20 Oct 2026, Tue

ବାପାଙ୍କ ସମ୍ପତ୍ତିରେ ଭଉଣୀର କେତେ ଅଧିକାର ?

ବାପା-ମାଆଙ୍କ ସମ୍ପତ୍ତିକୁ ନେଇ ଅନେକ ପରିବାରରେ ଭାଇଭଉଣୀଙ୍କ ମଧ୍ୟରେ ବିବାଦ ଦେଖାଯାଏ। ବିଶେଷ କରି ବାପା କିମ୍ବା ମାଆଙ୍କ ମୃତ୍ୟୁ ପରେ ଘର, ଜମି କିମ୍ବା ଅନ୍ୟ ସମ୍ପତ୍ତି କାହା ନାଁରେ ଯିବ, କାହାର କେତେ ଭାଗ ରହିବ ଏବଂ ଜଣେ ଉତ୍ତରାଧିକାରୀ ଏକାକୀ ସମ୍ପତ୍ତି ବିକ୍ରି କରିପାରିବେ କି ନାହିଁଏସବୁ ପ୍ରଶ୍ନ ଉଠେ । ହିନ୍ଦୁ ପରିବାରରେ, କୌଣସି ବ୍ୟକ୍ତି ୱିଲ୍ ନକରି ମୃତ୍ୟୁବରଣ କଲେ, Hindu Succession Act ଅନୁଯାୟୀ ତାଙ୍କ ସମ୍ପତ୍ତି Class I legal heirs ଙ୍କ ମଧ୍ୟରେ ଆଇନ ଅନୁସାରେ ବଣ୍ଟନ ହୁଏ। ଏଥିରେ ପୁଅ, ଝିଅ, ବିଧବା ଓ ମାଆ ଭଳି ଉତ୍ତରାଧିକାରୀ ଅନ୍ତର୍ଭୁକ୍ତ। ତେବେ ଏକାଧିକ ଉତ୍ତରାଧିକାରୀ ଥିଲେ ସମ୍ପତ୍ତିରେ ପ୍ରତ୍ୟେକଙ୍କର ଆଇନଗତ ଅଂଶ ଥାଇପାରେ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜଣେ ଭାଇ କିମ୍ବା ଭଉଣୀ ଅନ୍ୟମାନଙ୍କ ଅଂଶକୁ ମଧ୍ୟ ନିଜ ଇଚ୍ଛାରେ ବିକ୍ରି କରିଦେଇପାରିବେ । ସାଧାରଣ ନିୟମ ହେଉଛି ଜଣେ ସହ-ମାଲିକ ନିଜର ଆଇନଗତ ଅଂଶ ହସ୍ତାନ୍ତର କରିପାରନ୍ତି । Transfer of Property Act ର Section 44 ଅନୁଯାୟୀ, ସହ-ମାଲିକ ନିଜ ଅଂଶ ହସ୍ତାନ୍ତର କଲେ, କ୍ରେତା ସେହି ଅଂଶ ସହିତ ସମ୍ପର୍କିତ ଅଧିକାର ପାଇପାରନ୍ତି ଏବଂ ଆବଶ୍ୟକ ହେଲେ ବିଭାଜନ ଦାବି କରିପାରନ୍ତି । ଧରନ୍ତୁ ଗୋଟିଏ ଘରର ମୂଲ୍ୟ ୯୦ ଲକ୍ଷ ଟଙ୍କା। ଏହି ଘରରେ ତିନିଜଣଙ୍କର ସମାନ ଆଇନଗତ ଅଂଶ ରହିଛି। ତେବେ ପ୍ରତ୍ୟେକଙ୍କର ଅଂଶ ହେବ ଏକ-ତୃତୀୟାଂଶ।
