19 Oct 2026, Mon

ପାର୍ବଣକୁ ଫିକା କରିବ ବାତ୍ୟା !

ବର୍ଷା ସମ୍ଭାବନାକୁ ବଢ଼ାଇ ଦେଇଛି ୟୁରୋପୀୟ ମଡେଲ୍ । ଇସିଏମଡବଲୁଏଫ୍ ଆକଳନ ଅନୁସାରେ ୧୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪ରେ ଅବପାତ ରୂପ ନେଇପାରେ। ୧୫ ତାରିଖକୁ ଏହା ଗଭୀର ଅବପାତରେ ପରିଣତ ହୋଇପାରେ। ୧୬ ତାରିଖବେଳକୁ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ। ସେପ୍ଟେମ୍ବର ଶେଷ ସପ୍ତାହରେ ଆସିଥିବା ଗଭୀର ଅବପାତ ଭଳି ଏହା ସ୍ଥଳଭାଗ ଛୁଇଁବା ପରେ ବେଶି ଭିତରକୁ ପ୍ରବେଶ କରିନପାରେ। ଉପକୂଳରେ ହିଁ ଅଧିକ ପ୍ରଭାବ ରହିପାରେ। ବିଶେଷଜ୍ଞଙ୍କ ମତରେ ଯଦି ଏହି ଗତିପଥ ଓ ଆକଳନ ସତ ହୁଏ,ତେବେ ଓଡ଼ିଶାରେ ୧୪ରୁ ବର୍ଷା ହୋଇପାରେ। ୧୮ ଯାଏଁ ବର୍ଷା ପ୍ରକୋପ ରହିପାରେ। ଯଦି ଗଭୀର ଅବପାତ କିମ୍ବା ତା’ଠାରୁ ଅଧିକ ଘନୀଭୂତ ହୁଏ,ବର୍ଷା ପ୍ରକୋପ ଅଧିକ ରହିବ । କିନ୍ତୁ,ଏବେଠାରୁ ସ୍ପଷ୍ଟ ଭାବେ କିଛି କହି ହେବନି। କାରଣ ଏଯାଏଁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇନାହିଁ। ମେଘ ଖଣ୍ଡ ଗଠନ ହୋଇନାହିଁ। ତେଣୁ ୮/୧୦ ତାରିଖବେଳକୁ ସ୍ପଷ୍ଟ ଚିତ୍ର ମିଳିପାରେ। ଯଦି ଏହା ୧୬ କିମ୍ବା ପୂର୍ବରୁ ସ୍ଥଳଭାଗ ଛୁଇଁବ,ତେବେ ଦୁର୍ଗାପୂଜାର ନବମୀ,ଦଶମୀକୁ ପାଗ ପିଟିପାରେ। କିନ୍ତୁ,ବିଳମ୍ବ ହେଲେ ଦଶହରାକୁ ଭିଜାଇପାରେ। ଅକ୍ଟୋବର ମାସରେ ଆଣ୍ଡାମାନ ସାଗର ପଟୁ ଏହି ଲଘୁଚାପ ଆସିବା ସମ୍ଭାବନା ଥିବାରୁ ଅନେକ ଆଶଙ୍କା ରହୁଛି। ଏପଟେ ରାଜ୍ୟରେ ଗରମ ପ୍ରକୋପ ଜାରି ରହିଛି। ମଙ୍ଗଳବାର ୧୫ ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଟପିଛି। ଚାନ୍ଦବାଲିରେ ତାପମାତ୍ରା ସର୍ବାଧିକ ୩୬.୭ ଡିଗ୍ରୀ ଥିଲା । ଏଠାରେ ତାତି ସ୍ବାଭାବିକଠାରୁ ୪.୧ ଡିଗ୍ରୀ ଅଧିକ ରହିଥିଲା। ଢେଙ୍କାନାଳରେ ୩୬.୩ ଡିଗ୍ରୀ ଓ ପୁରୀ,ନୟାଗଡ଼ ଓ ପାରଳାଖେମୁଣ୍ଡିରେ ୩୬ ଡିଗ୍ରୀ ରେକର୍ଡ ହୋଇଛି। ସ୍ବାଭାବିକ ଗରମରେ ଲୋକେ ନାକେଦମ ହୋଇଛନ୍ତି। ଅନ୍ୟ ସହର ମଧ୍ୟରେ ଅନୁଗୁଳରେ ତାପମାତ୍ରା ୩୫.୭ ଡିଗ୍ରୀ,ଟିଟିଲାଗଡ଼ରେ ୩୫.୫,ସୋନପୁରରେ ୩୫.୩,ଛତ୍ରପୁରରେ ୩୫.୨,ତାଳଚେରରେ ୩୫.୨ ଡିଗ୍ରୀ ରେକର୍ଡ ହୋଇଛି। ପୁରୀରେ ସ୍ବାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଅନୁଗୁଳରେ ସ୍ବାଭାବିକଠାରୁ ୨.୬,ଟିଟିଲାଗଡ଼ରେ ୧.୪ଡିଗ୍ରୀ ଅଧିକ ରହିଥିଲା।

Leave a Reply

Your email address will not be published. Required fields are marked *