20 Oct 2026, Tue

ଯୁବିପିଢିଙ୍କୁ ୧୫ହଜାର ଟଙ୍କା ଦେବେ ମୋଦୀ ସରକାର !

ଚାକିରି ଆରମ୍ଭ କରୁଥିବା ଯୁବପିଢ଼ିଙ୍କ ପାଇଁ ବଡ଼ ଖବର ! ପ୍ରଥମ ଥର ଚାକିରି କରୁଥିବା ଯୋଗ୍ୟ ଯୁବକଯୁବତୀଙ୍କୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦେବେ କେନ୍ଦ୍ର ସରକାର। ଏଥିପାଇଁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, ଅର୍ଥାତ୍‌ PM-VBRY। ଏହି ଯୋଜନାର ଲକ୍ଷ୍ୟ ହେଉଛି ନୂଆ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ସହ ଯୁବପିଢ଼ିଙ୍କୁ ଔପଚାରିକ ନିଯୁକ୍ତି ବ୍ୟବସ୍ଥା ସହ ଯୋଡ଼ିବା। ତେବେ କେଉଁମାନେ ଏହି ଟଙ୍କା ପାଇପାରିବେ ? ଏହି ଯୋଜନା ଅଧୀନରେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ, ଅର୍ଥାତ୍‌ EPFOରେ ପ୍ରଥମ ଥର ପାଇଁ ସାମିଲ ହେଉଥିବା ଯୋଗ୍ୟ କର୍ମଚାରୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ନୂଆ ଚାକିରି କରୁଥିବା ଯୁବକଯୁବତୀ ଉପକୃତ ହୋଇପାରିବେ। ତେବେ ମନେ ରଖନ୍ତୁ, ଏହା ସମସ୍ତଙ୍କ ପାଇଁ ମାଗଣା ଟଙ୍କା ନୁହେଁ। ଯୋଜନାର ନିୟମ ଅନୁଯାୟୀ ଯୋଗ୍ୟତା ପୂରଣ କରିବା ଜରୁରୀ। ସରକାରୀ ନିୟମ ଅନୁଯାୟୀ, ଏହି ଯୋଜନାରେ ଯୋଗ୍ୟ ପ୍ରଥମ ଥରର କର୍ମଚାରୀଙ୍କ ଦରମା ମାସିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ଏଥିସହ କର୍ମଚାରୀ ପ୍ରଥମ ଥର ପାଇଁ EPFO ବ୍ୟବସ୍ଥାରେ ଯୋଗ ଦେଉଥିବା ଆବଶ୍ୟକ। ଯୋଜନା ଅନୁଯାୟୀ, ୧ ଅଗଷ୍ଟ ୨୦୨୫ରୁ ୩୧ ଜୁଲାଇ ୨୦୨୭ ମଧ୍ୟରେ ସୃଷ୍ଟି ହୋଇଥିବା ଯୋଗ୍ୟ ନିଯୁକ୍ତି ଏହାର ଅନ୍ତର୍ଭୁକ୍ତ । ତେବେ କେବଳ ଚାକିରି ପାଇଲେ ଏହି ଟଙ୍କା ମିଳିଯିବ ନାହିଁ। କର୍ମଚାରୀଙ୍କ ନାମରେ ଯୋଗ୍ୟ EPFO ରେକର୍ଡ ରହିବା ସହ ନିଯୁକ୍ତିଦାତାଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ଓ ଯୋଗଦାନ ଦାଖଲ ହୋଇଥିବା ଦରକାର। ପ୍ରଥମ କିସ୍ତି ପାଇଁ ୬ ମାସର ଯୋଗ୍ୟ ସେବା ଆବଶ୍ୟକ। ଦ୍ୱିତୀୟ କିସ୍ତି ପାଇଁ ୧୨ ମାସର ସେବା ସହ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଏହି ଯୋଜନାରେ ମିଳୁଥିବା ପ୍ରୋତ୍ସାହନ ରାଶି ଗୋଟିଏ ମାସର EPF ଦରମା ଆଧାରରେ ନିର୍ଦ୍ଧାରିତ ହୁଏ, ଯାହାର ସର୍ବାଧିକ ସୀମା ୧୫ ହଜାର ଟଙ୍କା। ଅର୍ଥାତ୍‌ ସମସ୍ତଙ୍କୁ ନିଶ୍ଚିତ ଭାବେ ୧୫ ହଜାର ଟଙ୍କା ମିଳିବ ନାହିଁ। ଏହି ଅର୍ଥ ଦୁଇଟି କିସ୍ତିରେ ଦିଆଯାଏ ଏବଂ ଏହାର ଏକ ଅଂଶ ନିର୍ଦ୍ଦିଷ୍ଟ ସମୟ ପାଇଁ ସଞ୍ଚୟ ଯୋଜନା କିମ୍ବା ଜମା ଖାତାରେ ରଖାଯାଇପାରେ। ଏଥିପାଇଁ ଯୋଗ୍ୟ କର୍ମଚାରୀଙ୍କୁ UMANG ଆପ୍‌ରେ ଫେସ୍‌ ଅଥେଣ୍ଟିକେସନ୍‌ ମାଧ୍ୟମରେ UAN ତିଆରି କରିବାକୁ ପଡ଼ିପାରେ। ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଖାତା ଓ ଆବଶ୍ୟକ ଡିଜିଟାଲ୍‌ ଯାଞ୍ଚ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ତେବେ ଯୋଗ୍ୟତା ଓ ଆବେଦନ ପ୍ରକ୍ରିୟା ବୁଝିବା ପାଇଁ ଅଫିସିଆଲ୍‌ EPFO ପୋର୍ଟାଲ୍‌ରେ ନିୟମ ଯାଞ୍ଚ କରିବା ଉଚିତ। ତେଣୁ ଯୁବପିଢ଼ି ଏହି ଯୋଜନା ବିଷୟରେ ସଠିକ୍‌ ତଥ୍ୟ ଜାଣନ୍ତୁ। ଚାକିରି ଆରମ୍ଭ କରିବା ସହ ସାମାଜିକ ସୁରକ୍ଷା ଓ ସଞ୍ଚୟ ଅଭ୍ୟାସ ଗଢ଼ିବାରେ ଏହା ସହାୟକ ହୋଇପାରେ।

Leave a Reply

Your email address will not be published. Required fields are marked *