ଏମଏମଡିଆର ଆକ୍ଟ ସଂଶୋଧନ କରି ରାଜ୍ୟର ସ୍ୱାର୍ଥ ଓ ଅଧିକାର ଛଡ଼ାଇ ନିଆଯାଇଥିବା ଅଭିଯୋଗ କରି ରାଜଧାନୀ ରାଜମାର୍ଗରେ ଗର୍ଜିଥିଲା ବିଜେଡି । ବିକ୍ଷୋଭରେ ଯୋଡି ହୋଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ବିଜେଡିର କାଦୁଆ ଫୋପାଡାକୁ କାଉଣ୍ଟର କରିଛନ୍ତି ସରକାରୀ ଗୋଷ୍ଠୀ । ରାଜ୍ୟର ବିଜେପି ସାଂସଦମାନେ ଦସ୍ତାବିଜ ଓ ଆଇନଗତ ତଥ୍ୟ ଆଣି ବିରୋଧୀଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । ରାଜ୍ୟରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଖଣିଜ ରାଜସ୍ୱ କ୍ଷତି ପାଇଁ କେନ୍ଦ୍ରର ନୂଆ ଆଇନ ନୁହେଁ ବରଂ ବିଜେଡିର ୨୪ ବର୍ଷର ଶାସନ, ଆଇନଗତ ଅପାରଗତା ଓ ଦୁର୍ନୀତି ହିଁ ମୁଖ୍ୟତଃ ଦାୟୀ ବୋଲି ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଂସଦ ସମ୍ବିତ ପାତ୍ର, ଅପରାଜିତା ଷଡ଼ଙ୍ଗୀ, ବିଭୂପ୍ରସାଦ ତରାଇ, ଅନୀତା ପ୍ରିୟଦର୍ଶିନୀ ଓ ରବିନ୍ଦ୍ର ନାରାୟଣ ବେହେରା ସିଧାସଳଖ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବିଜେପିର ପୁରୀ ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ, ଏମଏମଡିଆର ସଂଶୋଧନ ଆଇନରେ ରାଜ୍ୟର ସଂଘୀୟ ଢାଂଚା କିମ୍ବା ଟିକସ ଆଦାୟ ଅଧିକାରକୁ କଦାପି ଛଡ଼ାଇ ନିଆଯାଇ ନାହିଁ। ଆଇନ ଅନୁସାରେ କେନ୍ଦ୍ର ସରକାର ଯେଉଁ ସର୍ତ୍ତାବଳୀ ଓ ନିୟମାବଳୀ ପ୍ରସ୍ତୁତ କରିବେ, ତାହା ମଧ୍ୟରେ ରହି ରାଜ୍ୟ ସରକାର ଟିକସ ଲାଗୁ କରିପାରିବେ। ଏପର୍ଯ୍ୟନ୍ତ ଏହାର ନିୟମାବଳୀ ଚୂଡ଼ାନ୍ତ ହୋଇନଥିବା ବେଳେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ଖଣିଜ ରାଜ୍ୟଗୁଡ଼ିକ ସହିତ ବସି ଆଲୋଚନା କରାଯାଇ ରାଜ୍ୟ ଅନୁକୂଳ ନିୟମ ତିଆରି ହେବ। ଦେଶରେ ଖଣିଜ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ ଓ ସମାନତା ନରହିଲେ ଲୁହାପଥର ଓ କୋଇଲାର ଅହେତୁକ ଦରବୃଦ୍ଧି ଘଟିବ, ଯାହାର ସିଧାସଳଖ ବୋଝ ସାଧାରଣ ଲୋକଙ୍କ ଘର ନିର୍ମାଣ ସାମଗ୍ରୀ ଓ ବିଦ୍ୟୁତ୍ ବିଲ୍ ଉପରେ ପଡ଼ିବ।
ବିଜେଡି ଯେଉଁ ଲକ୍ଷେ କୋଟି ଟଙ୍କାର ରାଜସ୍ୱ କ୍ଷତିର ଅଭିଯୋଗ କରୁଛି, ତାହାର ଅସଲ କାରଣ ବିଜେଡିର ନିଜସ୍ୱ ଅପାରଗତା ବୋଲି କହି ସେ ତଥ୍ୟ ରଖିଛନ୍ତି। ଶ୍ରୀ ପାତ୍ର ହିସାବ ଦେଇ କହିଛନ୍ତି ଯେ ଏହି ପରିମାଣ ପ୍ରାୟ ୬୨ ହଜାର କୋଟି ଟଙ୍କା। ସୁପ୍ରିମକୋର୍ଟଙ୍କ ୯ଜଣିଆ ଖଣ୍ଡପୀଠ ମାଡା ବନାମ ସେଲ୍ ମାମଲାରେ ରାଜ୍ୟମାନଙ୍କୁ ୨୦୦୫ ମସିହାରୁ ପିଛିଲା ଭାବେ ଟିକସ ଆଦାୟ କରିବାର ଅଧିକାର ଦେଇଥିଲେ ମଧ୍ୟ ଓଡ଼ିଶା ତାହା ପାଇବାରୁ ବଂଚିତ ହୋଇଛି । କାରଣ ୨୦୦୪-୦୫ ମସିହାରେ ପ୍ରସ୍ତୁତ ‘ଓରିସେଟ୍’ ଆଇନକୁ ହାଇକୋର୍ଟ ସ୍ଥଗିତାଦେଶ ଦେବା ପରେ, ତତ୍କାଳୀନ ବିଜେଡି ସରକାର ଦୀର୍ଘ ୧୮ବର୍ଷ ଧରି ସୁପ୍ରିମକୋର୍ଟରେ ଏହି ମାମଲାକୁ ଠିକ୍ ଭାବେ ଆଗେଇ ନେଲେ ନାହିଁ କିମ୍ବା ଆଇନରେ କୌଣସି ସଂଶୋଧନ କଲେ ନାହିଁ। ରାଜ୍ୟ ପାଖରେ କୌଣସି ଆଇନଗତ ଢାଂଚା ନଥିବାରୁ ଆଜି ସେହି ବିପୁଳ ବକେୟା ଟଙ୍କା ଆଦାୟ ହୋଇପାରୁନାହିଁ, ଯାହାର ସମ୍ପୂର୍ଣ୍ଣ ଦୋଷ ପୂର୍ବ ସରକାରଙ୍କର ବୋଲି କହିଛି ବିଜେପି ।

