19 Oct 2026, Mon

ମୁମ୍ବାଇର ବିଦ୍ୟାବିହାର ଇଷ୍ଟ-ୱେଷ୍ଟ ପୋଲ୍‌ର ନାମକରଣକୁ ନେଇ ଏବେ ତେଜିଛି ରାଜନୈତିକ ବିବାଦ। ଗୋଟିଏ ପଟେ ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ନାମରେ ପୋଲ୍‌ର ନାମକରଣ ପାଇଁ ଦାବି ହେଉଥିବା ବେଳେ, ଅନ୍ୟପଟେ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ନାମକୁ ନେଇ ମଧ୍ୟ ଉଠିଛି ପ୍ରସ୍ତାବ। ଦୁଇଟି ନାମ, ଦୁଇଟି ଭିନ୍ନ ଅବଦାନ, ଆଉ ଏହାକୁ ନେଇ ରାଜନୈତିକ ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ। ମୁମ୍ବାଇର ବିଦ୍ୟାବିହାର ଇଷ୍ଟ-ୱେଷ୍ଟ ପୋଲ୍‌କୁ ନେଇ ରାଜନୈତିକ ଟଣାଓଟରା ଆରମ୍ଭ ହୋଇଛି। ଶିବସେନା (ୟୁବିଟି) ପକ୍ଷରୁ ଏହି ପୋଲ୍‌ର ନାମ ପଦ୍ମଶ୍ରୀ ନାନା ପାଟେକରଙ୍କ ନାମରେ ରଖିବାକୁ ଦାବି କରାଯାଇଛି। ଏପରିକି ପୋଲ୍‌ରେ ‘ପଦ୍ମଶ୍ରୀ ନାନା ପାଟେକର ସେତୁ’ ଲେଖାଥିବା ବ୍ୟାନର ମଧ୍ୟ ଲଗାଯାଇଛି। ଅନ୍ୟପଟେ, ବିଜେପି ବିଧାୟକ ପରାଗ ଶାହା ଏହି ପୋଲ୍‌ର ନାମ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ନାମରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ତାଙ୍କ ମତରେ, ବିମାନରେ ଘଟିଥିବା ଆକ୍ରମଣ ଘଟଣା ସମୟରେ କ୍ୟାପଟେନ୍ ମଚ୍ଛାର ଦେଖାଇଥିବା ସାହସିକତାକୁ ସମ୍ମାନ ଦେବା ଉଚିତ । ତେବେ ନାନା ପାଟେକରଙ୍କ ନାମକରଣ ଦାବିକୁ ନେଇ ବିଏମ୍‌ସିରେ ମଧ୍ୟ ମତଭେଦ ସାମ୍ନାକୁ ଆସିଛି। ବିଏମ୍‌ସିର ସଦନ ନେତା ଗଣେଶ ଖନକର ଅଭିଯୋଗ କରିଛନ୍ତି ଯେ, ରାଜନୈତିକ ଶ୍ରେୟ ନେବା ପାଇଁ ଶିବସେନା (ୟୁବିଟି) ଏହି ପ୍ରସଙ୍ଗକୁ ବିବାଦୀୟ କରୁଛି। ନାନା ପାଟେକରଙ୍କୁ ସମ୍ମାନ ଜଣାଇବାକୁ ହେଲେ ପୋଲ୍‌ ବଦଳରେ କୌଣସି ଥିଏଟର୍‌ର ନାମ ତାଙ୍କ ନାମରେ ରଖିବା ଅଧିକ ଉପଯୁକ୍ତ ହେବ ବୋଲି ସେ ମତ ଦେଇଛନ୍ତି। ନାନା ପାଟେକର କେବଳ ଜଣେ ଅଭିନେତା ନୁହନ୍ତି, ସମାଜସେବା କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ଉଲ୍ଲେଖନୀୟ ଅବଦାନ। ତିନିଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ନାନା ୨୦୧୩ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୨୦୧୫ରେ ଅଭିନେତା ମକରନ୍ଦ ଅନାସପୁରେଙ୍କ ସହ ମିଶି ସେ ‘ନାମ ଫାଉଣ୍ଡେସନ୍’ ପ୍ରତିଷ୍ଠା କରିଥିଲେ। ଏହି ସଂସ୍ଥା ମରୁଡ଼ି ପ୍ରଭାବିତ କୃଷକ ଓ ସେମାନଙ୍କ ପରିବାରକୁ ସହାୟତା କରିବା ଦିଗରେ କାମ କରୁଛି। ଅନ୍ୟପଟେ, କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ସାହସିକତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଉପଲବ୍ଧ ରିପୋର୍ଟ ଅନୁସାରେ, ଫ୍ଲାଏଦୁବାଇର FZ-1073 ବିମାନରେ କ୍ୟାପଟେନ୍ ଭାବେ ଦାୟିତ୍ୱରେ ଥିବା ସମୟରେ ତାଙ୍କ କୋ-ପାଇଲଟ୍ ତାଙ୍କ ଉପରେ କୁରାଢ଼ିରେ ଆକ୍ରମଣ କରିଥିଲେ। ଆହତ ହେବା ସତ୍ତ୍ୱେ କ୍ୟାପଟେନ୍ ମଚ୍ଛାର କକ୍‌ପିଟ୍‌ର ଦ୍ୱାର ଖୋଲିଥିଲେ। ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ଆକ୍ରମଣକାରୀଙ୍କୁ କାବୁ କରିଥିବା ଖବର ସାମ୍ନାକୁ ଆସିଥିଲା। ତାଙ୍କ ଏହି ସାହସିକ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ପୋଲ୍‌ର ନାମ ତାଙ୍କ ନାମରେ ରଖିବାକୁ ଦାବି ହୋଇଛି। ପ୍ରାୟ ୬୫୦ ମିଟର ଲମ୍ବା ଏବଂ ଦୁଇ ଲେନ୍ ବିଶିଷ୍ଟ ଏହି ପୋଲ୍ ବିଦ୍ୟାବିହାର ଷ୍ଟେସନର ପୂର୍ବ ପଟର ରାମଚନ୍ଦ୍ର ଚେମ୍ବୁରକର ମାର୍ଗକୁ ଘାଟକୋପର ପଶ୍ଚିମ ପଟର ଲାଲ୍ ବାହାଦୁର ଶାସ୍ତ୍ରୀ ମାର୍ଗ ସହ ଯୋଡ଼ୁଛି। ଏହାର ପ୍ରାୟ ୧୦୦ ମିଟର ଅଂଶ ରେଳଧାରଣା ଉପରେ ନିର୍ମିତ ହୋଇଛି। ସ୍ଥାନୀୟ ଯାତାୟାତ ପାଇଁ ଏହି ପୋଲ୍‌ର ଗୁରୁତ୍ୱ ଅଧିକ ଥିବାରୁ ଏହାର ନାମକରଣକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ତୀବ୍ର ହୋଇଛି ।

Leave a Reply

Your email address will not be published. Required fields are marked *