20 Oct 2026, Tue

୬ ବର୍ଷ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଲା ଗୁଣ୍ଡିଚା ମନ୍ଦିର !

ପୁରୀର ଐତିହାସିକ ଶ୍ରୀଗୁଣ୍ଡିଚା ମନ୍ଦିର ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ପୁଣିଥରେ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଛି । ଏହି ଅବସରରେ ଶ୍ରଦ୍ଧାଳୁମାନଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। କରୋନା ମହାମାରୀ ସମୟରୁ ଅର୍ଥାତ୍ ୨୦୨୦ ମସିହାରୁ ଗୁଣ୍ଡିଚା ମନ୍ଦିର ସାଧାରଣ ଭକ୍ତଙ୍କ ପ୍ରବେଶ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଯଦିଓ ପ୍ରତିବର୍ଷ ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ଆଡ଼ପ ମଣ୍ଡପ ଦର୍ଶନ ଦିନଗୁଡ଼ିକୁ ବାଦ ଦିଆଯାଏ, ତଥାପି ଅନ୍ୟ ସମୟରେ ଦୀର୍ଘ ବର୍ଷ ଧରି ଭକ୍ତମାନେ ଏହି ପବିତ୍ର ମନ୍ଦିର ପରିଦର୍ଶନରୁ ବଞ୍ଚିତ ହୋଇ ରହିଥିଲେ। ବର୍ତ୍ତମାନ ମନ୍ଦିର ଖୋଲିବା ପରେ ପ୍ରତିଦିନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତ ଓ ସାଧାରଣ ଲୋକେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ। ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବାର ପ୍ରଥମ ୩ ଦିନ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ନିଶୁଳ୍କ ରହିବ। ଏହାପରେ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ତେବେ ବୃଦ୍ଧ, ଶିଶୁ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସବୁବେଳେ ନିଶୁଳ୍କ ପ୍ରବେଶର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ନୂତନ ବ୍ୟବସ୍ଥା ଅନୁସାରେ, ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରିବେ। ମନ୍ଦିର ଭିତର ବେଢ଼ା ପରିକ୍ରମା ଏବଂ ଦର୍ଶନ ସରିବା ପରେ ସେମାନେ ପୁଣି ସିଂହଦ୍ୱାର ଦେଇ ବାହାରକୁ ବାହାରିବେ। ଭକ୍ତମାନଙ୍କ ସୁବିଧା ନିମନ୍ତେ ଜୋତା, ମୋବାଇଲ ଫୋନ୍ ଆଦି ସୁରକ୍ଷିତ ଭାବେ ରଖିବା ପାଇଁ ନିଶୁଳ୍କ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ, ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ପାର୍ଶ୍ୱରେ ଥିବା ଆନନ୍ଦ ବଜାରର ଉନ୍ନତିକରଣ କାମ ଜାରି ରହିଥିବାରୁ ସେହି ପଟେ ପ୍ରସ୍ଥାନ ବ୍ୟବସ୍ଥା ବର୍ତ୍ତମାନ ପାଇଁ ବନ୍ଦ ରଖାଯାଇଛି। ତେଣୁ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ଯାତାୟାତ କରିବେ ।

Leave a Reply

Your email address will not be published. Required fields are marked *