ଆପଣ WhatsApp କିମ୍ବା Telegram ବ୍ୟବହାର କରୁଛନ୍ତି କି? ଫୋନ୍ରୁ SIM କାଢ଼ିଦେବା ପରେ ମଧ୍ୟ Wi-Fi ସାହାଯ୍ୟରେ ଚାଟିଂ କରୁଛନ୍ତି କି? ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। କାରଣ, ମେସେଜିଂ ଆପ୍ ବ୍ୟବହାରକୁ ନେଇ ଆସିପାରେ ନୂଆ ନିୟମ। ସିମ୍ ବାଇଣ୍ଡିଂ ବ୍ୟବସ୍ଥା ଲାଗୁ ହେଲେ, ଆପଣଙ୍କ ମୋବାଇଲ ନମ୍ବର ସହ ଜଡ଼ିତ ସକ୍ରିୟ SIM ସେହି ଫୋନ୍ରେ ରଖିବାକୁ ପଡ଼ିପାରେ, ଯେଉଁଥିରେ ଆପଣ ମେସେଜିଂ ଆପ୍ ବ୍ୟବହାର କରୁଛନ୍ତି। ସାଇବର ଠକେଇ ରୋକିବା ଏବଂ ମୋବାଇଲ ନମ୍ବରର ଅପବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି । ସାଧାରଣତଃ WhatsApp ଭଳି ମେସେଜିଂ ଆପ୍ରେ ମୋବାଇଲ ନମ୍ବର ଯାଞ୍ଚ କରି ଆକାଉଣ୍ଟ ଖୋଲିବାକୁ ପଡ଼ିଥାଏ। ଥରେ ଆକାଉଣ୍ଟ ଯାଞ୍ଚ ହୋଇଗଲେ, ଅନେକ କ୍ଷେତ୍ରରେ ଫୋନ୍ରୁ SIM କାଢ଼ିଦେଲେ ମଧ୍ୟ Wi-Fi ଜରିଆରେ ଆପ୍ ବ୍ୟବହାର କରିହୁଏ। କିନ୍ତୁ SIM Binding ବ୍ୟବସ୍ଥା ଲାଗୁ ହେଲେ ଏହି ସୁବିଧାରେ ପରିବର୍ତ୍ତନ ଆସିପାରେ। ଅର୍ଥାତ୍, ଯେଉଁ ମୋବାଇଲ ନମ୍ବରରେ ଆପଣ ଆକାଉଣ୍ଟ ଖୋଲିଛନ୍ତି, ସେହି ନମ୍ବରର ସକ୍ରିୟ SIM ଆପଣଙ୍କ ଫୋନ୍ରେ ରହିବା ଆବଶ୍ୟକ ହୋଇପାରେ। ଦୂରସଞ୍ଚାର ବିଭାଗ ବା DoT ପକ୍ଷରୁ ନଭେମ୍ବର ୨୦୨୫ରେ ମେସେଜିଂ ଆପ୍ଗୁଡ଼ିକୁ SIM Binding ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରିପୋର୍ଟ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି, ମୋବାଇଲ ନମ୍ବର ଏବଂ ମେସେଜିଂ ଆକାଉଣ୍ଟ ମଧ୍ୟରେ ସମ୍ପର୍କକୁ ଅଧିକ ମଜବୁତ କରିବା, ଯାହାଦ୍ୱାରା ଠକେଇ ଓ ନମ୍ବରର ଅପବ୍ୟବହାରକୁ ନିୟନ୍ତ୍ରଣ କରିବାରେ ସହାୟତା ମିଳିପାରିବ । ପ୍ରାରମ୍ଭରେ ଏହି ପରିବର୍ତ୍ତନ ପାଇଁ ଆପ୍ କମ୍ପାନୀଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଥିଲା। କିନ୍ତୁ ବୈଷୟିକ ସମସ୍ୟା ଓ କମ୍ପାନୀଗୁଡ଼ିକର ଦାବି ପରେ ସମୟସୀମା ବୃଦ୍ଧି କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏପ୍ରିଲ ୨୦୨୬ର ରିପୋର୍ଟ ଅନୁସାରେ, ନିୟମ ପାଳନ ପାଇଁ କମ୍ପାନୀଗୁଡ଼ିକୁ ଡିସେମ୍ବର ୩୧, ୨୦୨୬ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କେବଳ WhatsApp ନୁହେଁ, Telegram, Snapchat, Signal, ShareChat, Arattai, Josh ଏବଂ JioChat ଭଳି ଆପ୍ ମଧ୍ୟ ଏହି ବ୍ୟବସ୍ଥାର ପରିସରକୁ ଆସିପାରନ୍ତି।