ଏମିତି ପରିସ୍ଥିତିରେ ଜଣେ ସହ-ମାଲିକ ନିଜ ଏକ-ତୃତୀୟାଂଶ ଅଂଶ ବିକ୍ରି କରିବାକୁ ଚାହିଁଲେ, ସେ ନିଜ ଆଇନଗତ ଅଂଶ ନେଇ ହସ୍ତାନ୍ତର କରିପାରନ୍ତି । କିନ୍ତୁ ଅନ୍ୟ ଦୁଇଜଣଙ୍କ ଅଂଶକୁ ସେମାନଙ୍କ ସମ୍ମତି ବିନା ନିଜେ ବିକ୍ରି କରିପାରିବେ ନାହିଁ । ଅର୍ଥାତ୍, ଜଣେ ଭାଇ କିମ୍ବା ଭଉଣୀ ନିଜ ଅଂଶର ମାଲିକ ହୋଇଥିଲେ ମଧ୍ୟ ସମଗ୍ର ଘରର ଏକମାତ୍ର ମାଲିକ ହୋଇଯାଆନ୍ତି ନାହିଁ । ତେବେ ପ୍ରଶ୍ନ ହେଉଛି ଭାଇଭଉଣୀଙ୍କ ମଧ୍ୟରେ ସହମତି ନହେଲେ କଣ ହେବ ? ଯଦି ଜଣେ ନିଜ ଅଂଶରୁ ବାହାରିବାକୁ ଚାହାନ୍ତି ଏବଂ ଅନ୍ୟମାନେ ତାଙ୍କ ଅଂଶ କିଣିବାକୁ ରାଜି ନୁହନ୍ତି, ତେବେ ସମ୍ପତ୍ତି ବିଭାଜନ କିମ୍ବା ଅନ୍ୟ ଆଇନଗତ ପ୍ରତିକାରର ଆବଶ୍ୟକତା ପଡ଼ିପାରେ । କୋର୍ଟରେ ମାମଲା ଗଲେ ୱିଲ୍, ରେଜିଷ୍ଟ୍ରି ଡକ୍ୟୁମେଣ୍ଟ, ଉତ୍ତରାଧିକାରୀଙ୍କ ସମ୍ପର୍କ, ମାଲିକାନା ରେକର୍ଡ ଏବଂ ସମ୍ପତ୍ତିର ପ୍ରକୃତି ଭଳି ବିଷୟ ଗୁରୁତ୍ୱପୂର୍ଣ୍ଣ ହୁଏ । ଆଉ ଏକ ଜରୁରୀ କଥା ସବୁ ପରିବାର ପାଇଁ ନିୟମ ଏକାଭଳି ହେବ ବୋଲି ଧରିନେବା ଠିକ୍ ନୁହେଁ। ୱିଲ୍ ଅଛି କି ନାହିଁ, ସମ୍ପତ୍ତି କାହା ନାଁରେ ଥିଲା, ଏହା ପୈତୃକ ନା ନିଜସ୍ୱ ସମ୍ପତ୍ତି, ମୃତକଙ୍କ ଆଇନଗତ ଉତ୍ତରାଧିକାରୀ କିଏ ଏସବୁ ଆଧାରରେ ଅଧିକାର ବଦଳିପାରେ। ସେଥିପାଇଁ ପରିବାରର ସମ୍ପତ୍ତି ବିକ୍ରି କିମ୍ବା ବଣ୍ଟନ କରିବା ପୂର୍ବରୁ ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ କରିବା ଜରୁରୀ।
କାରଣ ସମ୍ପତ୍ତି ମାମଲାରେ କେବଳ ‘ମୁଁ ପୁଅ’ କିମ୍ବା ‘ମୁଁ ଝିଅ’ କହିଲେ ହିଁ କାହାର କେତେ ଅଧିକାର ତାହା ନିର୍ଣ୍ଣୟ ହୁଏନି। ପ୍ରକୃତ ମାଲିକାନା, ଉତ୍ତରାଧିକାର ନିୟମ ଓ ଡକ୍ୟୁମେଣ୍ଟ ହିଁ ଏଠାରେ ମୁଖ୍ୟ।

Leave a Reply

Your email address will not be published. Required fields are marked *