20 Oct 2026, Tue

ମୁସ୍କାନ ଓ ସାହିଲକୁ ଫାଶୀଦଣ୍ଡ , ମେରଠ ନୀଳଡ୍ରମ୍ ମାମଲାରେ ଥିଲେ ଦୋଷୀ !

ମେରଠର ଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମାମଲାରେ ଆଜି ଦୋଷୀ ମୁସ୍କାନ ରସ୍ତୋଗୀ ଏବଂ ତାଙ୍କ ପ୍ରେମିକ ସାହିଲଙ୍କୁ ଫାଶୀଦଣ୍ଡ ଦିଆଯାଇଛି । ଅଦାଲତ ୩୦ ସେପ୍ଟେମ୍ବରରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡ ଘୋଷଣା ସମୟରେ ମୁସ୍କାନ ଓ ସାହିଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ିଥିଲେ। କୋର୍ଟରେ ସୌରଭଙ୍କ ମା’ ରେଣୁ ଓ ଭାଇ ବବଲୁ ମଧ୍ୟ ଉପସ୍ଥିତ ଥିଲେ। ସୌରଭଙ୍କ ଓକିଲ କହିଛନ୍ତି, “ବିଚାରପତି ମହାଭାରତର ଉଦାହରଣ ଦେଇ କହିଥିଲେ ଯେ ଅଦାଲତ ନିଜ କର୍ତ୍ତବ୍ୟ କରିବ। ପକ୍ଷରକ୍ଷଣ ପକ୍ଷରୁ ବହୁତ ଚେଷ୍ଟା କରାଯାଇଥିଲା, କିନ୍ତୁ ଶେଷରେ ଆମର ଜିତ ହୋଇଛି। ସୌରଭଙ୍କ ପରିବାର ଏନେଇ କିଛି କହିନଥିଲେ।” କୋର୍ଟ ବାହାରେ ଜଣେ ମହିଳା ଓକିଲ କହିଥିଲେ, “ଆମେ ସାବିତ୍ରୀଙ୍କ ଦେଶର, ମୁସ୍କାନଙ୍କ ନୁହେଁ । ସାବିତ୍ରୀ ନିଜ ସ୍ୱାମୀଙ୍କ ପ୍ରାଣ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଏହି ମାମଲାରେ ମୃତ୍ୟୁଦଣ୍ଡ ହେବା ଉଚିତ୍ ଥିଲା। ଆଇନ ଅନୁଯାୟୀ ଉଭୟଙ୍କୁ ଯଥୋଚିତ ଦଣ୍ଡ ମିଳିଛି।” ୩ ମାର୍ଚ୍ଚ ୨୦୨୫ରେ ମୁସ୍କାନ ନିଜ ପ୍ରେମିକ ସାହିଲଙ୍କ ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ। ପରେ ସୌରଭଙ୍କ ମୃତଦେହକୁ ଏକ ନୀଳ ଡ୍ରମ୍‌ରେ ରଖି ସିମେଣ୍ଟ ଦେଇ ଲୁଚାଇ ଦିଆଯାଇଥିଲା। ୧୨୬ଟି ଶୁଣାଣି ପରେ ଅଦାଲତ ଉଭୟଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ଏହା ମଧ୍ୟ ମାନିଥିଲେ ଯେ ଉଭୟ ମିଶି ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ ଏବଂ ପରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଅଦାଲତ ଦୋଷୀ ସାବ୍ୟସ୍ତ କରି କହିଥିଲେ, “ଏଭଳି ଅପରାଧ ସମାଜରେ ଭୟର ପରିବେଶ ସୃଷ୍ଟି କରେ। ସମସ୍ତ ପ୍ରମାଣର ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି ଯେ ଉଭୟ ମିଶି ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ।” ଦଣ୍ଡ ଘୋଷଣା ପୂର୍ବରୁ ଉଭୟ ଦୋଷୀଙ୍କୁ ନିଜ ପକ୍ଷ ରଖିବା ପାଇଁ ଅଦାଲତ ୧୫ ଦିନ ସମୟ ଦେଇଥିଲେ। ତା’ପରେ ଦଣ୍ଡ ଘୋଷଣା କରାଯିବାକୁ ଥିଲା। ଅଦାଲତ ୧୯ ସେପ୍ଟେମ୍ବରରେ ଦୋଷସିଦ୍ଧି ସମ୍ପର୍କିତ ରାୟ ସଂରକ୍ଷିତ ରଖିଥିଲେ। ସୁପ୍ରିମକୋର୍ଟର ଏକ ଆଦେଶକୁ ଉଲ୍ଲେଖ କରି ଅଦାଲତ କହିଥିଲେ ଯେ ଏପରି ଜଘନ୍ୟ ଅପରାଧ ପାଇଁ ଅପରାଧୀଙ୍କୁ ଯଥୋଚିତ ଦଣ୍ଡ ମିଳିବା ଉଚିତ୍, ଯାହାଦ୍ୱାରା ସମାଜକୁ ସ୍ପଷ୍ଟ ବାର୍ତ୍ତା ଯାଇପାରିବ ।

Leave a Reply

Your email address will not be published. Required fields are marked *