ଜମୁଇ ଘଟଣାର କିଛି ଦିନ ପରେ ଓଡ଼ିଶାରେ ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଏବେ ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି । ରାସ୍ତାରେ ଯାଉଥିବା ଲୋକଙ୍କ ସୁରକ୍ଷା ଏବଂ ମହିଳାଙ୍କ ପ୍ରତି ସମ୍ମାନକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ବିହାର ଜମୁଇ ପରେ ଏବେ ଓଡିଶାରେ ସମାନ ଘଟଣା । ପଶୁ ଭଳି ହିଂସ୍ର ବ୍ୟବହାର କରୁଛନ୍ତି ମଣିଷ ? ଢେଙ୍କାନାଳରେ ଏକ ଭାଇରାଲ୍ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିଛାଟିଆ ରାସ୍ତାରେ ଜଣେ ଯୁବତୀ ଓ ତାଙ୍କ ସହ ଥିବା ଯୁବକଙ୍କୁ ଅଟକାଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଦ୍ରୁତଗତିରେ ଭାଇରାଲ୍ ହେଉଛି । ସୂଚନା ଅନୁସାରେ, ଯୁବତୀ ଓ ଯୁବକ ମୋଟର ସାଇକେଲ୍ରେ କପିଳାଶ ପାହାଡ଼ରେ ଥିବା ପ୍ରସିଦ୍ଧ ଶିବ ମନ୍ଦିର ଅଭିମୁଖେ ଯାଉଥିଲେ । ଏହି ସମୟରେ ରାସ୍ତାରେ କିଛି ଲୋକ ସେମାନଙ୍କୁ ଅଟକାଇଥିବା ଭିଡିଓରେ ଦେଖାଯାଉଛି । ଯୁବକଙ୍କ ସହ ମାଡ଼ପିଟ୍ ହେଉଥିବା ବେଳେ ଯୁବତୀ ମଧ୍ୟ ସହାୟତା ପାଇଁ ଡାକୁଥିବା ଶୁଣାଯାଉଛି । ଯାହା ପୁଣି ଥରେ ଇଣ୍ଟରନେଟକୁ ବ୍ୟଥିତ କରିଛି । ଭିଡିଓଟି ସାମ୍ନାକୁ ଆସିବା ପରେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛି । ଗୋଣ୍ଡିଆ ଥାନାରେ ଏତଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତ ଆଧାରରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଢେଙ୍କାନାଳ ଏସ୍ପି ଅଭିନବ ସୋନକର କହିଛନ୍ତି, ଭାଇରାଲ୍ ଭିଡିଓକୁ ଆଧାର କରି ତଦନ୍ତ ଚାଲିଛି । ଅଟକ ଦୁଇ ଜଣଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ମିଳିଲେ ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାରେ ଆଉ କେହି ସାମିଲ ଥିଲେ କି ନାହିଁ, ତାହା ମଧ୍ୟ ପୋଲିସ ଯାଞ୍ଚ କରୁଛି। ତେବେ ଭାଇରାଲ୍ ଭିଡିଓର ସତ୍ୟତା ଓ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ତେବେ ଏହି ଘଟଣା ପୂର୍ବରୁ କିଛି ଦିନ ତଳେ ବିହାରର ଜମୁଇରେ ଘଟିଥିବା ଏକ ସମାନ ଅଭିଯୋଗକୁ ନେଇ ମଧ୍ୟ ଦେଶ ସାରା ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଏକ ଘଟଣା ନେଇ ଅନେକ ଲୋକ ଚିନ୍ତା ପ୍ରକଟ କରିଛନ୍ତି । ତେବେ ଜମୁଇ ଘଟଣାରେ ମଧ୍ୟ ରାସ୍ତାରେ ଜଣେ ଯୁବକ ଓ ଯୁବତୀଙ୍କୁ ଅଟକାଇ ହଇରାଣ କରାଯାଇଥିବା ଭିଡିଓ ଭାଇରାଲ୍ ହୋଇଥିଲା। ସେଠାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି ।

