳ ଏକ ଡ୍ରାଫ୍ଟ ତାଲିକା, ଚୂଡ଼ାନ୍ତ ଭୋଟର ତାଲିକା ନୁହେଁ। ଯେଉଁ ବ୍ୟକ୍ତିଙ୍କ ନାଁ ଭୁଲ୍ବଶତଃ ବାଦ ପଡ଼ିଛି କିମ୍ବା ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ଯୁବକ ଓ ଯୁବତୀମାନେ ସେପ୍ଟେମ୍ବର ୩୦ ସୁଦ୍ଧା Form 6 ପୂରଣ କରି ନିଜ ନାଁ ପଞ୍ଜୀକରଣ ପାଇଁ ଦାବି ଦାଖଲ କରିପାରିବେ ବୋଲି CEO କହିଥିଲେ।

