ଖାଦ୍ୟ ଖାଇବା ବେଳେ କେବଳ ସ୍ୱାଦ ନୁହେଁ, ବରଂ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଦେବାକୁ ହେବ ଧ୍ୟାନ। କାରଣ ଆମେ ପ୍ରତିଦିନ ଖାଉଥିବା ଖାଦ୍ୟ ଆମ ହୃଦୟର ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ତ୍ୱଚାର ଉଜ୍ଜ୍ୱଳତା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ପ୍ରଭାବ ପକାଇଥାଏ। ତେଣୁ ହୃଦୟକୁ ସୁସ୍ଥ ରଖିବା ସହ ଶରୀରକୁ ସୁସ୍ଥ ଓ ସତେଜ ରଖିବା ପାଇଁ ଡାଏଟ୍ରେ କେଉଁସବୁ ଖାଦ୍ୟ ସାମିଲ କରିବା ଆବଶ୍ୟକ, ଆସନ୍ତୁ ଜାଣିବା। ଫଳ ଆମ ଶରୀରକୁ ଭିଟାମିନ୍, ମିନେରାଲ୍ସ ଓ ଫାଇବର୍ ଯୋଗାଇଥାଏ। ବିଶେଷକରି ପିଜୁଳି, ସେଓ, କମଳା ଓ ଅନ୍ୟାନ୍ୟ ଋତୁକାଳୀନ ଫଳ ହୃଦୟର ସ୍ୱାସ୍ଥ୍ୟ ପାଇଁ ଉପକାରୀ। ଏଥିରେ ଥିବା ଫାଇବର୍ ଶରୀରରେ କୋଲେଷ୍ଟେରଲ୍ ନିୟନ୍ତ୍ରଣରେ ସହାୟତା କରିପାରେ। ସେହିପରି ଫଳରେ ଥିବା ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାର ସାଧାରଣ ସ୍ୱାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରେ। ତେଣୁ ପ୍ରତିଦିନର ଖାଦ୍ୟ ତାଲିକାରେ ଋତୁ ଅନୁଯାୟୀ ଫଳକୁ ସ୍ଥାନ ଦିଅନ୍ତୁ। କ୍ଷୀର, ଦହି, ପନିର ଓ ଛେନାରେ ପ୍ରୋଟିନ୍ ରହିଥାଏ। ଏହା ଶରୀରର ବୃଦ୍ଧି ଓ ମାଂସପେଶୀର ସୁସ୍ଥତା ପାଇଁ ଜରୁରୀ। ତେବେ ହୃଦୟର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଚର୍ବି କମ୍ ଥିବା କ୍ଷୀର ଓ ଦହି ଭଳି ବିକଳ୍ପ ବାଛିବା ଭଲ। ଅଧିକ ଲୁଣ ଓ ସାଚୁରେଟେଡ୍ ଫ୍ୟାଟ୍ ଥିବା ଖାଦ୍ୟର ସେବନକୁ ମଧ୍ୟ ସୀମିତ ରଖିବା ଉଚିତ। ମୁଗ, ବୁଟ, ହରଡ଼ ଡାଲି ଏବଂ ରାଜମା ଭଳି ଖାଦ୍ୟରେ ପ୍ରୋଟିନ୍ ଓ ଫାଇବର୍ ରହିଥାଏ। ଏହା ସହ ଓଟ୍ସ, ଅଟାର ରୁଟି ଓ ଅନ୍ୟାନ୍ୟ ସମ୍ପୂର୍ଣ୍ଣ ଶସ୍ୟ ଖାଇବା ମଧ୍ୟ ଲାଭଦାୟକ। ଏହି ଖାଦ୍ୟଗୁଡ଼ିକ ପେଟକୁ ଦୀର୍ଘ ସମୟ ଯାଏଁ ପୂର୍ଣ୍ଣ ରଖିବା ସହ ରକ୍ତରେ କୋଲେଷ୍ଟେରଲ୍ ନିୟନ୍ତ୍ରଣରେ ସହାୟକ ହୋଇପାରେ। ଏଥିରେ ଥିବା ଆଇରନ୍ ଶରୀରରେ ଅମ୍ଳଜାନ ପରିବହନ ପାଇଁ ମଧ୍ୟ ଆବଶ୍ୟକ। ତେଣୁ ପ୍ରତିଦିନର ଭୋଜନରେ ଡାଲି ଓ ଶସ୍ୟଜାତୀୟ ଖାଦ୍ୟକୁ ସାମିଲ କରନ୍ତୁ। ବାଦାମ, ପିସ୍ତା ଓ ଅନ୍ୟାନ୍ୟ ବାଦାମ ଜାତୀୟ ଖାଦ୍ୟରେ ଭଲ ଫ୍ୟାଟ୍, ପ୍ରୋଟିନ୍ ଓ ବିଭିନ୍ନ ପୋଷକତତ୍ତ୍ୱ ରହିଥାଏ। ଏହାକୁ ସୀମିତ ପରିମାଣରେ ଖାଇଲେ ହୃଦୟର ସ୍ୱାସ୍ଥ୍ୟ ପାଇଁ ଲାଭ ମିଳିପାରେ। ତେବେ ଅଧିକ ଲୁଣ ମିଶାଯାଇଥିବା କିମ୍ବା ଚିନି ମିଶା ଡ୍ରାଏ ଫ୍ରୁଟ୍ସ ବଦଳରେ ପ୍ରାକୃତିକ ଓ ଲୁଣବିହୀନ ବାଦାମ ବାଛିବା ଭଲ। ଏହା ସହ ଯଥେଷ୍ଟ ପାଣି ପିଇବା ଓ ପନିପରିବା ଖାଇବା ମଧ୍ୟ ଜରୁରୀ। ହୃଦୟକୁ ସୁସ୍ଥ ରଖିବା ପାଇଁ ନିୟମିତ ଶାରୀରିକ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା ଏବଂ ଧୂମପାନଠାରୁ ଦୂରେଇ ରହିବା ମଧ୍ୟ ଆବଶ୍ୟକ। ସେହିପରି ଅଧିକ ଚିନି, ଲୁଣ, ତେଲରେ ଛଣା ଖାଦ୍ୟ ଓ ପ୍ରକ୍ରିୟାକୃତ ଖାଦ୍ୟର ସେବନ କମାଇବା ଉଚିତ। ମନେ ରଖନ୍ତୁ, କୌଣସି ଗୋଟିଏ ଖାଦ୍ୟ ଖାଇଲେ ହୃଦୟ ସମ୍ପୂର୍ଣ୍ଣ ସୁସ୍ଥ ରହିବ କିମ୍ବା ଚେହେରା ତୁରନ୍ତ ଚମକିବ ନାହିଁ। ବରଂ ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ସୁସ୍ଥ ଜୀବନଶୈଳୀ ହିଁ ଦୀର୍ଘକାଳୀନ ସ୍ୱାସ୍ଥ୍ୟର ମୁଖ୍ୟ ଚାବିକାଠି।

