୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍ ପାଇଁ ସମସ୍ତ ଟିମ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏବେଠାରୁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ସ୍କ୍ୱାଡ୍ ଉପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ପୂର୍ବତନ କ୍ରିକେଟର ଓ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ଭାରତୀୟ ଦଳରୁ କେବଳ ୬ ଜଣ ଖେଳାଳିଙ୍କ ସ୍ଥାନ ପ୍ରାୟ ନିଶ୍ଚିତ ବୋଲି ଧରାଯାଉଛି । ଅନ୍ୟ ସମସ୍ତଙ୍କୁ ଆଗାମୀ ଦିନରେ ନିଜ ପ୍ରଦର୍ଶନ ଆଧାରରେ ହିଁ ଦଳରେ ସ୍ଥାନମିଳିବ । ଶୁଭମାନ ଗିଲ୍ଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ବକପ୍ ଖେଳିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଇପାରିବ । ଓପନର ଭାବେ ତାଙ୍କର ପ୍ରଦର୍ଶନ, ଅଧିନାୟକତ୍ୱ କ୍ଷମତା ଓ ଦିନିକିଆରେ କ୍ରମାଗତ ଭାବେ ବଡ଼ ସ୍କୋର କରିବାର ଦକ୍ଷତା ତାଙ୍କୁ ୨୦୨୭ ବିଶ୍ୱକପ୍ ପାଇଁ ସବୁଠାରୁ ଶକ୍ତିଶାଳୀ ଦାବିଦାର କରିଛି । ସେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଂରେ ମଧ୍ୟ ଶୀର୍ଷ ସ୍ଥାନକୁ ଫେରିଛନ୍ତି । ବିରାଟ କୋହଲିଙ୍କ ଅନୁଭବ ଓ ବଡ଼ ମ୍ୟାଚ୍ରେ ଚାପ ସମ୍ଭାଳିବାର କ୍ଷମତା ତାଙ୍କୁ ଏବେ ବି ଦଳର ମୁଖ୍ୟ ସଦସ୍ୟ କରିରଖିଛି । ବୟସ ବଢ଼ୁଥିଲେ ମଧ୍ୟ ତାଙ୍କର ଫିଟନେସ୍ ଓ ରନ୍ କରିବାର ଭୋକ ତାଙ୍କୁ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଦଳରେ ରଖିପାରେ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଥିଲେ ମଧ୍ୟ ଅନେକ ପୂର୍ବତନ କ୍ରିକେଟରଙ୍କ ମତରେ ସେ ଏବେ ବି ଦିନିକିଆ କ୍ରିକେଟ ପାଇଁ ପୂରାପୂରି ଫିଟ୍ ଅଛନ୍ତି । ଯଦି ସେ ଫିଟ୍ ରହି ନିୟମିତ ରନ୍ କରିଚାଲନ୍ତି, ତେବେ ୨୦୨୭ ବିଶ୍ୱକପ୍ରେ ତାଙ୍କ ସ୍ଥାନ ସୁରକ୍ଷିତ ରହିପାରେ । ଶ୍ରେୟସ ଆୟର ମଧ୍ୟକ୍ରମର ସବୁଠାରୁ ଭରସାଯୋଗ୍ୟ ବ୍ୟାଟର ଭାବେ ଉଭା ହୋଇଛନ୍ତି । ସ୍ପିନ୍ ବୋଲିଂ ବିରୋଧରେ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଓ ବଡ଼ ପାର୍ଟନରସିପ୍ କରିବାର କ୍ଷମତା ବିଶ୍ବକପ୍ ପାଇଁ ସ୍ଥାନ ପକ୍କା କରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପ୍ରମୁଖ ଅଲରାଉଣ୍ଡର ଭାବେ ଗଣାଯାଉଛନ୍ତି । ବ୍ୟାଟ୍ ଓ ବଲ୍ ଉଭୟରେ ମ୍ୟାଚ୍ର ମୋଡ଼ ବଦଳାଇବାର କ୍ଷମତା ଥିବାରୁ ତାଙ୍କ ସ୍ଥାନ ମଧ୍ୟ ପ୍ରାୟ ନିଶ୍ଚିତ ବୋଲି ଧରାଯାଉଛି । ଜସପ୍ରୀତ ବୁମରାହ ଭାରତର ବୋଲିଂ ଆଟାକ୍ର ମୁଖ୍ୟ ଅସ୍ତ୍ର ରହିବେ । ଫିଟନେସ୍ ଠିକ୍ ରହିଲେ ସେ ୨୦୨୭ ବିଶ୍ୱକପ୍ରେ ଭାରତର ପେସ୍ ଆକ୍ରମଣର ନେତୃତ୍ୱ ନେବେ ବୋଲି କୁହାଯାଉଛି । ଏହି ୬ ଜଣଙ୍କ ବ୍ୟତୀତ ୱିକେଟକିପର, ସ୍ପିନର, ଅତିରିକ୍ତ ପେସର ଓ ଅଲରାଉଣ୍ଡର ସ୍ଥାନ ପାଇଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳୁଛି । ଲୋକେସ୍ ରାହୁଲ, ଋଷଭ ପନ୍ତ, ସଞ୍ଜୁ ସାମସନ, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ଅନ୍ୟ ଯୁବ ଖେଳାଳି ବିଶ୍ବକପ୍ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଆଗାମୀ ଦୁଇ ବର୍ଷରେ ଦିନିକିଆ ସିରିଜ୍ଗୁଡ଼ିକରେ ବିଭିନ୍ନ ଖେଳାଳିଙ୍କୁ ସୁଯୋଗ ଦେବ । ଫର୍ମ, ଫିଟନେସ୍ ଓ କ୍ରମାଗତ ଭାବେ ଭଲ ପ୍ରଦର୍ଶନ ଆଧାରରେ ହିଁ ୧୫ ଜଣିଆ ସ୍କ୍ବାଡ୍ ଘୋଷଣା କରାଯିବ । ବର୍ତ୍ତମାନ ପରିସ୍ଥିତିରେ ଶୁଭମାନ ଗିଲ୍, ବିରାଟ କୋହଲି, ରୋହିତ ଶର୍ମା, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମରାହଙ୍କୁ ୨୦୨୭ ବିଶ୍ୱକପ୍ ପାଇଁ ସବୁଠାରୁ ଶକ୍ତିଶାଳୀ ଦାବିଦାର ଭାବେ ଦେଖାଯାଉଛି । ତଥାପି ବିଶ୍ୱକପ୍ ପର୍ଯ୍ୟନ୍ତ ଅନେକ ମ୍ୟାଚ୍ ବାକି ଥିବାରୁ ଅନେକ ଅଦଳବଦଳ ହେବା ନେଇ ଆଶଙ୍କା କରାଯାଉଛି ।

