ବିଘ୍ନହର୍ତ୍ତା ଗଣେଶଙ୍କ ପର୍ବ ଗଣେଶ ଚତୁର୍ଥୀ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ପଡିଥାଏ । ସମସ୍ତ ଦେବତାଙ୍କ ପୂଜା ପୂର୍ବରୁ ପ୍ରଥମେ ଶ୍ରୀ ଗଣେଶଙ୍କ ଉପାସନା କରାଯାଇଥାଏ । ସେ ହେଉଛନ୍ତି ଅଗ୍ରପୂଜ୍ୟ । ତେବେ ଜ୍ୟୋତିଷଶାସ୍ତ୍ରୀଙ୍କ ଅନୁଯାୟୀ ଗଣେଶଙ୍କ କୃପା ଲାଭ କରିଥିବା ବ୍ୟକ୍ତିଙ୍କୁ ରିଦ୍ଧି-ସିଦ୍ଧି ମିଳିବା ସହିତ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ । ଗଣେଶଙ୍କ ପୂଜା କରିବା ସମୟରେ କେତେ ଗୁଡିଏ ବିଶେଷ ଦିଗ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ । ଏହି ସମୟରେ ନୀଳ କିମ୍ବା କଳା ରଙ୍ଗର ବସ୍ତ୍ର ପିନ୍ଧିବା ବର୍ଜନୀୟ । ଗଣେଶଙ୍କ ପୂଜା ସମୟରେ ଲାଲ କିମ୍ବା ହଳଦିଆ ବସ୍ତ୍ର ପିନ୍ଧିବା ଶୁଭ । ମନେରଖିବେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମାଙ୍କ ଦର୍ଶନ ଜମା ବି କରିବା ଉଚିତ ନୁହେଁ । ଗଣେଶଙ୍କ ପୂଜା କରିବା ସମୟରେ ଦୁବ ଘାସ, ଆଖୁ, ଵୁନ୍ଦଇ ଲଡୁ ଆଦି ଭୋଗ ଆକାରରେ ଚଢ଼ାଇବା ଉଚିତ । ଗଣେଶଙ୍କ ମୂର୍ତ୍ତି କିଣିବା ସମୟରେ ଧ୍ୟାନରେ ରଖିବେ ତାଙ୍କ ଶୁଣ୍ଢ ଡାହାଣ ପଟକୁ ଥିବ । ଯାହାଦ୍ୱାରା ଧନ ତଥା ବୈଭବ ଲାଭ ହୋଇଥାଏ ।
ଏଥି ସହ ଗଣେଶ ଚତୁର୍ଥୀରେ ଘରେ ଗଣପତିଙ୍କୁ ସ୍ଥାପନ କରିବା ସମୟରେ ପୂଜା ସାମଗ୍ରୀରେ ଗୁଆ ରଖିବାର ବିଶେଷ ପରମ୍ପରା ରହିଛି। ହିନ୍ଦୁ ପୂଜା ପଦ୍ଧତିରେ ଗୁଆକୁ ପୂର୍ଣ୍ଣତା, ସ୍ଥିରତା ଓ ଦୃଢ଼ ସଂକଳ୍ପର ପ୍ରତୀକ ଭାବେ ଗ୍ରହଣ କରାଯାଏ। କୌଣସି ଦେବତାଙ୍କର ପ୍ରତିମା ଉପଲବ୍ଧ ନଥିଲେ କିମ୍ବା କୌଣସି ଅନୁଷ୍ଠାନରେ ପ୍ରତୀକାତ୍ମକ ସ୍ଥାପନା କରିବାକୁ ହେଲେ ଗୁଆକୁ ବ୍ୟବହାର କରାଯାଏ। ଗଣେଶ ପୂଜାରେ ମଧ୍ୟ ସୁପାରିକୁ ରିଦ୍ଧି ଓ ସିଦ୍ଧିଙ୍କ ପ୍ରତୀକ ଭାବେ ପୂଜା କରିବାର ପରମ୍ପରା ରହିଛି। ସେଥିପାଇଁ ପୂଜା ସମୟରେ ଗଣେଶଙ୍କ ସହ ଦୁଇଟି ଗୁଆ ରଖାଯାଏ। ଗୋଟିଏ ଗୁଆ ରିଦ୍ଧି ଏବଂ ଅନ୍ୟଟି ସିଦ୍ଧିଙ୍କ ପ୍ରତୀକ ବୋଲି ଧରାଯାଏ। ଗଣେଶଙ୍କ ପୂଜା ସହ ରିଦ୍ଧି-ସିଦ୍ଧିଙ୍କୁ ସ୍ମରଣ କରି ସୁଖ, ସମୃଦ୍ଧି, ବୁଦ୍ଧି ଓ କାର୍ଯ୍ୟସିଦ୍ଧି ପାଇଁ ପ୍ରାର୍ଥନା କରାଯାଏ।

