20 Oct 2026, Tue

ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ ଖବର !

ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ(ଏନପିସିଆଇ) ୟୁପିଆଇର ମର୍ଚ୍ଚାଣ୍ଟ ଫି’ ବ୍ୟବସ୍ଥାକୁ ଦୀପାବଳି ଯାଏ ଲାଗୁ ନ କରିବାକୁ ନିଷ୍ପତ୍ତି ନେଇଛି। ଦୀପାବଳି ନଭେମ୍ବର ଦ୍ୱିତୀୟ ସପ୍ତାହରେ ପଢ଼ୁଛି। ସେ ଯାଏ ୟୁପିଆଇରେ ମର୍ଚ୍ଚାଣ୍ଟ ଫି’ ଲାଗୁ ହେବ ନାହିଁ। କିନ୍ତୁ କେବେ ଠାରୁ ଏହା ଲାଗୁ ହେବ, ତା’ର ତାରିଖ ଏଯାଏ ଘୋଷଣା ହୋଇନାହିଁ। ପୂର୍ବରୁ ଅକ୍ଟୋବର ୧୫ରୁ ୨୦୦୦ ଟଙ୍କାରୁ ଅଧିକ ନେଣଦେଣ ପାଇଁ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍‌ ଲାଗିବ ବୋଲି କୁହାଯାଇଥିଲା। ପାର୍ବଣ ଋତୁରେ ମର୍ଚ୍ଚାଣ୍ଟ ଫି’ ବ୍ୟବସାୟକୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ଆଜି ଏନପିସିଆଇ ଦୀପାବଳି ଯାଏ ଏହାକୁ ସ୍ଥଗିତ ରଖିଥିବା କୁହାଯାଉଛି। ସେହିପରି ୟୁପିଆଇ ଓ ସର୍ଭିସ ଷ୍ଟିୟରିଂ କମିଟି ନିକଟରେ କରିଥିବା ବୈଠକରେ ମର୍ଚ୍ଚାଣ୍ଟ ଫି’ ଲାଗୁର ଚ୍ୟାଲେଞ୍ଜ ଗୁଡ଼ିକ ଉପରେ ଆଲୋଚନା କରିଥିଲା। ଏହାପରେ ଦୀପାବଳି ପରେ ପର୍ସନ ଟୁ ମର୍ଚ୍ଚାଣ୍ଟ ଫି’ ଲାଗୁ ହେବ ବୋଲି ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୧୫ରେ ୟୁପିଆଇକୁ ନେଇ ବଡ଼ ଘୋଷଣା କରିଥିଲେ କେନ୍ଦ୍ର ସରକାର। ନୂଆ ନିୟମ ଅନୁସାରେ, ଯଦି ଜଣେ ବ୍ୟକ୍ତି କୌଣସି ବ୍ୟବସାୟିକ ସଂସ୍ଥାକୁ ୟୁପିଆଇରେ ୨ ହଜାରରୁ ଅଧିକ ଟଙ୍କା ପଠାଇବେ, ତା’ହେଲେ ସଂସ୍ଥାକୁ ଫି’ ଦେବାକୁ ପଡ଼ିବ। ତେବେ ସାଧାରଣ ଗ୍ରାହକ ପୂର୍ବ ଭଳି ବିନା କୌଣସି ଫି’ରେ ୟୁପିଆଇର ବ୍ୟବହାର କରିପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ନୂଆ ନିୟମ ଅକ୍ଟୋବର ୧୫ରୁ ଲାଗୁ ହେବା କଥା। କିନ୍ତୁ ପାର୍ବଣରେ ଏହି ନିୟମ ବ୍ୟବସାୟକୁ ମାନ୍ଦା କରିପାରେ ବୋଲି ବ୍ୟବସାୟୀମାନେ କହିଥିଲେ। ଏହାକୁ ଦୃଷ୍ଟିରେ ରଖି ଏବେ ଦୀପାବଳି ଯାଏ ୟୁପିଆଇକୁ ସଂପୂର୍ଣ୍ଣ ଦେୟମୁକ୍ତ ରଖିବାକୁ ନିଷ୍ପତ୍ତି ହୋଇଛି। ଯଦି ଜଣେ ୨ ହଜାରରୁ ଅଧିକ ଟଙ୍କାର ତେଲ ପକାଇଛନ୍ତି, ତା’ହେଲେ ପେଟ୍ରୋଲ ପମ୍ପ ଅପରେଟରଙ୍କୁ ୫ ଟଙ୍କା ଦେବାକୁ ପଡ଼ିବ। ସେହିପରି ୨ ହଜାର ଟଙ୍କାରୁ କମ ପେମେଣ୍ଟ ପାଇଁ କୌଣସି ଫି’ ଲାଗିବ ନାହିଁ। ୨୦୦୦ରୁ ଅଧିକ ବୀମା ପ୍ରିମିୟମ, ବିଜୁଳି, ପାଣି ଓ ପାଇପ ଯୋଗେ ମିଳୁଥିବା ପ୍ରାକୃତିକ ଗ୍ୟାସ ପାଇଁ ମଧ୍ୟ ଏମଡିଆର ୫ ଟଙ୍କା ରହିଛି। ପୁଞ୍ଜି ବଜାର ନେଣଦେଣ ପାଇଁ ମଧ୍ୟ ସ୍ୱତନ୍ତ୍ର ଫି’ ବ୍ୟବସ୍ଥା କରାଯାଇଛି। ମିଚ୍ୟୁଆଲ ଫଣ୍ଡ, ସ୍ୟୁରିଟିଜ୍‌, ଷ୍ଟକ ମାର୍କେଟ, ଡିଲର୍ସ ଓ ନିବେଶ ପ୍ଲାଟଫର୍ମ ପାଇଁ ସର୍ବନିମ୍ନ ଏମଡିଆର ୦.୨% ରହିଥିବା ବେଳେ ସର୍ବାଧିକ ୩୦୦ ଟଙ୍କା ରହିଛି। ପେମେଣ୍ଟ ୨୦୦୦ ଟଙ୍କା ଟପିଲେ ହିଁ ଏହି ବ୍ୟବସ୍ଥା ଲାଗୁ ହେବ।

Leave a Reply

Your email address will not be published. Required fields are marked *