ଦେଶର କୋଟି କୋଟି ଚାଷୀଙ୍କ ପାଇଁ ବଡ଼ ଖବର। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତିକୁ ଚାଷୀମାନେ ଅପେକ୍ଷା କରି ରହିଛନ୍ତି। ଏହି ସମୟରେ ଦୀପାବଳି ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୨୦୦୦ ଟଙ୍କା ଆସିପାରେ ବୋଲି ଆଶା କରାଯାଉଛି। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ତାରିଖ ଘୋଷଣା କରାଯାଇନାହିଁ । ଏହି ଯୋଜନା ମାଧ୍ୟମରେ ସରକାର ପ୍ରତିବର୍ଷ ଯୋଗ୍ୟ ଚାଷୀ ପରିବାରକୁ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ଦେଉଛନ୍ତି। ଏହି ଟଙ୍କାକୁ ବର୍ଷକୁ ତିନୋଟି କିସ୍ତିରେ, ପ୍ରତ୍ୟେକ ଥର ୨,୦୦୦ ଟଙ୍କା ଲେଖାଏଁ, ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଏ। ଏହା ପୂର୍ବରୁ ସରକାର ଜୁନ୍ ୨୦ ତାରିଖରେ ୨୩ତମ କିସ୍ତି ଜାରି କରିଥିଲେ। ଏବେ ପ୍ରାୟ ଚାରି ମାସ ବିତିବାକୁ ଯାଉଥିବାରୁ ପରବର୍ତ୍ତୀ କିସ୍ତି କେବେ ଆସିବ, ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି । ଦୀପାବଳି ପୂର୍ବରୁ ମିଳିପାରେ କି ୨୦୦୦ ଟଙ୍କା? ପିଏମ୍ କିଷାନ ଯୋଜନାର ନିୟମ ଅନୁଯାୟୀ, ସାଧାରଣତଃ ପ୍ରତି ଚାରି ମାସରେ ଥରେ କିସ୍ତି ଜାରି କରାଯାଏ। ଏହି ସମୟସୀମାକୁ ଦେଖିଲେ ଅକ୍ଟୋବର ମାସରେ ୨୪ତମ କିସ୍ତି ଆସିବାର ସମ୍ଭାବନା ରହିଛି। ନିକଟରେ କୃଷି ବିଭାଗର ଉପକୃଷି ନିର୍ଦ୍ଦେଶକ ନୀଲେଶ ଚୌରାସିଆ ମଧ୍ୟ ପରବର୍ତ୍ତୀ କିସ୍ତି ଅକ୍ଟୋବରରେ ଆସିପାରେ ବୋଲି ସଙ୍କେତ ଦେଇଥିବା ରିପୋର୍ଟରେ କୁହାଯାଇଛି।’ ଚଳିତ ବର୍ଷ ନଭେମ୍ବର ୮ ତାରିଖରେ ଦୀପାବଳି ପାଳନ କରାଯିବ। ତେଣୁ ଏହି ପର୍ବ ପୂର୍ବରୁ ସରକାର ୨୪ତମ କିସ୍ତି ଜାରି କରିପାରନ୍ତି ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ, ତେବେ ଚାଷୀଙ୍କ ପାଇଁ ଏହା ଦୀପାବଳିର ଏକ ବଡ଼ ଉପହାର ହେବ।

