20 Oct 2026, Tue

ପୁରୁଣା ମାମଲାରେ ଫସିଲେ ଜ୍ଞାନେଶ କୁମାର !

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ରାଜନୈତିକ ବିବାଦ ଏବେ ଆହୁରି ତୀବ୍ର ହୋଇଛି। ପ୍ରାୟ ଦୁଇ ଦଶନ୍ଧି ପୁରୁଣା ଏକ ମାମଲାର ଭିଜିଲାନ୍ସ ତଦନ୍ତ ପୁଣି ଆରମ୍ଭ କରିବାକୁ କେରଳର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ନିର୍ଦ୍ଦେଶ ଦେଇଥିବା ଖବର ସାମ୍ନାକୁ ଆସିଛି। ଏହି ପୁରୁଣା ମାମଲାର ସମ୍ପର୍କ କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରକଳ୍ପ ସହିତ ରହିଛି। ୨୦୦୬ ମସିହାରେ ଜ୍ଞାନେଶ କୁମାର କେରଳ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟର ସଚିବ ଥିବା ସମୟର ଏହି ମାମଲାକୁ ନେଇ ଭିଜିଲାନ୍ସ ତଦନ୍ତ ହୋଇଥିଲା। ପାଟି-ବେଲ୍ ନାମକ ଏକ ଇଣ୍ଡୋ-ମାଲେସିଆନ୍ କନସୋର୍ଟିୟମ୍ ସହିତ ଜଡ଼ିତ ଥିବା ଜଣେ ବିଦେଶୀ ଇଞ୍ଜିନିୟର ଲି ସି ବୀନଙ୍କ ମୃତ୍ୟୁ ପରେ ଏହି ମାମଲା ଚର୍ଚ୍ଚାକୁ ଆସିଥିଲା। ରିପୋର୍ଟ ଅନୁସାରେ, ଇଞ୍ଜିନିୟରଙ୍କ ଲେଖିଥିବା ଏକ ନୋଟ୍‌ରେ ଜ୍ଞାନେଶ କୁମାରଙ୍କ ନାମ ଥିବା ଅଭିଯୋଗ ହୋଇଥିଲା। ପ୍ରକଳ୍ପର ବିଲ୍ ଏବଂ ଦେୟ ପ୍ରଦାନକୁ ନେଇ ବିବାଦ ହୋଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି। ଏହାପରେ ତତ୍କାଳୀନ ଏଲଡିଏଫ୍ ସରକାର ମାମଲାର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ କଂଗ୍ରେସ ନେତା ମଲାଇନକିଝୁ ଭେନୁଗୋପାଲଙ୍କ ଅଭିଯୋଗ ପରେ ମାମଲାଟି ପୁଣି ଥରେ ସାମ୍ନାକୁ ଆସିଛି। ପ୍ରକଳ୍ପରେ କଥିତ ଦୁର୍ନୀତି ଏବଂ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାର ପୁନଃତଦନ୍ତ ପାଇଁ ଅଭିଯୋଗରେ ଦାବି କରାଯାଇଥିଲା। ଏହାପରେ କେରଳ ଗୃହ ବିଭାଗ ପୂର୍ବରୁ ହୋଇଥିବା ଭିଜିଲାନ୍ସ ତଦନ୍ତର ରେକର୍ଡ ତଲବ କରିଥିବା ଜଣାପଡ଼ିଛି। ପୁରୁଣା ତଦନ୍ତରେ କ’ଣ ନିଷ୍କର୍ଷ ବାହାରିଥିଲା ଏବଂ କେଉଁ କେଉଁ ଦିଗ ପୁଣି ଯାଞ୍ଚ ହେବ, ତାହା ରେକର୍ଡ ସମୀକ୍ଷା ପରେ ସ୍ପଷ୍ଟ ହେବ।
ସବୁଠାରୁ ବଡ଼ କଥା ହେଉଛି, ଏହି ମାମଲା ଏମିତି ସମୟରେ ପୁଣି ଚର୍ଚ୍ଚାକୁ ଆସିଛି, ଯେତେବେଳେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି। କେରଳର ଗୃହମନ୍ତ୍ରୀ ରମେଶ ଚେନ୍ନିଥାଲା ମଧ୍ୟ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିବା ଖବର ରହିଛି। ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ତେବେ, ଏହି ପୁରୁଣା ମାମଲାରେ ଜ୍ଞାନେଶ କୁମାରଙ୍କ ବିରୋଧରେ କୌଣସି ଅଭିଯୋଗ ପ୍ରମାଣିତ ହୋଇଛି କି ନାହିଁ, ତାହା ବର୍ତ୍ତମାନର ତଦନ୍ତ ଏବଂ ସରକାରୀ ରେକର୍ଡର ସମୀକ୍ଷା ପରେ ହିଁ ସ୍ପଷ୍ଟ ହେବ । ଏହି ଘଟଣା ଏବେ ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି ।

Leave a Reply

Your email address will not be published. Required fields are marked *