19 Oct 2026, Mon

ଆଉ ନୀଳ ରଙ୍ଗର ଜର୍ସି ପିନ୍ଧିବନି ପାକିସ୍ତାନ ?

କ୍ରିକେଟ୍‌ ପଡ଼ିଆରେ ରଙ୍ଗ ବଦଳାଇବ ପାକିସ୍ତାନ ! ସବୁଜ ଜର୍ସି ବଦଳରେ ଗୋଲାପୀ ଜର୍ସିରେ ନଜର ଆସିବେ ପାକିସ୍ତାନୀ କ୍ରିକେଟର୍‌। ଯେଉଁ ଦଳ ‘ମେନ୍‌ ଇନ୍‌ ଗ୍ରୀନ୍‌’ ଭାବେ ପରିଚିତ, ସେହି ଦଳ ଏବେ ଗୋଲାପୀ ରଙ୍ଗରେ ମଇଦାନକୁ ଓହ୍ଲାଇବାକୁ ଯାଉଛି । କିନ୍ତୁ କାହିଁକି ଏହି ପରିବର୍ତ୍ତନ? କ୍ରିକେଟ୍‌ ଦୁନିଆରେ ଜର୍ସି କେବଳ ଗୋଟିଏ ପୋଷାକ ନୁହେଁ, ବରଂ ଏହା ଏକ ଦଳର ପରିଚୟ। ଭାରତୀୟ ଦଳର ନୀଳ ଜର୍ସି ପାଇଁ ‘ମେନ୍‌ ଇନ୍‌ ବ୍ଲୁ’ ଏବଂ ପାକିସ୍ତାନର ସବୁଜ ଜର୍ସି ପାଇଁ ‘ମେନ୍‌ ଇନ୍‌ ଗ୍ରୀନ୍‌’ ନାମ ବେଶ୍‌ ଲୋକପ୍ରିୟ। ହେଲେ ଏବେ ପାକିସ୍ତାନ ଦଳର ଜର୍ସିରେ ଦେଖିବାକୁ ମିଳିବ ଏକ ଭିନ୍ନ ରଙ୍ଗ। ଆଉ ଏହାର କାରଣ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସଚେତନତା ଅଭିଯାନ। ସୂଚନା ଅନୁଯାୟୀ, ପାକିସ୍ତାନ, ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ସିରିଜ୍‌ରେ ପାକିସ୍ତାନ ଏକ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛି। ଅକ୍ଟୋବର ୨୫ ତାରିଖରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନ ଖେଳାଳିମାନେ ଗୋଲାପୀ ଜର୍ସି ପିନ୍ଧିବା ନେଇ ଖବର ପ୍ରକାଶ ପାଇଛି। ଲାହୋରର ଗଦ୍ଦାଫି ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଏହାକୁ ଗୋଲାପୀ ରଙ୍ଗରେ ସଜାଇବାର ଯୋଜନା ରହିଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା। ପ୍ରତିବର୍ଷ ଅକ୍ଟୋବର ମାସକୁ ବିଶ୍ୱବ୍ୟାପୀ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ। ଏହି ଅବସରରେ ଗୋଲାପୀ ରଙ୍ଗକୁ ସଚେତନତା, ସମର୍ଥନ ଓ ଏକତାର ପ୍ରତୀକ ଭାବେ ବ୍ୟବହାର କରାଯାଏ । ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଏହି ପଦକ୍ଷେପ ମାଧ୍ୟମରେ ଲୋକଙ୍କୁ ସ୍ତନ କର୍କଟ ସମ୍ପର୍କରେ ସଚେତନ କରିବା ସହ ଏହି ରୋଗର ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସାର ଗୁରୁତ୍ୱ ଉପରେ ଗୁରୁତ୍ୱ ଦିଆଯିବ । ଏହି ଅଭିଯାନ କେବଳ ପାକିସ୍ତାନୀ ଖେଳାଳିଙ୍କ ଜର୍ସିରେ ସୀମିତ ରହିବ ନାହିଁ। ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଦଳର ଖେଳାଳି, ମ୍ୟାଚ୍‌ ଅଧିକାରୀ ଏବଂ କମେଣ୍ଟେଟରମାନେ ମଧ୍ୟ ଗୋଲାପୀ ରିବନ୍‌ ପିନ୍ଧି ଏହି ଅଭିଯାନକୁ ସମର୍ଥନ ଜଣାଇବେ। ଏହା ସହିତ ମ୍ୟାଚ୍‌ ପାଇଁ ସ୍ୱତନ୍ତ୍ର ଗୋଲାପୀ ଷ୍ଟମ୍ପ୍‌ ବ୍ୟବହାର କରାଯିବାର ଯୋଜନା ରହିଛି । ଏହି ପଦକ୍ଷେପ ମାଧ୍ୟମରେ ସ୍ତନ କର୍କଟ ସହ ଲଢ଼ୁଥିବା ମହିଳାଙ୍କୁ ସମର୍ଥନ ଜଣାଇବା ସହ ଏହି ରୋଗକୁ ପରାସ୍ତ କରିଥିବା ବ୍ୟକ୍ତିଙ୍କ ସାହସକୁ ସମ୍ମାନ ଦିଆଯିବ । କ୍ରିକେଟ୍‌ର ଲୋକପ୍ରିୟତାକୁ ବ୍ୟବହାର କରି ସାମାଜିକ ସମସ୍ୟା ଉପରେ ଜନସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। କାରଣ, ଖେଳାଳିଙ୍କୁ ଲକ୍ଷ ଲକ୍ଷ ଦର୍ଶକ ଅନୁସରଣ କରୁଥିବାରୁ ସେମାନଙ୍କ ମାଧ୍ୟମରେ ଏଭଳି ବାର୍ତ୍ତା ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରେ। ତେଣୁ ଏଥର ପାକିସ୍ତାନର ଗୋଲାପୀ ଜର୍ସି କେବଳ ଖେଳର ଏକ ନୂଆ ରଙ୍ଗ ନୁହେଁ, ବରଂ ଏକ ସାମାଜିକ ଉଦ୍ଦେଶ୍ୟର ପ୍ରତୀକ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *