ନୂଆଦିଲ୍ଲୀର ଜନ୍ତରମନ୍ତରରେ CJPର ଆନ୍ଦୋଳନ ଆଜି ବି ଜାରି ରହିପାରେ। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ SIR ପ୍ରକ୍ରିୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କକରୋଚ୍ ଜନତା ପାର୍ଟି। ସିଇସି ଇସ୍ତଫା ନଦେବା ଯାଏ ପ୍ରତିଦିନ ଜନ୍ତରମନ୍ତରକୁ ମାର୍ଚ୍ଚ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ସିଜେପି ନେତା ଆଜିଙ୍କ୍ୟ ସିନ୍ଦେ। ସେପଟେ ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦିପକେ ଏବଂ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଛାଡି ଅନ୍ୟ ସମସ୍ତ ଅଟକଙ୍କୁ ପୋଲିସ ଛାଡିଦେଇଥିବା ସୂଚନା ମିଳିଛି । ସେପଟେ ପରିଚିତ ୟୁଟ୍ୟୁବର ଧ୍ରୁବ ରାଠିଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡିଛି।ତେଣେ ଆନ୍ଦୋଳନକୁ ନେଇ ତେଜିଛି ରାଜନୀତି। ଅଟକ ଥିବା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଛାଡିଛି ପୋଲିସ। ବିରୋଧୀଙ୍କ ଉପରେ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ରବିଶଙ୍କର ପ୍ରସାଦ। କହିଛନ୍ତି, CJP ଆମ ଆଦମୀ ପାର୍ଟି ପାଇଁ ଛାୟା ଯୁଦ୍ଧ କରୁଛି । ଆପ୍ ଓ ଟିଏମସି ଭଳି ପରାଜିତ ଓ ନିରାଶ ନେତା ମାନେ ରାଜପଥ ଆନ୍ଦୋଳନକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, କେଜରିୱାଲ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ଦିଲ୍ଲୀ ବାସୀଙ୍କୁ ବ୍ୟବହାର କରୁଛନ୍ତି, ଅରାଜକତାକୁ ଉସୁକାଉଛନ୍ତି । ଅନ୍ୟପଟେ କକରୋଚ୍ ଜନତା ପାର୍ଟି (CJP) ନେତା ଅଭିଜିତ ଦୀପକେଙ୍କ ପରିବାରରୁ ଆସିଛି ଦୁଃଖଦ ଖବର । ୮୫ ବର୍ଷ ବୟସରେ ଅଭିଜିତ୍ଙ୍କ ଜେଜେମା’ ସାବିତ୍ରୀବାଇ ଶଙ୍କର ଦୀପକେଙ୍କ ଦେହାନ୍ତ ହୋଇଛି । ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲା ଅନ୍ତର୍ଗତ ତାଙ୍କ ପୈତୃକ ଗାଁ ସନ୍ତୁକ ପିମ୍ପ୍ରିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ଓ ବାରମ୍ୱାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଥିଲା । ଅଭିଜିତ୍ ଦୀପକେଙ୍କ ପ୍ରତିବାଦ ଓ ଦିଲ୍ଲୀର ଘଟଣାବଳୀକୁ ନେଇ ପରିବାର ପୂର୍ବରୁ ଚିନ୍ତିତ ଥିଲେ ମଧ୍ୟ, ଏବେ ଜେଜେମା’ଙ୍କ ମୃତ୍ୟୁ ସେମାନଙ୍କୁ ଗଭୀର ଭାବରେ ମର୍ମାହତ କରିଛି । ଅନ୍ୟ ପଟେ, ଅଭିଜିତ ଦିଲ୍ଲୀରେ ପୁଲିସ ହେପାଜତରେ ଥିବାରୁ ସେ ଜେଜେମା’ଙ୍କ ଶେଷକୃତ୍ୟରେ ସାମିଲ ହୋଇପାରିବେ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି ।

