ଆଜି ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ୧୭ତମ ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ମୁଖ୍ୟଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ଟି ବିଭାଗର ସମୁଦାୟ ୧,୧୦୧ ଜଣ ନବନିଯୁକ୍ତ ଅଧିକାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବା ଅବସରରେ ଏହା କହିଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସ୍ୱଚ୍ଛ ପ୍ରଶାସନ ମାଧ୍ୟମରେ ସେମାନଙ୍କ ଆକାଂକ୍ଷାକୁ ସାକାର କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ଦର୍ଶାଇ ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବାରେ ନବନିଯୁକ୍ତ ଅଧିକାରୀମାନଙ୍କ ଦକ୍ଷତା, ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ପ୍ରମୁଖ ମୂଳଦୁଆ ସାଜିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ଗତ ୨ ବର୍ଷ ୩ ମାସ ମଧ୍ୟରେ ୧୭ଟି ନିଯୁକ୍ତି ମେଳା ମାଧ୍ୟମରେ ରେକର୍ଡ ୪୬,୫୭୫ ଜଣ ଯୁବକଯୁବତୀଙ୍କୁ ସରକାରୀ ସେବାରେ ନିୟୋଜିତ କରାଯାଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ନିଯୁକ୍ତି ମେଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୮୧୪ ଜଣ ମେଡିକାଲ ଅଫିସର ଓ ୯୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୩୦ ଜଣ, ଓଡ଼ିଶା ରାଜସ୍ୱ ସେବା (ଓଆରଏସ)ର ୪୨ ଜଣ, ଓଡ଼ିଶା ଅର୍ଥ ସେବା ( ଓଏଫଏସ)ର ୪୬ ଜଣ, ଓଡ଼ିଶା ଟିକସ ଓ ହିସାବ ସେବା (ଓଟିଏଏସ)ର ୬୦ ଜଣ ଏବଂ ସମବାୟ ସେବାର ୧୭ ଜଣ ଅଧିକାରୀ ସେବାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ସ୍ୱାସ୍ଥ୍ୟସେବା ପ୍ରାଥମିକତା ଦେଇ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବି ସେବା ଯୋଗାଇଦେବାକୁ ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ନିଜ ଅଭିଭାଷଣରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ସ୍ୱଚ୍ଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ଏକ ପଞ୍ଚସୂତ୍ରୀ ମନ୍ତ୍ର ପ୍ରଦାନ କରିଛନ୍ତି।

