UAEରୁ ଓଡିଶା ପାଇଁ ଆସିଛି ଖୁସି ଖବର । ସଫଳ ହୋଇଛି ମୋହନଙ୍କ ୟୁଏଅ ଗସ୍ତ । ୟୁଏଇ-ଓଡ଼ିଶା ନିବେଶକ ସମ୍ମିଳନୀରୁ ରାଜ୍ୟକୁ ବିପୁଳ ବିଦେଶୀ ପୁଞ୍ଜି ନିବେଶର ଆସିଛି ପ୍ରସ୍ତାବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସଫଳ ଆଲୋଚନା ପରେ ସହଭାଗିତାର ହାତ ବଢ଼ାଇଛନ୍ତି ବହୁ ଶିଳ୍ପପତି। ଖାସ୍ କରି ମେଟାଲ୍ସ ଓ ମିନେରାଲ୍ସ, ଗ୍ରୀନ୍ ଏନର୍ଜି, ଭିତ୍ତିଭୂମି, ଲଜିଷ୍ଟିକ୍ସ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ମିଳିଛି ସୁଯୋଗ। ଏହି ନିବେଶକ ସମ୍ମିଳନୀରୁ ଓଡ଼ିଶାକୁ ୨ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ସହିତ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି ହୋଇଛି। ଗସ୍ତର ଶେଷ ଦିନରେ ଦୁବାଇରେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରି ରାଜ୍ୟରେ ଅଧିକରୁ ଅଧିକ ପୁଞ୍ଜି ନିବେଶ କରିବାକୁ ଅପିଲ୍ ଦେଇଛନ୍ତି।
ପାଞ୍ଚ ଦିନିଆ UAE ଗସ୍ତର ଶେଷ ଦିନରେ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ବାନ। ବୃହତ୍ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା।.. ଆବୁଧାବିରେ ମୁଖ୍ୟମନ୍ତ୍ରୀ ଇଣ୍ଟରନ୍ୟାସନାଲ ହୋଲ୍ଡିଂ କମ୍ପାନୀ (IHC), ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍, ପେଟ୍ରୋ କେମିକାଲ କ୍ଷେତ୍ରର ବୋରଗ୍ (Borouge) ଆଦି ବିଶ୍ୱସ୍ତରୀୟ କଂପାନୀର ପ୍ରମୁଖ ନେତୃତ୍ୱ ଏବଂ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଇଣ୍ଡିଆନ୍ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ୍, ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମର ପ୍ରମୁଖ ନେତୃତ୍ୱମାନଙ୍କ ସହିତ ମଧ୍ୟ ହୋଇଛି ଆଲୋଚନା। ମିଡିଲ୍ ଇଷ୍ଟ ରିସାଇକ୍ଲିଂ ଆସୋସିଏସନ୍ ସହିତ ରାଉଣ୍ଡ ଟେବୁଲ ବୈଠକ, ଓଡ଼ିଶା ବିଜନେସ ଡେଲିଗେସନ୍ ସହିତ ଆଲୋଚନା କରି ନିବେଶକଙ୍କ ପାଇଁ ଓଡ଼ିଶାର ମେଟାଲ୍ସ ଓ ମିନେରାଲ୍ସ, ଗ୍ରୀନ୍ ଏନର୍ଜି, ଭିତ୍ତିଭୂମି, ଲଜିଷ୍ଟିକ୍ସ ଓ ପର୍ଯ୍ୟଟନ ଭଳି କ୍ଷେତ୍ରକୁ ଫୋକସ ଦିଆଯାଇଛି।
IHC ଏବଂ ଅଦାନୀ ଗ୍ରୁପ୍ ମଧ୍ୟରେ ୧୪ଟି ନୂଆ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଏହି ଗସ୍ତର ଏକ ପ୍ରମୁଖ ସଫଳତା। ଏହି ପ୍ରକଳ୍ପଗୁଡ଼ିକରେ ଆନୁମାନିକ ୨ ଲକ୍ଷ ୧୦ ହଜାର ୫୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ପାଖାପାଖି ୮ ଲକ୍ଷ ୬୮ ହଜାର ୨୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ମେଟାଲ୍ ଡାଉନଷ୍ଟ୍ରିମ୍ ଇଣ୍ଡଷ୍ଟ୍ରି, ସ୍ଲରି ପାଇପଲାଇନ୍, କ୍ରିଟିକାଲ୍ ମିନେରାଲ୍ସ ଓ ରେୟାର ଆର୍ଥ, କେମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଉପକରଣ, ସ୍ୱାସ୍ଥ୍ୟସେବା, ଶିଳ୍ପ ଭିତ୍ତିଭୂମି, ପର୍ଯ୍ୟଟନ, ଦକ୍ଷତା ବିକାଶ ଏବଂ କ୍ରୀଡ଼ା ଭିତ୍ତିଭୂମି ଭଳି ପ୍ରମୁଖ କ୍ଷେତ୍ର ସାମିଲ ହୋଇଛି।... ଦୁବାଇରେ ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହିତ ମାରାଥନ ବୈଠକ କରିଥିଲେ।

