ଚଳିତବର୍ଷ ଦିଲ୍ଲୀର ଦଶହରାରେ ରାବଣ, କୁମ୍ଭକର୍ଣ୍ଣ ଓ ମେଘନାଦ ପୁତ୍ତଳିକା ସହ ୩୦ ପୁଟ୍ ଉଚ୍ଚର କକ୍ରୋଚ୍ (ଅସରପା) ପୁତ୍ତଳିକା ଦାହ କରାଯିବ। ପୀତମପୁରାରେ ରାମଲୀଳା ଆୟୋଜନ କରୁଥିବା ଶ୍ରୀ କେଶବ ରାମଲୀଳା ସମିତି ଏହି ନିଷ୍ପତ୍ତି ନେଇଛି। ସମିତି ପକ୍ଷରୁ କୁହାଯାଇଛି ଯେ, କକ୍ରୋଚ୍ ଅପରିଚ୍ଛନ୍ନତା ଓ ମଇଳାର ପ୍ରତୀକ। ‘ସ୍ୱଚ୍ଛ ଭାରତ’ ଏବଂ ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନର ଅଂଶ ଭାବେ ଏହି ପଦକ୍ଷେପ ନିଆଯାଇଛି। ସମିତିର ଅଧ୍ୟକ୍ଷ ତଥା ବିଜେପି ବିଧାୟକ ଅଶୋକ ଗୋୟଲ କହିଛନ୍ତି ଯେ, ଏହି ନିଷ୍ପତ୍ତି ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ। କକ୍ରୋଚ୍ ପୁତ୍ତଳିକା ଦାହ କରିବାର ଉଦ୍ଦେଶ୍ୟ ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ ସହ ସ୍ୱଚ୍ଛତାର ବାର୍ତ୍ତାକୁ ଆହୁରି ମଜଭୁତ କରିବା। ଗୋୟଲ କହିଛନ୍ତି ଯେ, ରାମଲୀଳା ସମୟରେ ‘କକ୍ରୋଚ୍’କୁ ରାବଣଙ୍କ ସେନାର ‘ଅସୁର’ମାନଙ୍କ ମଧ୍ୟରେ ସାମିଲ କରାଯିବ। ପୂର୍ବରୁ ମଧ୍ୟ କମିଟି ତରଫରୁ ନକ୍ସଲ, ଆତଙ୍କବାଦକୁ ଦେଶ ପାଇଁ ବିପଦ ଦର୍ଶାଇ ରାମଲୀଳା ସମୟରେ ପୋଡ଼ା ଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ‘କକ୍ରୋଚ୍ ଜନତା ପାର୍ଟି’ର ବିକ୍ଷୋଭ ପୃଷ୍ଠଭୂମିରେ ଆସିଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି।

