କ୍ରିକେଟ୍ ପଡ଼ିଆରେ ବିରାଟ୍ଙ୍କ ଦମଦାର ବ୍ୟାଟିଂ, ଆଉ ବଲିଉଡ୍ରେ ଅନୁଷ୍କାଙ୍କ ଅଭିନୟର ରହିଛି ଲକ୍ଷ ଲକ୍ଷ ପ୍ରଶଂସକ। ହେଲେ ଏଥର କ୍ରିକେଟ୍ କିମ୍ବା ସିନେମା ପାଇଁ ନୁହେଁ, ବରଂ ଭକ୍ତି ଓ ଆଧ୍ୟାତ୍ମିକତାକୁ ନେଇ ଚର୍ଚ୍ଚାରେ ଏହି ଷ୍ଟାର୍ ଦମ୍ପତି। ମୁମ୍ବାଇରେ ଆୟୋଜିତ ଆମେରିକୀୟ ଭକ୍ତି ସଙ୍ଗୀତ ଗାୟକ କୃଷ୍ଣ ଦାସଙ୍କ ଲାଇଭ୍ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିରାଟ କୋହଲି ଓ ଅନୁଷ୍କା ଶର୍ମା। କାର୍ଯ୍ୟକ୍ରମରୁ ସାମ୍ନାକୁ ଆସିଥିବା ଭିଡିଓରେ ଉଭୟଙ୍କୁ ପାଖାପାଖି ବସି ଭକ୍ତି ସଙ୍ଗୀତର ତାଳେ ତାଳେ ଝୁମୁଥିବା ଦେଖିବାକୁ ମିଳୁଛି। ଭିଡିଓଟି ସୋସିଆଲ୍ ମିଡିଆରେ ଚର୍ଚ୍ଚା ବଢ଼ାଇଥିବା ବେଳେ ପ୍ରଶଂସକମାନେ ମଧ୍ୟ ଏହି ମୁହୂର୍ତ୍ତକୁ ଖୁବ୍ ପସନ୍ଦ କରୁଛନ୍ତି । ବିରାଟ୍ କୋହଲି ଓ ଅନୁଷ୍କା ଶର୍ମା। ଜଣେ କ୍ରିକେଟ୍ ଜଗତର ସୁପରଷ୍ଟାର୍, ଆଉ ଜଣେ ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତ୍ରୀ। ଉଭୟ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ବେଳେ ଏବେ ସେମାନଙ୍କ ଆଧ୍ୟାତ୍ମିକ ରୁଚିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମୁମ୍ବାଇରେ କୃଷ୍ଣ ଦାସଙ୍କ କୀର୍ତ୍ତନ କାର୍ଯ୍ୟକ୍ରମରେ ଉଭୟଙ୍କ ଉପସ୍ଥିତି ଏହାର ମୁଖ୍ୟ କାରଣ। ସାମ୍ନାକୁ ଆସିଥିବା ଦୃଶ୍ୟରେ ଦୁହେଁ ଶାନ୍ତ ମନରେ ସଙ୍ଗୀତ ଶୁଣୁଥିବା ଏବଂ ତାଳେ ତାଳେ ଝୁମୁଥିବା ଦେଖାଯାଉଛନ୍ତି। ଏହି ସରଳ ମୁହୂର୍ତ୍ତ ଅନେକଙ୍କ ଧ୍ୟାନ ଆକର୍ଷଣ କରିଛି । କୃଷ୍ଣ ଦାସ ଜଣେ ଆମେରିକୀୟ ଭକ୍ତି ସଙ୍ଗୀତ ଗାୟକ। ଭାରତୀୟ ଭଜନ, ମନ୍ତ୍ର ଓ ପାରମ୍ପରିକ କୀର୍ତ୍ତନକୁ ନିଜସ୍ୱ ସଙ୍ଗୀତ ଶୈଳୀରେ ପରିବେଷଣ କରି ସେ ବିଶ୍ୱବ୍ୟାପୀ ପରିଚିତି ହାସଲ କରିଛନ୍ତି। ତାଙ୍କ ସଙ୍ଗୀତରେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରା ଓ ପାଶ୍ଚାତ୍ୟ ସଙ୍ଗୀତର ଏକ ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ । କୀର୍ତ୍ତନ କେବଳ ସଙ୍ଗୀତ ନୁହେଁ, ଏହା ଈଶ୍ୱରଙ୍କ ନାମ ସ୍ମରଣ ଓ ସାମୂହିକ ଭକ୍ତିର ଏକ ପ୍ରାଚୀନ ପରମ୍ପରା। ଏହି ଭକ୍ତି ସଙ୍ଗୀତ ମାଧ୍ୟମରେ ଅନେକ ଲୋକ ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଅନୁଭୂତି ପାଇଥାନ୍ତି । ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଥର ନୁହେଁ ଯେ ବିରାଟ୍ ଓ ଅନୁଷ୍କା ଏକାଠି କୃଷ୍ଣ ଦାସଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ୨୦୨୬ ଜୁଲାଇରେ ଲଣ୍ଡନର ୟୁନିଅନ୍ ଚାପେଲ୍ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ଉଭୟ ଉପସ୍ଥିତ ଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହା ସହ ନୀମ୍ କରୋଲି ବାବାଙ୍କ ଶିକ୍ଷା ଓ ଆଧ୍ୟାତ୍ମିକ ବିଚାର ପ୍ରତି ମଧ୍ୟ ଏହି ଦମ୍ପତିଙ୍କ ଆଗ୍ରହ ଥିବା ନେଇ ପୂର୍ବରୁ ଚର୍ଚ୍ଚା ହୋଇଛି ।

