19 Oct 2026, Mon

ଏହି ମନ୍ଦିରକୁ ଗଲେ ହେବ ଧନ ବର୍ଷା !

ଭାରତକୁ ମନ୍ଦିରର ଦେଶ କୁହାଯାଏ । ପ୍ରତିଟି ଭାରତୀୟ ଇଶ୍ବର ବିଶ୍ବାସୀ କହିଲେ ଭୁଲ୍ ହେବନି । ଏଠି ପ୍ରତିଟି ମନ୍ଦିରର ନିଜସ୍ବ ଇତିହାସ ଓ କିମ୍ବଦନ୍ତୀ ମଧ୍ୟ ରହିଛି। ହେଲେ ଆପଣମାନେ ଜାଣିଛନ୍ତି କି ଏମିତି ଏକ ମନ୍ଦିର ଅଛି ଯେଉଁଠାକୁ ଭକ୍ତମାନେ ଗଲେ ତାଙ୍କର ଧନର ଅଭାବ ରୁହେ ନାହିଁ । ଉତ୍ତରାଖଣ୍ଡରେ ଏମିତି ଏକ ମନ୍ଦିର ଅଛି ଯେଉଁଠିକୁ ଥରେ ଗଲେ ରହିବନି ଧନର ଅଭାବ । ଧନର ଦେବତା କୁବେର ଦେବଙ୍କ ମନ୍ଦିର । କୁହାଯାଏ ଯେ, କୁବେର ଯାହା ଉପରେ ପ୍ରସନ୍ନ ହୋଇଯାନ୍ତି ତାଙ୍କ ଘରେ ଧନର ଅଭାବ ରୁହେ ନାହିଁ । କୁବେର ଦେବଙ୍କ ଏହି ପବିତ୍ର ମନ୍ଦିର ବିଷୟରେ ଅନେକ ଅଦ୍ଭୁତ କାହାଣୀ ରହିଛି। ଏହି ମନ୍ଦିରକୁ ଦର୍ଶନ ପାଇଁ କେବଳ ସାଧାରଣ ଭକ୍ତ ଆସନ୍ତି ତାହା ନୁହେଁ , ଏହି ମନ୍ଦିରକୁ ନିୟମିତ ଦର୍ଶନ କରିବାକୁ ବହୁ ବଡ଼ ବଡ଼ ବ୍ୟବସାୟୀ ଏବଂ ଅର୍ଥ ନିବେଶକମାନେ ଆସିଥାନ୍ତି। ଏହି ମନ୍ଦିରର ସ୍ଥାପତ୍ୟ ଶୈଳୀ ମଧ୍ୟ ଖୁବ୍ ଆକର୍ଷଣୀୟ । ଉତ୍ତରାଖଣ୍ଡ ଅଲମୋଡ଼ା ଜିଲ୍ଲାରୁ ପାଖାପାଖୀ ୪୦ କିଲୋମିଟର ଦୂରରେ ଜାଗେଶ୍ବର ଧାମରେ କୁବେର ଦେବଙ୍କ ମନ୍ଦିର ରହିଛି ।
ଏଠାରେ ୧୨୫ ଦେବଦେବୀଙ୍କ ମନ୍ଦିର ଥିବାବେଳେ କୁବେର ଦେବଙ୍କ ମନ୍ଦିରରେ ସବୁବେଳେ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। କାରଣ ଧାରକରଜରୁ ମୁକ୍ତ ହେବାକୁ ଏଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥାଏ। ଯେଉଁମାନେ ଏହି ମନ୍ଦିରରେ ଦର୍ଶନ କରିବା ପରେ ମୁଦ୍ରା ଚଢ଼ାନ୍ତି, ସେମାନେ ଧାରକରଜରୁ ମୁକ୍ତ ହୋଇଥାନ୍ତି ବୋଲି କାହିଁ କେଉଁ ଯୁଗରୁ ବିଶ୍ବାସ ରହିଛି। କେବଳ ସେତିକି ନୁହେଁ, ଯିଏ ଏଠାକୁ ଦର୍ଶନ ପାଇଁ ଆସନ୍ତି, ସେମାନଙ୍କ ଜୀବନରୁ ଅଭାବ ଅନଟନ ଦୂରେଇଯାଏ । କେବଳ ସେଥିପାଇଁ ଏହି ମନ୍ଦିରକୁ ନିୟମିତ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସନ୍ତି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ସୁନା, ଚାନ୍ଦିର ମୁଦ୍ରା ମଧ୍ୟ ଅର୍ପଣ କରନ୍ତି। ପୂଜା ପରେ ଏହି ମୁଦ୍ରାକୁ ହଳଦିଆ ରଙ୍ଗର କପଡ଼ାରେ ବାନ୍ଧି ଘରକୁ ନେଇଯିବା ଦ୍ବାରା ଭଗବାନଙ୍କ କୃପା ମିଳିଥାଏ ବୋଲି ମଧ୍ୟ ଲୋକେ ବିଶ୍ବାସ କରନ୍ତି। ଏହାଛଡ଼ା ଧାର କରଜରୁ ମୁକ୍ତ ହେବା ପରେ ଶ୍ରଦ୍ଧାଳୁମାନେ ଏଠାକୁ ଆସି ହଳଦିଆ କପଡ଼ା ଚଢ଼ାଇବା ସହ କ୍ଷୀରି ଭୋଗ ଲାଗି କରିଥାନ୍ତି। ଯଦି ଆପଣମାନେ ଏହି ଅଦ୍ଭୁତ ଏବଂ ଦୈବୀ ମନ୍ଦିର ବିଷୟରେ ଅଧିକ ଜାଣିବାକୁ ଚାହୁଁଥିବେ ତେବେ ନିଜେ ଏହି ସ୍ଥାନକୁ ଯାଇ ଏହି ପବିତ୍ର ଏବଂ ଶକ୍ତିଶାଳୀ ସ୍ଥାନର ପରିଦର୍ଶନ କରିପାରିବେ ।

Leave a Reply

Your email address will not be published. Required fields are marked *