20 Oct 2026, Tue

ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ବିଧାନସଭାରେ ପାରିତ ହେଲା ସଂକଳ୍ପ !

ଦେଶର ପ୍ରଥମ ରାଜ୍ୟ ଭାବେ କେରଳମ ବିଧାନସଭାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଗୋଟିଏ ସଂକଳ୍ପ ପାରିତ ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ କେରଳମ ଏପରି ପଦକ୍ଷେପ ନେଇ ଇତିହାସ ରଚିଥିବା ମୁଖ୍ୟମନ୍ତ୍ରୀ ଭିଡି ସତୀଶନ କହିଛନ୍ତି। ସେ ହିଁ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ହଟାଇବାକୁ ବିଧାନସଭାରେ ପ୍ରସ୍ତାବ ଆଗତ କରିଥିଲେ। ଆଉ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ସହ ବିରୋଧୀ ବାମଦଳ ଏହାକୁ ସମର୍ଥନ କରିଥିଲା। ଏହାପରେ ଏହି ପ୍ରସ୍ତାବ ବିଧାନସଭାରେ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ସତୀଶନ କହିଛନ୍ତି, “ଭୋଟ ଦେବାର ଅଧିକାର ଆମ ଗଣତନ୍ତ୍ରର ମୂଳଦୁଆ। ଆମ ଦେଶର ଲୋକଙ୍କ ଅଧିକାରୀଙ୍କୁ ଦୁର୍ବଳ କରିବାର ଅନୁମତି କୌଣସି ସଂସ୍ଥାର ନାହିଁ। ଆମ ଆଭିମୁଖ୍ୟ ପୂରା ସ୍ପଷ୍ଟ। ଭୋଟ ଦେବାର ଅଧିକାର ସୁରକ୍ଷିତ ରହିବା ଦରକାର। ସମ୍ବିଧାନ ଲାଗୁ ହେବା ଉଚିତ। ଗଣତନ୍ତ୍ର କାଏମ ରହୁ। କେରଳମ ସବୁବେଳେ ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ ସପକ୍ଷରେ ରହିଛି। କେରମଳ ଏବେ ଇତିହାସ ରଚିଛି। ପ୍ରଥମଥର ପାଇଁ କେରଳମ ବିଧାନସଭା ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ହଟାଇବା ପାଇଁ ସଂକଳ୍ପ ପାରିତ ହୋଇଛି। ଆମ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ।” ଏହାପୂର୍ବରୁ ବିଧାନସଭାରେ ଜ୍ଞାନେଶ କୁମାର ବିରୋଧୀ ସଂକଳ୍ପ ପ୍ରସ୍ତାବ ଆଗତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୋଟର ତାଲିକାରୁ ଅନେକ ଲୋକଙ୍କୁ ହଟାଇ ଦିଆଯିବାର ଲକ୍ଷଲକ୍ଷ ଅଭିଯୋଗ ରହିଛି। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ସ୍ପଷ୍ଟ ଉଲ୍ଲଙ୍ଘନ। ଭୋଟର ତାଲିକାର ସଂଶୋଧନ, ଯୋଗ୍ୟ ଭୋଟରଙ୍କୁ ହତାଦର ଓ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ଉଠିଥିବା ଚିନ୍ତାକୁ ଆଦୌ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ। ସଂକଳ୍ପରେ ଏସ୍‌ଆଇଆରକୁ ନେଇ ହୋଇଥିବା ଅନିୟମତତାର ଯାଞ୍ଚ କରିବା ସହ ସମସ୍ତ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ସାମିଲ କରିବା ପାଇଁ ଦାବି କରାଯାଇଛି। ଏଥିସହ ସିଇସିଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ସଂକଳ୍ପ ଜରିଆରେ କେରଳମ ବିଧାନସଭା କହିଛି।

Leave a Reply

Your email address will not be published. Required fields are marked *