ରୋଗୀ ଡାକ୍ତରଙ୍କ ପାଖକୁ ଯାଆନ୍ତି ଚିକିତ୍ସା ଓ ଔଷଧ ସମ୍ପର୍କିତ ପରାମର୍ଶ ପାଇଁ । କିନ୍ତୁ ଡାକ୍ତରଙ୍କ ପରାମର୍ଶ ପରେ ହାତରେ ଆସୁଥିବା ପ୍ରେସକ୍ରିପସନ୍ରେ ଥିବା ଅନେକ ଶବ୍ଦ ରୋଗୀଙ୍କ ପାଇଁ ସହଜରେ ବୁଝିବା ସମ୍ଭବ ହୁଏନାହିଁ । ଏଭଳି ସମୟରେ ରୋଗୀଙ୍କ ନିଜ ଭାଷାରେ ଚିକିତ୍ସା ସମ୍ପର୍କିତ ନିର୍ଦ୍ଦେଶ ଦେବାର ଏକ ନିଆରା ପ୍ରୟାସ ସାମ୍ନାକୁ ଆସିଛି କୋରାପୁଟର ଏସ୍ଏଲ୍ଏନ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରୁ । ସର୍ଜରୀ ବିଭାଗର ଡାକ୍ତର ଶିବ ପ୍ରସାଦ ସେନାପତି ରୋଗୀଙ୍କ ପାଇଁ ଓଡ଼ିଆ ଭାଷାରେ ପ୍ରେସକ୍ରିପସନ୍ ଲେଖୁଥିବା ନେଇ ଚର୍ଚ୍ଚା ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୋଗୀ ଯେଉଁ ଭାଷାକୁ ସହଜରେ ବୁଝନ୍ତି, ସେହି ଭାଷାରେ ଔଷଧ ଓ ଚିକିତ୍ସା ସମ୍ପର୍କିତ ନିର୍ଦ୍ଦେଶ ବୁଝିପାରିବା। ଏଠାରେ ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ , ଚିକିତ୍ସା ସମ୍ପର୍କିତ ନିର୍ଦ୍ଦେଶ ବୁଝିବାରେ ଏହାର ଗୁରୁତ୍ୱ ରହିଛି । ରୋଗୀ ଯଦି ଔଷଧ କେତେବେଳେ ଖାଇବେ, କେତେ ଦିନ ଚାଲିବ କିମ୍ବା କେଉଁ ନିର୍ଦ୍ଦେଶ ମାନିବାକୁ ହେବ ଏସବୁ ସ୍ପଷ୍ଟ ଭାବେ ବୁଝିପାରନ୍ତି, ତେବେ ଚିକିତ୍ସା ପରାମର୍ଶକୁ ଅନୁସରଣ କରିବା ସହଜ ହୋଇପାରେ । ବିଶେଷକରି ଗ୍ରାମାଞ୍ଚଳ ଓ ମାତୃଭାଷା ଉପରେ ଅଧିକ ନିର୍ଭରଶୀଳ ରୋଗୀଙ୍କ ପାଇଁ ସରଳ ଭାଷାରେ ନିର୍ଦ୍ଦେଶ ମିଳିବା ଉପଯୋଗୀ ହୋଇପାରେ। ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଭାଷାଗତ ଦୂରତା କମାଇବାରେ ଏଭଳି ପଦକ୍ଷେପ ଏକ ଆଲୋଚନାର ବିଷୟ ହୋଇଛି। ତେବେ ପ୍ରେସକ୍ରିପସନ୍ରେ ଔଷଧର ନାମ, ମାତ୍ରା ଓ ବ୍ୟବହାର ସମ୍ପର୍କିତ ସୂଚନା ସ୍ପଷ୍ଟ ଏବଂ ଦ୍ୱନ୍ଦ୍ୱମୁକ୍ତ ହେବା ଅତ୍ୟନ୍ତ ଜରୁରୀ । ତେଣୁ ମାତୃଭାଷାରେ ଲେଖାଯାଇଥିବା ନିର୍ଦ୍ଦେଶ ସହିତ ଚିକିତ୍ସା ସୂଚନାର ସଠିକତା ଓ ସ୍ପଷ୍ଟତା ମଧ୍ୟ ସମାନ ଗୁରୁତ୍ୱ ବହନ କରେ। କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଏହି ପ୍ରୟାସ ଏବେ ରୋଗୀଙ୍କ ପାଇଁ ମାତୃଭାଷାରେ ଚିକିତ୍ସା ସୂଚନା ପହଞ୍ଚାଇବା ନେଇ ଏକ ଆଲୋଚନା ସୃଷ୍ଟି କରିଛି ।

