ଚାକିରି ପାଇଁ ଦୌଡ଼… ଆଖିରେ ଥିଲା ଭଲ ଭବିଷ୍ୟତର ସ୍ୱପ୍ନ। ପରିବାର ପାଇଁ ଏକ ସ୍ଥିର ରୋଜଗାରର ଆଶା ନେଇ ଦୌଡୁଥିଲେ ଜଣେ ଯୁବକ। କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆଉ ମାତ୍ର ୫୦ ମିଟର ବାକି ଥିବାବେଳେ ଘଟିଗଲା ଅଘଟଣ। ଏହି ଘଟଣା ଉତ୍ତରପ୍ରଦେଶର ବରେଲିର । ଶିବମ ଯାଦବଙ୍କ ବୟସ ୨୭ ବର୍ଷ। କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ପାଠ ପଢ଼ିଥିଲେ। ଶିକ୍ଷା ସରିବା ପରେ ଚାକିରି ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେହି ଚେଷ୍ଟା ସଫଳ ହୋଇନଥିଲା। ପରେ ଶିବମ ବିଇଡି ମଧ୍ୟ କରିଥିଲେ। ଆଶା ଥିଲା, ଶିକ୍ଷାଗତ ଯୋଗ୍ୟତା ତାଙ୍କୁ ଏକ ଚାକିରି ଦେବ । କିନ୍ତୁ ଏଠି ମଧ୍ୟ ମିଳିଲା ନାହିଁ ସଫଳତା। ଶେଷରେ ଘରେ ପିଲାମାନଙ୍କୁ ଟ୍ୟୁସନ କରି ଯେତିକି ରୋଜଗାର ହେଉଥିଲା, ସେଥିରେ ପରିବାର ଚଳାଇବାକୁ ଚେଷ୍ଟା କରୁଥିଲେ। ଏହାରି ଭିତରେ ଶିବମଙ୍କ ବାହାଘର ହୋଇଥିଲା। ତାଙ୍କର ଦେଢ଼ ବର୍ଷର ଏକ ଛୋଟ ଝିଅ ମଧ୍ୟ ରହିଛି । ଘରର ଦାୟିତ୍ୱ ବଢ଼ିବା ସହ ନିୟମିତ ଆୟର ଆବଶ୍ୟକତା ମଧ୍ୟ ବଢ଼ିଥିଲା। ତେଣୁ ଶିବମଙ୍କ ଲକ୍ଷ୍ୟ ଥିଲା ଏକ ସରକାରୀ ଚାକିରି। ଏହି ଆଶାରେ ସେ ହୋମଗାର୍ଡ ପଦବୀ ପାଇଁ ଆବେଦନ କରିଥିଲେ। ଚୟନ ପ୍ରକ୍ରିୟାର ଅଂଶ ଭାବେ ତାଙ୍କୁ ଦୌଡ଼ରେ ଭାଗ ନେବାକୁ ପଡ଼ିଥିଲା। ତାଙ୍କୁ ମୋଟ ୧୨ ରାଉଣ୍ଡ ଦୌଡ଼ ପୂରା କରିବାର ଥିଲା । ଶିବମ ହାର ମାନିନଥିଲେ । ପରିବାରର ଭବିଷ୍ୟତକୁ ଆଖି ଆଗରେ ରଖି ଦୌଡୁଥିଲେ। ଶେଷ ରାଉଣ୍ଡରେ ପହଞ୍ଚିଥିଲେ। କିନ୍ତୁ ଦୌଡ଼ ଶେଷ ହେବାକୁ ଆଉ ମାତ୍ର ପ୍ରାୟ ୫୦ ମିଟର ବାକି ଥିବା ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ହୃଦଘାତ ହୋଇଥିବା ନେଇ ଦିଆଯାଇଥିବା ସୂଚନାରେ କୁହାଯାଇଛି । ଚିକିତ୍ସା ମିଳିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଯେଉଁ ଚାକିରି ପାଇଁ ସେ ଦୌଡୁଥିଲେ, ସେହି ଦୌଡ଼ ଶେଷ କରିବାକୁ ଆଉ ମାତ୍ର ୫୦ ମିଟର ବାକି ଥିଲା। ଗୋଟିଏ ଚାକିରି ମାଧ୍ୟମରେ ପରିବାରକୁ ଆର୍ଥିକ ସ୍ଥିରତା ଦେବାର ଯେଉଁ ଆଶା ଥିଲା, ତାହା ଅଧାବାଟରେ ରହିଗଲା। ପଛରେ ରହିଗଲେ ତାଙ୍କ ପରିବାର ଏବଂ ଛୋଟ ଝିଅ। ଶିବମଙ୍କ କାହାଣୀ ଚାକିରି ଖୋଜୁଥିବା ଅନେକ ଯୁବକଙ୍କ ସଂଘର୍ଷକୁ ମଧ୍ୟ ସାମ୍ନାକୁ ଆଣିଛି। ସ୍ୱପ୍ନ ଥିଲା ଚାକିରିର, ଲକ୍ଷ୍ୟ ଥିଲା ପରିବାରର ଭବିଷ୍ୟତ, କିନ୍ତୁ ଲକ୍ଷ୍ୟରେଖାର ମାତ୍ର ୫୦ ମିଟର ପୂର୍ବରୁ ଶିବମଙ୍କ ଦୌଡ଼ ଅଟକିଗଲା।

