ସୁପରଷ୍ଟାର୍ ପ୍ରଭାସଙ୍କୁ ନେଇ ପୁଣି ବଢିଲା ଚର୍ଚ୍ଚା । ପରଦାରେ ରାଜାଙ୍କ ଭଳି ଏଣ୍ଟ୍ରି, ଆଉ ବାସ୍ତବ ଜୀବନରେ ଆଜି ବି ସିଙ୍ଗଲ୍! କୁହାଯାଏ, ବାହୁବଳୀର ଜବରଦସ୍ତ ସଫଳତା ପରେ ପ୍ରଭାସଙ୍କ ପାଖକୁ ଆସିଥିଲା ପ୍ରାୟ ୬ ହଜାର ବିବାହ ପ୍ରସ୍ତାବ। ହେଲେ ଏହି ସବୁ ପ୍ରସ୍ତାବକୁ ସେ ଗ୍ରହଣ କରିନଥିବା ନେଇ ଚର୍ଚ୍ଚା ହୁଏ। ଦକ୍ଷିଣ ଭାରତୀୟ ସିନେମାରୁ ଆରମ୍ଭ କରି ପାନ୍ ଇଣ୍ଡିଆ ସୁପରଷ୍ଟାର୍ ହେବା ପର୍ଯ୍ୟନ୍ତ, ପ୍ରଭାସଙ୍କ ଯାତ୍ରା ଖୁବ୍ ରୋଚକ। ୨୩ ଅକ୍ଟୋବର ୧୯୭୯ରେ ଜନ୍ମ ହୋଇଥିବା ପ୍ରଭାସଙ୍କ ପୂରା ନାମ ଉପ୍ପଲାପତି ଭେଙ୍କଟ ସୂର୍ଯ୍ୟନାରାୟଣ ପ୍ରଭାସ ରାଜୁ। ତାଙ୍କ ପରିବାରର ଚଳଚ୍ଚିତ୍ର ଜଗତ ସହ ଗଭୀର ସମ୍ପର୍କ ରହିଛି। ପିତା ସୂର୍ଯ୍ୟ ନାରାୟଣ ରାଜୁ ଜଣେ ଚଳଚ୍ଚିତ୍ର ନିର୍ମାତା ଥିବାବେଳେ ଦାଦା କୃଷ୍ଣମ ରାଜୁ ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତା ଥିଲେ। ହେଲେ ଆଶ୍ଚର୍ଯ୍ୟର କଥା, ପ୍ରଭାସଙ୍କର ଆରମ୍ଭରୁ ଅଭିନେତା ହେବାକୁ ଇଚ୍ଛା ନଥିଲା। ସେ ହୋଟେଲ୍ ଏବଂ ହସ୍ପିଟାଲିଟି ବ୍ୟବସାୟ କ୍ଷେତ୍ରରେ କ୍ୟାରିୟର୍ ଗଢ଼ିବାକୁ ଆଗ୍ରହୀ ଥିଲେ। ଏପରିକି ଅଭିନୟରେ ସଫଳତା ନମିଳିଲେ ହୋଟେଲ୍ ବ୍ୟବସାୟ କରିବା କଥା ମଧ୍ୟ ସେ ଚିନ୍ତା କରିଥିଲେ। ୨୦୦୨ରେ ‘ଈଶ୍ୱର’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ ପ୍ରଭାସ। ଏହା ପରେ ‘ବର୍ଷମ୍’, ‘ଛତ୍ରପତି’, ‘ଡାର୍ଲିଂ’, ‘ମିର୍ଚି’ ଭଳି ଚଳଚ୍ଚିତ୍ର ତାଙ୍କୁ ତେଲୁଗୁ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ କରିଥିଲା। କିନ୍ତୁ ୨୦୧୫ରେ ମୁକ୍ତିଲାଭ କରିଥିବା ଏସ୍. ଏସ୍. ରାଜମୌଲିଙ୍କ ‘ବାହୁବଳୀ’ ତାଙ୍କ ଜୀବନରେ ଆଣିଥିଲା ବଡ଼ ପରିବର୍ତ୍ତନ। ଏହି ଚଳଚ୍ଚିତ୍ରରେ ମହେନ୍ଦ୍ର ବାହୁବଳୀ ଓ ଅମରେନ୍ଦ୍ର ବାହୁବଳୀ ଭଳି ଚରିତ୍ର ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ। ୨୦୧୭ରେ ଆସିଥିବା ‘ବାହୁବଳୀ-୨’ ତାଙ୍କ ଲୋକପ୍ରିୟତାକୁ ଆହୁରି ବଢ଼ାଇଥିଲା। ଏହି ଦୁଇଟି ଚଳଚ୍ଚିତ୍ର ପାଇଁ ପ୍ରଭାସ ଦୀର୍ଘ ସମୟ ଧରି ନିଜକୁ ସମର୍ପିତ କରିଥିଲେ। ବାହୁବଳୀର ସଫଳତା ପରେ ପ୍ରଭାସଙ୍କ ଲୋକପ୍ରିୟତା ଦେଶବ୍ୟାପୀ ବଢ଼ିଥିଲା। ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। ତାଙ୍କ ପାଖକୁ ପ୍ରାୟ ୬ ହଜାର ବିବାହ ପ୍ରସ୍ତାବ ଆସିଥିବା କଥା ବିଭିନ୍ନ ରିପୋର୍ଟରେ ଉଲ୍ଲେଖ ହୋଇଛି । ଅନ୍ୟପଟେ, ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ସହ ପ୍ରଭାସଙ୍କ ନାମକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚା ହୋଇଛି। ବାହୁବଳୀଠାରୁ ‘ସାଲାର୍’ ଏବଂ ‘କଲ୍କି ୨୮୯୮ ଏଡି’ ପର୍ଯ୍ୟନ୍ତ, ନିଜ ଅଭିନୟ ଓ ଆକ୍ସନ୍ରେ ପ୍ରଭାସ ଦର୍ଶକଙ୍କୁ ଆକର୍ଷିତ କରିଆସିଛନ୍ତି। ଏବେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଛି। ତେବେ ଅଭିନୟ ଜଗତରେ ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ପ୍ରଭାସଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଥମିନାହିଁ। ହୋଟେଲ୍ ବ୍ୟବସାୟ କରିବାକୁ ଚାହୁଁଥିବା ଏହି ଅଭିନେତା ଆଜି ବିଶ୍ୱସ୍ତରରେ ଜଣେ ସୁପରଷ୍ଟାର୍। ଆଉ ତାଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ଅପେକ୍ଷା କେବେ ଶେଷ ହେବ, ତାହା ଏବେ ବି ଏକ ବଡ଼ ପ୍ରଶ୍ନ ସାଜିଛି ।

