ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଘରୋଇ ବିବାଦକୁ ନେଇ ପତ୍ନୀଙ୍କ ମୃତ୍ୟୁ । ନୟାପଲ୍ଲୀ ଥାନା ବ୍ରିଟ୍ କଲୋନୀରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାରେ । ପୋଲିସ ସୂଚନା ଅନୁଯାୟୀ, ବନସ୍ମିତା ସ୍ୱାଇଁଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ତାଙ୍କୁ ତାୱାରେ ଆକ୍ରମଣ କରାଯାଇଥିବା ପୋଲିସ କହିଛି । ଘଟଣା ପରେ ବନସ୍ମିତାଙ୍କ ମୃତ୍ୟୁ ହୋଇଥିଲା । ମୃତା ବନସ୍ମିତା ସ୍ୱାଇଁଙ୍କ ବୟସ ୨୬ ବର୍ଷ । ପ୍ରାୟ ଦେଢ଼ ବର୍ଷ ତଳେ ସେ ସର୍ବେଶ୍ୱର ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ । ଏହି ଦମ୍ପତିଙ୍କର ଏକ ୩ ମାସର ଶିଶୁପୁତ୍ର ମଧ୍ୟ ରହିଛି । ମା’ଙ୍କ ମୃତ୍ୟୁ ପରେ ଶିଶୁଟି ମାତୃହରା ହୋଇଛି । ଘଟଣା ସମ୍ପର୍କରେ ଖବର ପାଇବା ପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଏହା ସହିତ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ଜୋନ୍-୫ ଏସିପି ବିଶ୍ୱରଞ୍ଜନ ସେନାପତିଙ୍କ କହିବା ଅନୁଯାୟୀ, ପତ୍ନୀଙ୍କ ଉପରେ ଆକ୍ରମଣ ପରେ ତାଙ୍କ ମୃତ୍ୟୁ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ କହିଛି ଯେ, ଅଭିଯୁକ୍ତ ସର୍ବେଶ୍ୱର ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଘଟଣା ପଛର ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ କ୍ରମ ସମ୍ପର୍କରେ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସିପି କହିଛନ୍ତି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବନସ୍ମିତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବାଲିକଣା ଗାଁରେ । ସେହିପରି ସର୍ବେଶ୍ୱରଙ୍କ ଘର ରାଜନଗର ଥାନା ଅନ୍ତର୍ଗତ ବେଲପାଳ ଗାଁରେ ବୋଲି ଜଣାପଡ଼ିଛି । ସର୍ବେଶ୍ୱରଙ୍କ ପରିବାର ଦୀର୍ଘଦିନ ଧରି ଭୁବନେଶ୍ୱରର ବ୍ରିଟ୍ କଲୋନୀରେ ରହୁଥିବା କୁହାଯାଉଛି । ତାଙ୍କ ବାପା ଶଶିକାନ୍ତ ପ୍ରଧାନ ଜଣେ ଠିକାଦାର ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ପୋଲିସର କହିବା ଅନୁଯାୟୀ, ପରିବାରର କିଛି ସଦସ୍ୟଙ୍କ ସହ ପୂର୍ବରୁ ମାରପିଟ୍ ଘଟଣା ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ସଠିକ୍ କାରଣ କଣ ଏବଂ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ପରିସ୍ଥିତି କଣ ଥିଲା, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଏବେ ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚଳାଇଛି । ମୃତଦେହର ପୋଷ୍ଟମର୍ଟମ୍ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଏବଂ ଅଭିଯୁକ୍ତଙ୍କ ପଚରାଉଚରା ପରେ ଘଟଣାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ।ଭୁବନେଶ୍ୱରର ଏହି ଘଟଣା ପୁଣିଥରେ ପରିବାର ଭିତରେ ହିଂସା ଏବଂ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ମାମଲାରେ ଆଇନଗତ ପ୍ରକ୍ରିୟା ଏବଂ ପୋଲିସ ତଦନ୍ତ ଜାରି ରହିଛି ।

